ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାର ମୁହଁତୋଡ୍ ଜବାବ । ପାକିସ୍ତାନ ଉପରେ ଭାରତର ସିନ୍ଧୁ ଷ୍ଟ୍ରାଇକ୍ । ସିନ୍ଧୁ ଚୁକ୍ତି ରଦ୍ଦ କରିବା ପରେ ପାଣି ପାଇଁ କଲବଲ ହେବ ପାକିସ୍ତାନ । ଭାରତ-ପାକିସ୍ତାନ ମଧ୍ୟରେ ୧୯୬୦ରେ ସିନ୍ଧୁ ନଦୀ ଜଳ ଚୁକ୍ତି ଲାଗୁ ହୋଇଥିଲା । ସିନ୍ଧୁ ନଦୀକୁ ପାକିସ୍ତାନର ଜୀବନରେଖା କୁହାଯାଏ । ଦେଶର ପ୍ରାୟ ୨୧କୋଟି ଲୋକ ପାଣି ପାଇଁ ସିନ୍ଧୁ ଓ ଏହାର ୪ ଉପନଦୀ ଉପରେ ନିର୍ଭରଶୀଳ । ସେହିପରି ପାକିସ୍ତାନର ପ୍ରାୟ ୮୦ପ୍ରତିଶତ ଚାଷ ଜମିକୁ ସିନ୍ଧୁ ନଦୀରୁ ଜଳସେଚନ ହୁଏ । ଏହାସହ ସିନ୍ଧୁ ଓ ଏହାର ଉପନଦୀ ଉପରେ କରାଚୀ, ଲାହୋର, ମୁଲତାନ ପରି ପ୍ରମୁଖ ସହର ନିର୍ଭରଶୀଳ । ତରବେଲା ଓ ମଙ୍ଗଳା ପରି ପାଓ୍ବାର ପ୍ରୋଜେକ୍ଟ ବି ନଦୀରେ ରହିଛି । ତେଣୁ ଭାରତ ସିନ୍ଧୁ ଚୁକ୍ତି ରଦ୍ଦ କରିବାର ବଡ ପ୍ରଭାବ ପାକିସ୍ତାନ ଉପରେ ପଡିବ ।
ଶୋଷରେ ଛଟପଟ ହେବ ପାକିସ୍ତାନ
ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ ହେବା ଦ୍ବାରା ପାକିସ୍ତାନରେ ଖାଦ୍ୟ ଉତ୍ପାଦନ କମିବ । ଫଳରେ ଲକ୍ଷ ଲକ୍ଷ ଲୋକ ଖାଦ୍ୟାଭାବର ସାମନା କରିପାରନ୍ତି। ପାକିସ୍ତାନୀ ସହରରେ ଜଳ ଯୋଗାଣ ପ୍ରଭାବିତ ହେବ । ଏପରିକି ବିଜୁଳି ଉତ୍ପାଦନ ଠପ୍ ହେବା ଆଶଙ୍କା ବି ରହିଛି । ଫଳରେ ପାକିସ୍ତାନର ବିଭିନ୍ନ ସହର ବ୍ଲାକ ଆଉଟ୍ ବି ହୋଇପାରେ । ତିବ୍ବତର ମାନସରୋବରରୁ ବାହାରିଥିବା ସିନ୍ଧୁ ନଦୀ କାଶ୍ମୀର ଦେଇ ପ୍ରବାହିତ ହେଉଛି । ତେବେ ସିନ୍ଧୁ ନଦୀର ପାଣି ପାକିସ୍ତାନ ଅଧିକ ବ୍ୟବହାର କରେ । ପିଇବା ପାଣିଠାରୁ ଆରମ୍ଭ କରି ଚାଷ ଜମିକୁ ଜଳସେଚନ ପର୍ଯ୍ୟନ୍ତ ଦେଶ ପାଣି ଉପରେ ନିର୍ଭରଶୀଳ । ଆଉ ସେଥିପାଇଁ ସିନ୍ଧୁକୁ ଜାତୀୟ ନଦୀର ମାନ୍ୟତା ଦେଇଛି ପାକିସ୍ତାନ । ଏବେ ଭାରତ ଚୁକ୍ତି ରଦ୍ଦ କରିବା ଫଳରେ ପାକିସ୍ତାନ ଗମ୍ଭୀର ଜଳସଂକଟର ସାମନା କରିବ ।
ଭାରତର ସବୁଠୁ ବଡ଼ ଆକ୍ସନ୍
ନା ୧୯୬୫, ୧୯୭୧, କାରଗିଲ ଯୁଦ୍ଧ ନା ଉରି, ପୁଲଓ୍ବାମା ଆକ୍ରମଣ, ଏପର୍ଯ୍ୟନ୍ତ ଭାରତ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିନଥିଲା । ପାକିସ୍ତାନକୁ କଡା ଜବାବ ଦେଇଥିଲା, ହେଲେ ଜଳ ଚୁକ୍ତି ସ୍ଥଗିତ ରଖିନଥିଲା । ୧୯୬୦ରେ ହୋଇଥିବା ଚୁକ୍ତି ଅନୁସାରେ ଭାରତକୁ ସିନ୍ଧୁ ଓ ଏହାର ଉପନଦୀର ୧୯ପ୍ରତିଶତ ଓ ପାକିସ୍ତାନକୁ ୮୦ପ୍ରତିଶତ ପାଣି ମିଳେ । ସ୍ବାଧୀନତା ପରେ ପାକିସ୍ତାନ ସହ ଅନେକ ଥର ଯୁଦ୍ଧରେ ମୁହାଁମୁହିଁ ହୋଇଥିଲେ ମଧ୍ୟ ଭାରତ କେବେ ଚୁକ୍ତି ରଦ୍ଦ କରିନାହିଁ । ତେବେ ପହଲଗାମରେ ପର୍ଯ୍ୟଟକଙ୍କୁ ଉପରେ ହୋଇଥିବା ଆକ୍ରମଣ ପରେ ସବୁଠୁ ବଡ଼ ଆକ୍ସନ୍ ନେବା ସହ ଚୁକ୍ତି ରଦ୍ଦ କରିଛି ଭାରତ ।
ଏବେ କଣ କରିବ ପାକିସ୍ତାନ?
ଭାରତ ସରକାରଙ୍କ ଆକ୍ସନ୍ ପରେ ବିଚଳିତ ହୋଇପଡିଛି ପାକିସ୍ତାନ । ନିଷ୍ପତ୍ତି ବିରୋଧରେ ବିଶ୍ବବ୍ୟାଙ୍କରେ ଗୁହାରି କରିପାରେ ପାକିସ୍ତାନ । କାରଣ ବିଶ୍ବବ୍ୟାଙ୍କର ମଧ୍ୟସ୍ଥତାରେ ଦୁଇ ଦେଶ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ହୋଇଥିଲା । ତେବେ ଚୁକ୍ତିକୁ ସ୍ଥାୟୀ ଭାବେ ରଦ୍ଦ କରାଯାଇନଥିବା ନେଇ ଭାରତ ଯୁକ୍ତି ରଖିପାରେ । ପାକିସ୍ତାନ ଆତଙ୍କବାଦ ବିରୋଧରେ ଆକ୍ସନ ନନେବାରୁ ସିନ୍ଧୁ ଚୁକ୍ତି ରୋକା ଯାଇଥିବା ଦର୍ଶାଇ ପାରିବ । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏଭଳି ନିଷ୍ପତ୍ତି ନେବ, ସେନେଇ ଆଶା କରିନଥିଲା ପାକିସ୍ତାନ । ପାକିସ୍ତାନ ପାଇଁ ଭାରତର ପାକଲଦୁଲ, ରତଲେ ଓ କିରୁ ପରି ବଡ଼ ହାଇଡ୍ରୋ ପ୍ରୋଜେକ୍ଟ କାମ ହୋଇ ପାରୁନଥିଲା । ଚୁକ୍ତି ଉପରେ ରୋକ୍ ଲାଗିବା ପରେ ଭାରତ ଏସବୁର କାମ କରିପାରିବ । ଚୁକ୍ତିନାମା କାର୍ଯ୍ୟକାରୀ ହେବା ପୂର୍ବରୁ ୧୯୪୮ରେ ଭାରତ ପ୍ରମୁଖ କେନାଲର ଜଳ ଯୋଗାଣ ବନ୍ଦ କରିଥିଲା । ଫଳରେ ପାକିସ୍ତାନୀ ପଞ୍ଜାବର ୧୭ଲକ୍ଷ ଏକର ଜମିରେ ପାଣି ଅଭାବରୁ ମରୁଡି ହୋଇଥିଲା । ଏବେ ଭାରତ ପାଣି ବନ୍ଦ କରିବା ଦ୍ବାରା ପାକିସ୍ତାନରେ ବ୍ୟାପକ ଅରାଜକତା ଦେଖା ଦେବାର ଆଶଙ୍କା ରହିଛି ।
Comments are closed.