ଭୁବନେଶ୍ୱର: କୋରାପୁଟର କୋଟିଆକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛି କୋଟିଆ ବିବାଦର ସମାଧାନ ପାଇଁ କଣ କରିଛି ଉତ୍ତର ଦିଅ । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କୋଟିଆରେ ଆନ୍ଧ୍ର ସରକାରଙ୍କ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନଙ୍କର ଅନୁପ୍ରବେଶ ବାରମ୍ବାର ହେଉଥିବା ବେଳେ ଓଡ଼ିଶା ସରକାର ଚୁପ୍ ବସିଛନ୍ତି ।
କୋରାପୁଟ ଜିଲ୍ଲାର କୋଟିଆର ୨୧ ଖଣ୍ଡ ଗାଁ ସହିତ ଗଜପତି ଜିଲ୍ଲାର ୨ ପଞ୍ଚାୟତର ଅବସ୍ଥା ସମାନ । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମର ପାତ୍ରପୁର ବ୍ଲକର ତୁମ୍ବା ପଞ୍ଚାୟତରେ ମଧ୍ୟ ସମାନ ଅବସ୍ଥା । ଏହିସବୁ ଇଲାକାରେ ଆନ୍ଧ୍ର ସରକାରଙ୍କ ନିଜସ୍ୱ ଯୋଜନା କାର୍ଯ୍ୟକାରୀ ହେଉଛି । କିନ୍ତୁ ଓଡ଼ିଶା ସରକାର ସେଠାରେ ଲୋକମାନଙ୍କ ପାଖରେ ଜନକଲ୍ୟାଣକାରୀ ଯୋଜନା ପହଞ୍ଚାଇବାକୁ କୌଣସି ପ୍ରଚେଷ୍ଟା କରୁନାହାନ୍ତି ।
ଏପରିକି ତୁମ୍ବା ପଞ୍ଚାୟତର ଚିକିଟି ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ସରକାର ବାସହୀନମାନଙ୍କୁ ଆନ୍ଧ୍ରସରକାରଙ୍କର ପଟ୍ଟା ବାଣ୍ଟିଛନ୍ତି । ଏଭଳି ସ୍ଥିତିରେ ଆଜି ଓଡ଼ିଶା ସୀମାରେ ଆନ୍ଧ୍ର ମନମାନି କରୁଛି । ଓଡ଼ିଶା ସରକାରଙ୍କ ତରଫରୁ ଅଧିକୃତ ଭାବେ କୌଣସି ମନ୍ତ୍ରୀ, ଅଧିକାରୀ ଏପରିକି ଜିଲ୍ଲା ପ୍ରଶାସନ ମଧ୍ୟ ସେ ଜାଗାରେ ପହଞ୍ଚିବା, ସରଜମିନ ତଦନ୍ତ କରି ଓଡ଼ିଶାର ଲୋକଙ୍କ ସାମ୍ନାରେ ରଖିବା କଥା ଦେଖାଯାଉ ନାହିଁ ।
ଓଲଟି ସରକାର କୌଣସି ଠୋସ ନିଷ୍ପତି ନେବା ବଦଳରେ ସୀମା ବିବାଦର ସମାଧାନ ରାସ୍ତାକୁ ଏଡ଼ାଇ ଚାଲିଛନ୍ତି । କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ପଇଁତରା ଓ ଆଚରଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ଦିବସରେ ‘କୋଟିଆ ଓଡ଼ିଶାର, ଆନ୍ଧ୍ର ପ୍ରଦେଶ ଗୋ ବ୍ୟାକ’ ନାରା ଦେବା ପରେ ବିଜୁ ଜନତା ଦଳ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଥିଲା । କିନ୍ତୁ ଏବେ ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ ଜଗନମୋହନ ଜିନ୍ଦାବାଦ୍ ନାରା କୋଟିଆରେ ପକାଇଲେ, ଯାହା ବିଜୁ ଜନତା ଦଳକୁ ବାଧିଲା ନାହିଁ । ଏହାହିଁ ସ୍ପଷ୍ଟ କରୁଛି ବିଜେଡି ଓ ରାଜ୍ୟ ସରକାରଙ୍କ କୋଟିଆ ପ୍ରସଙ୍ଗରେ ଅସଲ ଆଭିମୁଖ୍ୟ କ’ଣ ।
କୋଟିଆ ବିବାଦରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଚୁପ୍ ବସିଛି । ଏପଟେ ସରକାରୀ ଦଳର ବନ୍ଧୁମାନେ ମଧ୍ୟ କୋଟିଆ ପ୍ରସଙ୍ଗରେ ପାଟି ଖୋଲୁନାହାନ୍ତି । ଓଡିଶାରେ ୨୩ବର୍ଷ ଶାସନ କାଳରେ ରାଜ୍ୟ ସରକାରଙ୍କ ଉତର ଦାୟିତ୍ୱ କଣ ତାହା ବୁଝିବାକୁ ବୋଧହୁଏ ନବୀନ ବାବୁ ଓ ତାଙ୍କ ଆନୁଗତ୍ୟମାନେ ବୁଝିବାରେ ବିଫଳ ହୋଇଛନ୍ତି ।
କୋଟିଆ ଓଡ଼ିଶାରେ ରହିବ ନା ଆନ୍ଧ୍ରରେ ମିଶିବ ଏହି ପଶ୍ନ ଏବେ ସାଧାରଣ ଲୋକମାନଙ୍କ ମନରେ ଉଙ୍କି ମାରୁଛି । ଏନେଇ ଓଡ଼ିଶାପ୍ରଦେଶ ଓ ଜନତା ସନ୍ଦେହରେ ରହିଛନ୍ତି । ଉତ୍କଳ ଦିବସ ପାଳନ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥିତି ପରୀକ୍ଷା ପାଇଁ ଯାଇ କହିଲେ, କୋଟିଆ ଆମର, ଆନ୍ଧ୍ର ଗୋ ବ୍ୟାକ ଶ୍ଲୋଗାନ ଦେଇ ଆନ୍ଧ୍ର ଅଫିସରମାନଙ୍କୁ ମାଟିରୁ ବିଦା କଲେ । ଏକଥାକୁ ବିଜେଡି ସରକାର ସମର୍ଥନ କରିବା ବଦଳରେ ସମାଲୋଚନା କରିବା ଆଦୌ ଉଚିତ ନଥିଲା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ ଆସି କୋଟିଆରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆନ୍ଧ୍ର ସରକାରଙ୍କ ଷ୍ଟିକର ଲଗାଇଲେ । ଆନ୍ଧ୍ରର ବିଭିନ୍ନ ଯୋଜନା ସମ୍ବନ୍ଧରେ ପ୍ରଲୋଭନ ଦେଖାଇବା, କୋଟିଆ ହେଉଛି ଆନ୍ଧ୍ରର ଅଞ୍ଚଳ କହିବା ଏକଥାକୁ ରାଜ୍ୟ ସରକାର ବୋଧ ହୁଏ ହଜମ କରିସାରିଛନ୍ତି ।
ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାଣଙ୍କ ଭୁଲ ନୀତି ଓ ଅବହେଳା କାରଣରୁ ଆଜି ଓଡ଼ିଶା ତାର ହକ୍ ହରାଇବାକୁ ବସିଛି । ଓଡ଼ିଶାର ଅଧିକାର, ଅସ୍ମିତା, ସମ୍ମାନ ସହିତ କାହାକୁ ଖେଳିବାକୁ ଦିଆଯିବ ନାହିଁ ବୋଲି ଭାରତୀୟ ଜନତା ପାର୍ଟିର ନିଷ୍ପତି ନେଇଛି । ମାସକ ଭିତରେ ଯଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ କୋଟିଆ ପ୍ରସଙ୍ଗରେ ସମାଧାନ ନେଇ କିଛି ଠୋସ୍ ପଦକ୍ଷେପ ନନେବେ ତାହାଲେ ସାରା ଓଡ଼ିଶାରେ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଗାଦି ଛାଡ ଆନ୍ଦୋଳନ କରିବାକୁ ବିଜେପି ଚେତାବନୀ ଦେଉଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
Comments are closed.