Latest Odisha News

BREAKING NEWS

କ’ଣ ଏହି କ୍ଲଷ୍ଟର ବମ୍? ଭାରତ ପାଖରେ ଅଛି କି ଏହି ଘାତକ ଅସ୍ତ୍ର……

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଇରାନ କ୍ଲଷ୍ଟର ବୋମା ବ୍ୟବହାର କରିଛି। ଇସ୍ରାଏଲୀ ସେନା ଦ୍ୱାରା କ୍ଲଷ୍ଟର ବୋମା ବ୍ୟବହାରକୁ ନିଶ୍ଚିତ କରାଯାଇଛି । ଆଇଡିଏଫ କହିଛି ଯେ ଜୁନ୍ ୧୯ ତାରିଖରେ ଇରାନ ଦ୍ୱାରା ନିକ୍ଷେପ କରାଯାଇଥିବା କ୍ଷେପାଣାସ୍ତ୍ର ମଧ୍ୟରୁ ଅତି କମରେ ଗୋଟିଏ କ୍ଷେପଣାସ୍ତ୍ରରେ କ୍ଲଷ୍ଟର ବୋମା ଯୁଦ୍ଧାସ୍ତ୍ର ଥିଲା। ଏହି ବୋମା ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନାରେ ପ୍ରଥମ ଥର ପାଇଁ ବ୍ୟବହାର କରାଯାଇଛି। ଯାହା ସାଧାରଣ ଲୋକଙ୍କ ପାଇଁ ବିପଦପୂର୍ଣ୍ଣ ଏବଂ ବ୍ୟାପକ କ୍ଷତି ଘଟାଇବା ପାଇଁ ବେଶ୍ ଜଣାଶୁଣା । ଆଉ ସବୁଠୁ ବଡ କଥା ହେଉଛି ଏହି ବୋମାର ବ୍ୟବହାରକୁ ୧୨୩ଟି ଦେଶ ଦ୍ୱାରା ନିଷିଦ୍ଧ କରାଯାଇଛି । ତେବେ କ’ଣ ଏହି କ୍ଲଷ୍ଟର ବୋମା ? କାହିଁକି ଏହାକୁ ୧୨୩ଟି ଦେଶ ନିଷିଦ୍ଧ କରିଛନ୍ତି ?

କ୍ଲଷ୍ଟର ବୋମା ହେଉଛି ଏକ ଅସ୍ତ୍ର ଯାହା ଏକ ବଡ଼ ଅଞ୍ଚଳରେ ଅନେକ ଛୋଟ ବୋମା ପକାଇବା ପାଇଁ ଡିଜାଇନ୍ କରାଯାଇଛି। ସିଧାସଳଖ ଟାର୍ଗେଟରେ ବିସ୍ଫୋରଣ ହେବା ପରିବର୍ତ୍ତେ, ଏହା ମଝି ଆକାଶରେ ଖୋଲିଯାଏ ଏବଂ ସାରା ଅଞ୍ଚଳରେ ଛୋଟ ଛୋଟ ବୋମା ପକାଏ । ଆଉ ବୋମାଗୁଡ଼ିକ ତଳେ ପଡ଼ିବା ମାତ୍ରେ କୌଣସି ଆଘାତ ପାଇଲେ ବିସ୍ଫୋରଣ ହୁଏ। କ୍ଲଷ୍ଟର ବୋମା ପ୍ରାୟତଃ ଉଚ୍ଚତାରେ ବିସ୍ଫୋରଣ କରାଯାଏ, ଯାହା ଫଳରେ ଏଥିରୁ ନିର୍ଗତ ବୋମାଗୁଡ଼ିକ ଏକ ବଡ଼ ଅଞ୍ଚଳରେ ବ୍ୟାପିଯାଏ ଏବଂ ଅଧିକ କ୍ଷତି କରେ। ଆଉ ଗତ ୧୯ ତାରିଖରେ ହୋଇଥିବା ଆକ୍ରମଣକୁ ନେଇ ଇସ୍ରାଏଲୀ ସେନା କହିଛି, ଇରାନ ଦ୍ୱାରା କ୍ଲଷ୍ଟର ବୋମା ସହିତ କରାଯାଇଥିବା ଆକ୍ରମଣରେ, ବୋମାଟି ଭୂମିରୁ ସାତ କିଲୋମିଟର ଉଚ୍ଚତାରେ ବିସ୍ଫୋରଣ ହୋଇଥିଲା। ଏହି କାରଣରୁ ଇସ୍ରାଏଲର ଆଠ କିଲୋମିଟର ପରିଧି ମଧ୍ୟରେ ପ୍ରାୟ ୨୦ଟି ଛୋଟ ବୋମା ପଡ଼ିଥିଲା। ଏହା ପରେ, ଇସ୍ରାଏଲୀ ସେନା ସାଧାରଣ ନାଗରିକଙ୍କୁ ଏକ ଚେତାବନୀ ଜାରି କରି କହିଥିଲା ଯେ କୌଣସି ଜିନିଷକୁ ଛୁଇଁବ ନାହିଁ, ବରଂ ସନ୍ଧେହ ଜନକ ଦେଖିବା ମାତ୍ରେ ୧୦୦ କୁ କଲ୍ କରିବ ।

କାହିଁକି ବିବାଦୀୟ କ୍ଲଷ୍ଟର ବୋମା?

କ୍ଲଷ୍ଟର ବୋମା ଅତ୍ୟନ୍ତ ମାରାତ୍ମକ କାରଣ ଏହି ବୋମା ପଡିବା ମାତ୍ରେ ଏଥିରୁ ଅନେକ ବୋମା ଆକ୍ରମଣ ସମୟରେ ଫୁଟେ ନାହିଁ, କିନ୍ତୁ ଯେତେବେଳେ କୌଣସି ବ୍ୟକ୍ତି ଏଥିରେ ଛେଡଖାନି କରେ, ସେତେବେଳେ ବୋମା ଫୁଟିପାରେ । ଆଉ ବିପଦ ହେଉଛି ଯୁଦ୍ଧ ସମୟରେ, ଅନେକ ବୋମା ଅବିସ୍ଫୋରିତ ରହିଥାଏ ଏବଂ ଯେତେବେଳେ ସାଧାରଣ ନାଗରିକ କିମ୍ବା ଉଦ୍ଧାରକାରୀ ଦଳ ସେମାନଙ୍କ ସଂସ୍ପର୍ଶରେ ଆସେ, ବୋମା ଫୁଟେ । ଏହା ସେହି ଲୋକମାନଙ୍କ ପାଇଁ କ୍ଷତି କରିଥାଏ ଯେଉଁମାନେ ଯୁଦ୍ଧରେ ସାମିଲ ନୁହଁନ୍ତି କିମ୍ବା ଯୁଦ୍ଧରେ ଆହତ ଲୋକଙ୍କୁ ସାହାଯ୍ୟ କରିବାକୁ ଆସିଥାନ୍ତି। ଏହା ସହିତ, କୌଣସି ଗୋଟିଏ ସ୍ଥାନକୁ ଟାର୍ଗେଟ କରିବା ପରିବର୍ତ୍ତେ, ଏହି ବୋମା ସମଗ୍ର ଅଞ୍ଚଳରେ ଛୋଟ ବିସ୍ଫୋରଣ କରିଥାଏ। ଏହା ସାଧାରଣ ଲୋକଙ୍କ ପାଇଁ ଅଧିକ କ୍ଷତି କରିଥାଏ। ଏହି କାରଣରୁ ଏହାର ବ୍ୟବହାରକୁ ପ୍ରାୟ ୧୨୩ ଦେଶ ଦ୍ବାରା ନିଷିଦ୍ଧ କରାଯାଇଛି ।

ପାରମ୍ପରିକ କ୍ଷେପଣାସ୍ତ୍ରଠାରୁ କିପରି ଭିନ୍ନ କ୍ଲଷ୍ଟର ବୋମା?

ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏକ ସ୍ଥିର ସ୍ଥାନରେ ଆକ୍ରମଣ କରେ। ଅନ୍ୟପକ୍ଷରେ, ଏକ କ୍ଲଷ୍ଟର ବୋମା ଏକ ବଡ଼ ଅଞ୍ଚଳ ଉପରେ ଛୋଟ ବୋମା ସହିତ ବିସ୍ଫୋରଣ ଘଯାଇଥାଏ । ଜଣେ ବରିଷ୍ଠ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ କହିବାନୁଯାୟୀ, ଛୋଟ ବୋମାଗୁଡ଼ିକ କମ୍ ଶକ୍ତିଶାଳୀ ହୋଇଥିଲେ ମଧ୍ୟ, ଏପରି କ୍ଷେପଣାସ୍ତ୍ର ଇରାନର ଅନ୍ୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଯୁଦ୍ଧାସ୍ତ୍ର ଅପେକ୍ଷା ବହୁତ ବିସ୍ତୃତ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରେ। ଏହା ଘନ ଜନବହୁଳ ଅଞ୍ଚଳରେ ସେମାନଙ୍କୁ ବିପଦଜନକ କରିଥାଏ, ଯେଉଁଠାରେ ଛୋଟ ଅସ୍ତ୍ର ସାଧାରଣ ନାଗରିକ, ଘର କିମ୍ବା ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇପାରେ ।

ଏହି ସବୁ ଦେଶରେ ନିଷିଦ୍ଧ କ୍ଲଷ୍ଟର ବୋମା….

କ୍ଲଷ୍ଟର ବୋମା ବ୍ୟବହାର ବିରୁଦ୍ଧରେ ୨୦୦୮ ରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଅନ୍ତର୍ଜାତୀୟ ଚୁକ୍ତି କ୍ଲଷ୍ଟର ବୋମା ବ୍ୟବହାର, ସଂରକ୍ଷଣ, ସ୍ଥାନାନ୍ତର ଏବଂ ଉତ୍ପାଦନକୁ ନିଷିଦ୍ଧ କରେ। ମୋଟ ୧୧୧ ଦେଶ ଏବଂ ୧୨ ଅନ୍ୟ ସଂସ୍ଥା ଏଥିରେ ସ୍ୱାକ୍ଷର କରିଛନ୍ତି। କିନ୍ତୁ ଇରାନ, ଇସ୍ରାଏଲ ଏବଂ ଆମେରିକା ସମେତ ପ୍ରମୁଖ ସାମରିକ ଶକ୍ତି ଏହି ଚୁକ୍ତିରେ ଯୋଗ ଦେବାକୁ ମନା କରିଛନ୍ତି। ଅଭିଯୋଗ ଅଛି ଯେ ୨୦୨୩ ରେ ଆମେରିକା ୟୁକ୍ରେନକୁ କ୍ଲଷ୍ଟର ବୋମା ଯୋଗାଇଥିଲା, ଯାହା ରୁଷ ବିରୁଦ୍ଧରେ ଯୁଦ୍ଧରେ ବ୍ୟବହୃତ ହୋଇଥିଲା ।

ଭାରତ ପାଖରେ ଅଛି କି କ୍ଲଷ୍ଟର ବୋମା?

ଭାରତର ସାମରିକ ସଂସ୍ଥାରେ ମଧ୍ୟ ଏହି ବୋମା ଉପଲବ୍ଧ । ହେଲେ ଭାରତ ପକ୍ଷରୁ ଏପର୍ଯ୍ୟନ୍ତ କ୍ଲଷ୍ଟର ବୋମା ବ୍ୟବହାର ସମ୍ପର୍କରେ କୌଣସି ସରକାରୀ ସୂଚନା ଉପଲବ୍ଧ ନାହିଁ। ତଥାପି, ଭାରତ ସେହି ଦେଶମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଯେଉଁମାନେ କ୍ଲଷ୍ଟର ବୋମା ବ୍ୟବହାର ନିଷେଧ ଚୁକ୍ତିରେ ସ୍ୱାକ୍ଷର କରିନାହାଁନ୍ତି। ଭାରତ, ଆମେରିକା, ଚୀନ୍, ପାକିସ୍ତାନ, ଇରାନ, ଇସ୍ରାଏଲ ଏବଂ ରୁଷ ସମେତ ୧୬ ଦେଶ ସେମାନଙ୍କର ଜାତୀୟ ସୁରକ୍ଷାକୁ ଉଦ୍ଧୃତ କରି ଏହି ଚୁକ୍ତି ସ୍ୱାକ୍ଷର କରିବାକୁ ମନା କରିଥିଲେ। ଏଥିରୁ ସ୍ପଷ୍ଟ ଯେ ଯଦିଓ ଭାରତ ଏପର୍ଯ୍ୟନ୍ତ ଏହି ବୋମା ବ୍ୟବହାର କରିନାହିଁ, କିନ୍ତୁ ଆବଶ୍ୟକ ହେଲେ ଭାରତ ମଧ୍ୟ ଏହାକୁ ବ୍ୟବହାର କରିପାରିବ।

 

Comments are closed.