Latest Odisha News

BREAKING NEWS

ଭୁବନେଶ୍ବରରେ ପହଞ୍ଚିଲେ କଂଗ୍ରେସର ଅନୁଧ୍ୟାନକାରୀ ଦଳ: ଗୋପାଳପୁର ଗଣଦୁଷ୍କର୍ମ ଘଟଣାସ୍ଥଳ ପରିଦର୍ଶନ କରିବେ

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ଗୋପାଳପୁର ଘଟଣାକୁ ନେଇ କଂଗ୍ରେସ ଗଢିଥିବା ଅନୁଧ୍ୟାନକାରୀ ଦଳ । ଏନେଇ ୫ ଜଣିଆ ତଥ୍ୟ ଅନୁଧ୍ୟାନକାରୀ ଦଳ ୪ ଦିନିଆ ଓଡିଶା ଗସ୍ତରେ ଆସି ଆଜି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ତାଙ୍କୁ ପିସିସି ସଭାପତି ଭକ୍ତଚରଣ ଦାସ ସ୍ବାଗତ କରିଥିବା ବେଳେ ଆଜି ପ୍ରଥମ ଦିନରେ ଗୋପାଳପୁର ଗଣଦୁଷ୍କର୍ମ ଘଟଣାସ୍ଥଳ ପରିଦର୍ଶନ କରିବେ କଂଗ୍ରେସର ତଥ୍ୟ ଅନୁଧ୍ୟାନକାରୀ ଦଳ ।

ତେବେ ଗୋପାଳପୁର ଠାରେ ହୋଇଥିବା ଜଘନ୍ୟ ଗଣବଳାତ୍କାର ଏବଂ ରାଜ‍୍ୟରେ ଆକସ୍ମିକ ଭାବରେ ଶତାଧିକ ମହିଳା ,ଶିଶୁ ନିଖୋଜ ହେବା ଓ ରାଜ‍୍ୟରେ ମହିଳା ଙ୍କ ପ୍ରତି ବଢୁଥିବା ଅତ‍୍ୟାଚାର କୁ ନେଇ ନିଜ ଚିନ୍ତା ପ୍ରକଟ କରି ଏଆଇସିସି ଅଧ୍ୟକ୍ଷ ଶ୍ରୀ ମଲ୍ଲିକାଜୁର୍ନ ଖଡଗେ ପରିସ୍ଥିତିକୁ ଅନୁସନ୍ଧାନ କରିବା ନିମନ୍ତେ ଏକ ୫ ଜଣିଆ ତଥ୍ୟ ଅନୁଧ୍ୟାନକାରୀ ଦଳ ଗଠନ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଏଆଇସିସି ମହିଳା କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ଦିପା ଦାସମୁନସୀ ଆବାହକତ୍ୱରେ ୪ ଦିନିଆ ଓଡିଶା ଗସ୍ତରେ ଆସିଥିବା ୫ ଜଣିଆ ତଥ୍ୟ ଅନୁଧ୍ୟାନ କାରୀ ଦଳରେ ସାଂସଦ ଶ୍ରୀମତୀ  ରଞ୍ଜିତ ରଞ୍ଜନ, ସାଂସଦ ଶ୍ରୀମତୀ ପ୍ରଣିତି ସିନ୍ଦେ,ସାଂସଦ ଶ୍ରୀମତୀ ଏସ ଯୋଥିମଣି ,ପୂର୍ବତନ ଏଆଇସିସି ମହିଳା କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ଶୋଭା ଓଜା ପ୍ରମୁଖ ସାମିଲ ଅଛନ୍ତି । ଆଜି ସମସ୍ତେ ଭୁବନେଶ୍ଵରରେ ପହଞ୍ଚିଥିବା ବେଳେ ପିସିସି ସଭାପତି ଭକ୍ତ ଚରଣ ଦାସ ସେମାନଙ୍କୁ ସ୍ଵାଗତ କରିଥିଲେ ।

ତେବେ ଏହି ଦଳ ଗୋପାଳପୁର ଘଟଣା ସ୍ଥଳ ପରିଦର୍ଶନ କରି ଅନୁସନ୍ଧାନ କରି ରିପୋର୍ଟ ପ୍ରଦାନ କରିବେ । ଉକ୍ତ ଦଳ ସହ ରାଜ୍ୟ ମହିଳା କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ମିନାକ୍ଷୀ ବାହିନୀପତି, ସସ୍ମିତା ବେହେରା, ବନ୍ଦିତା ପରିଡ଼ା, ସୋନାଲି ସାହୁ, ମନିଷା ଦାଶ ପଟ୍ଟନାୟକ, ଜୟଶ୍ରୀ ପାତ୍ର ପ୍ରମୁଖ ମହିଳା କଂଗ୍ରେସ ନେତୃବୃନ୍ଦ ଆଜି ପ୍ରଥମ ଦିନରେ ଗୋପାଳପୁର ଗଣଦୁଷ୍କର୍ମ ଘଟଣା ସ୍ଥଳ ପରିଦର୍ଶନ କରିବେ ।

ତେବେ ଗୋପଳପୁରରେ ଯାହା ଘଟିଲା ତାହା ଏବେ ସାରା ରାଜ୍ୟ ପାଇଁ ଲଜ୍ଜା ଆଣିଛି । ଏହାକୁ ନେଇ ଏବେ ମୋହନ ସରକାରଙ୍କୁ ଘେରିଛି କଂଗ୍ରେସ । ନିଜ ଆଡୁ ଟିମ୍ ଗଠନ କରି ଗୋପାଳପୁର ବେଳାଭୂମିରେ ନିକଟରେ ଘଟିଥିବା ଗଣଦୁଷ୍କର୍ମ ମାମଲାକୁ ଗମ୍ଭୀରତାର ସହ ତନାଘନା ଆରମ୍ଭ କରିଛି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)। ଏହି ଘଟଣାର ତଦନ୍ତ କରିବା ଏବଂ ଓଡ଼ିଶାରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାଗୁଡ଼ିକର ଯାଞ୍ଚ କରିବା ପାଇଁ ଏକ ପାଞ୍ଚ ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଦଳକୁ ନିୟୋଜିତ କରାଯାଇଛି । ପଶ୍ଚିମବଙ୍ଗର ବରିଷ୍ଠ ଦଳୀୟ ନେତା ଦୀପା ଦାସମୁନସିଙ୍କ ନେତୃତ୍ୱରେ ଏହି ଦଳ ଓଡ଼ିଶା ଗସ୍ତ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବ।

ସେପଟେ ଗୋପାଳପୁରରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଅପରାଧୀମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଘଟଣାର ଦୃଢ ନିନ୍ଦା କରି, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ମାନବତା ବିରୁଦ୍ଧରେ ଏକ ଅପରାଧ। ଏ ଘଟଣାରେ ସମ୍ପୃକ୍ତ କୌଣସି ଅପରାଧୀଙ୍କୁ ଛଡା ଯିବ ନାହିଁ। ଆଇନ ଅନୁମୋଦିତ ସବୁଠାରୁ କଠୋର ଦଣ୍ଡବିଧାନ କରାଯିବ।

ସୂଚନାଯୋଗ୍ୟ, ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଯାଇଥିଲେ। ସନ୍ଧ୍ୟାବେଳେ କିଛି ଯୁବକ ଉଭୟଙ୍କୁ ନିଛାଟିଆ ସ୍ଥାନରେ ବସିଥିବା ଦେଖି ଅସଦାଚରଣ କରିଥିଲେ। ଆଉ ଏହା ପରେ ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏନେଇ ଯୁବତୀ ଏବଂ ପୁରୁଷ ବନ୍ଧୁ ଗୋପାଳପୁର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇବା ସହ ଅଭିଯୋଗ କରିଥିଲେ। ଯାହାପରେ ୧୦ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ, ସ୍ଥାନୀୟ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି। ଏ ଘଟଣାରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସମ୍ପୃକ୍ତ ଥିବା ସମସ୍ତ ଅପରାଧୀଙ୍କୁ ଧରାଯାଇ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.