Latest Odisha News

କାହା ପାଇଁ ହାରିଲା ବିଜେଡି?

ଭୁବନେଶ୍ବର: କାହିଁକି ନିର୍ବାଚନ ହାରିଲା ବିଜେଡି? ଦଳକୁ ହରାଇବା ପାଇଁ ହୋଇଥିଲା କି ସୁଚିନ୍ତିତ ଯୋଜନା? ଯଦି ହୋଇଥିଲା କିଏ କରିଥିଲା ଏଭଳି ଆତ୍ମଘାତୀ କାମ ? ନାଁ ନନେଇ ବିଜେଡିର ଜଣକ ପରେ ଜଣେ ନେତା ଦଳ ଭିତରୁ ହିଁ ପରାଜୟ ପାଇଁ ଷଡ଼ଯନ୍ତ୍ର ଆଡକୁ ଆଙ୍ଗୁଳି ଦେଖାଉଛନ୍ତି । ପ୍ରଭାତ ବିଶ୍ବାଳଙ୍କ ପରେ ଏବେ ବିଜେଡିର ନିର୍ବାଚନ ବିପର୍ଯ୍ୟୟ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ । ନିର୍ବାଚନରେ ନବୀନ ପଟ୍ଟନାୟକ ହାରିନାହାନ୍ତି ତାଙ୍କୁ ହରାଯାଇଥିବା ସମ୍ବିତ କହିଛନ୍ତି । ତେବେ ଦଳ ଭିତରେ କିଏ ଏଭଳି ଆତ୍ମଘାତୀ କାମ କରିଥିଲେ, ନାଁ କହିନାହାନ୍ତି ସମ୍ବିତ ।

ଢୋଲ ଭିତରେ ମୂଷା କିଏ?

ଢୋଲ ଭିତରେ ମୂଷା ରହିଲେ, ଶୀଘ୍ର ମୂଷା କଢାହେବେ । ମୂଷା ରହିଲେ ଧନ, ସଂପତ୍ତି ଲୁଟ୍ ହେବା ଆଶଙ୍କା ରହିଛି ବୋଲି ସମ୍ବିତ କହିଛନ୍ତି । ତେବେ ବିଜେଡିରେ ମୂଷା କିଏ? କାହାକୁ ଇସାରାରେ ଇଙ୍ଗିତ କରୁଛନ୍ତି ସମ୍ବିତ । ବିଜେଡି ସରକାର କ୍ଷମତାରେ ରହିଥିବା ବେଳେ ଅନେକ ଜନକଲ୍ୟାଣକାରୀ କାର୍ଯ୍ୟ କରିଛନ୍ତି । ଲୋକଙ୍କୁ ଉନ୍ନତ ସେବା ଯୋଗାଇ ଦେବାରେ କୌଣସି କ୍ଷେତ୍ରକୁ ବି ଛାଡିନାହାନ୍ତି ନବୀନ ସରକାର । ସବୁ ପରେ ବି ବିଜେଡି ହାରିଛି । ପରାଜୟର ଅନେକ କାରଣ ରହିଥିବା ସମ୍ବିତ ରାଉତରାୟ କହିଛନ୍ତି । ତେବେ ତାଙ୍କ ଇଙ୍ଗିତ ଭିକେ ପାଣ୍ଡିଆନଙ୍କ ଆଡକୁ କି? ଏନେଇ ସେ ସ୍ପଷ୍ଟ ଉତ୍ତର ରଖିନାହାନ୍ତି।

‘ନବୀନଙ୍କୁ କହିଥିଲି ସବୁ ସତ’

ସମ୍ବିତ ରାଉତରାୟଙ୍କ ପୂର୍ବରୁ ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ବାଳ ବି ବିଜେଡି ପରାଜୟକୁ ନେଇ ବିସ୍ଫୋରକ ବୟାନ ଦେଇଥିଲେ । ବୁଝାମଣା ଅଭାବରୁ ଦଳ ନିର୍ବାଚନ ହାରିଛି । ନବୀନ ପଟ୍ଟନାୟକ ୫ଥର ମୁଖ୍ୟମନ୍ତ୍ରୀ ରହିଥିବାରୁ ଦଳ ବିରୋଧୀ ହାଓ୍ବା ବି ପରାଜୟର ଅନ୍ୟତମ କାରଣ। ତେବେ ନିର୍ବାଚନ ପୂର୍ବରୁ ନବୀନଙ୍କୁ ଭେଟି ସବୁ ସତ କହିଥିବା ପ୍ରଭାତ ବିଶ୍ବାଳ କହିଥିଲେ।  ତେବେ ବୁଝାମଣାର ଅଭାବ କେଉଁଠି ହେଲା? ଏଥିପାଇଁ କେଉଁମାନେ ଦାୟୀ? ସେନେଇ ମୁହଁ ଖୋଲିନଥିଲେ ବି ଦଳ ଭିତରେ ଯେ କେଉଁଠି ନା କେଉଁଠି ସମନ୍ବୟର ଅଭାବ ରହିଥିଲା, ସେନେଇ କହିଥିଲେ ପ୍ରଭାତ ବିଶ୍ବାଳ ।

ଶଶି ବି ଖୋଲିଥିଲେ ମୁହଁ

୨୪ବର୍ଷ ଧରି କ୍ଷମତାରେ ରହିଥିଲା ବିଜେଡି । ଜନ୍ମଠାରୁ ମୃତ୍ୟୁ ଯାଏଁ ଦଳ ପକ୍ଷରୁ ଅନେକ ଯୋଜନା କରାଯାଇଥିଲା । ଏସବୁ ସତ୍ତ୍ବେ ବିଜେଡି କାହିଁକି ହାରିଲା ? ସେନେଇ ଫଳାଫଳ ପ୍ରକାଶ ପରେ ହିଁ ମୁହଁ ଖୋଲିଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ନିର୍ବାଚନ ପରିଚାଳନାରେ ବରିଷ୍ଠ ନେତାଙ୍କୁ ଦୂରେଇ ରଖାଗଲା । ଯାହା ସାଧାରଣରେ ଗ୍ରହଣୀୟ ହୋଇନଥିଲା । ଫଳରେ ବିଜେଡି ନିର୍ବାଚନ ହାରିଥିବା କହିଥିଲେ ଶଶି । ଦଳୀୟ ଫୋରମରେ ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ବି ପରାଜୟର କାରଣ ଭାବେ ପରିଚାଳାନାଗତ ତ୍ରୁଟି, ଦୁର୍ବଳ ପ୍ରାର୍ଥୀ ଚୟନ କଥା ଉଠାଇଥିଲେ ।

ସତ ହୋଇଥିଲେ ସାଂଘାତିକ

ଯୁବ ଓ ଛାତ୍ର ବିଜେଡି ନେତା ଦଳର ପରାଜୟ ପାଇଁ ଖୋଲାଖୋଲି ଭିକେ ପାଣ୍ଡିଆନ ଆଣ୍ଡଙ୍କ ବିରୋଧରେ ସ୍ବର ଉଠାଇଥିବା ବେଳେ ନାଁ ନେଇ ନାହାନ୍ତି ବରିଷ୍ଠ ନେତା। ତେବେ ସମସ୍ତଙ୍କ ବୟାନରୁ ଗୋଟିଏ କଥା ସ୍ପଷ୍ଟ ଯେ, ବିଜେଡିକୁ ହରାଇବା ପାଇଁ ଦଳ ଭିତରୁ ହିଁ ଷଡ଼ଯନ୍ତ୍ର ହୋଇଥିଲା । ଏକଥା ଯଦି ସତ, ତେବେ ବେଶ୍ ସାଂଘାତିକ । ନିର୍ବାଚନରେ ବିଜେଡିର ପରାଜୟର ପଟ୍ଟଚିତ୍ର କିଏ ଲେଖିଥିଲେ ଓ କାହିଁକି ? ବିଜେଡି ହାରିଲେ କାହାର ଲାଭ? ଦଳ କ୍ଷମତାରୁ ଗଲେ କିଏ ପାଇବେ ଫାଇଦା? ସେନେଇ ପ୍ରଶ୍ନ ଉଠୁଛି ।

ବିଜେଡିର ନିର୍ବାଚନ ବିପର୍ଯ୍ୟୟ ନେଇ ବରିଷ୍ଠ ନେତାଙ୍କ ବିସ୍ଫୋରକ ବୟାନ ପରେ ଦଳର ସାଂଗଠନିକସ୍ତରରେ ନବକଳେବର କରାଯାଉଛି । ଦଳର ସବୁ ରାଜ୍ୟ କମିଟି ଭାଙ୍ଗିବା ସହ ପଦାଧିକାରୀଙ୍କୁ ହଟାଯାଇଛି । ସନ୍ତୃପ୍ତ ମିଶ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଦଳର ମୁଖପାତ୍ର ମଧ୍ୟ ବଦଳାଯାଇଛି । ଦଳର ଅଭିଜ୍ଞଙ୍କୁ ନେଇ ରାଜ୍ୟ ଓ ଜାତୀୟସ୍ତରରେ ମୁଖପାତ୍ର ଦାୟିତ୍ବ ଦିଆଯାଇଛି । ପ୍ରସନ୍ନ ଆଚାର୍ଯ୍ୟ ହୁଅନ୍ତୁ କି ପ୍ରତାପ ଦେବ, ଦଳର ଆଭିମୁଖ୍ୟ ନେଇ ଏଣିତି ମତ ରଖିବେ ବରିଷ୍ଠ । ତେବେ ଦଳର ଏଭଳି ପରିବର୍ତ୍ତନ ବିଜେଡିକୁ ସଂଗଠିତ କରିବାରେ କେତେ ସହାୟକ ହେବ? କେବଳ ମୁହଁ ବଦଳିଥିଲେ ବି ପ୍ରକୃତ କ୍ଷମତା ଏବେବି ବବି ଓ ପାଣ୍ଡିଆନଙ୍କ ହାତରେ ରହିବ କି ? କାରଣ କୋଟେରୀର ଅନେକ ଘନିଷ୍ଠ ନେତାଙ୍କୁ ଦାୟିତ୍ବ ମିଳିଛି ।

Comments are closed.