ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ବିଧାନସଭା ଚାଲିଥିବା ବେଳେ କାହିଁକି ଦିଲ୍ଲୀ ଗଲେ ନବୀନ ? କିଛି ଗସ୍ତକୁ ବିଜେଡି ନେତା ରାଜା ଚକ୍ରଙ୍କ ଗିରଫଦାରୀ ସହ ଯୋଡୁଛନ୍ତି । ସେପଟେ ପ୍ରଶ୍ନ ଉଠୁଛି, ସମଦୂରତା ନୀତି ଆପଣାଇ ଆସିଥିବା ବିଜେଡି ଇଣ୍ଡିଆ ମେଣ୍ଟ ଆଡକୁ ଢଳୁଛି କି? କାରଣ ହେଉଛି ଗତ କିଛି ଦିନର ଘଟଣାବଳୀ । ଡିଏମକେ ନେତାଙ୍କ ନିମନ୍ତ୍ରଣ ପରେ ସୀମା ପୁନଃନିର୍ଦ୍ଧାରଣକୁ ନେଇ ୨୨ତାରିଖରେ ଚେନ୍ନାଇ ବୈଠକରେ ଯୋଗ ଦେବାକୁ ନବୀନ ହଁ କରିବା ଓ ବିଧାନସଭାରେ କଂଗ୍ରେସକୁ ସମର୍ଥନ କରିବା, କେଉଁଠି ନା କେଉଁଠି ଭିନ୍ନ ସନ୍ଦେଶ ଦେଉଛି। ଚର୍ଚ୍ଚା ହେଉଛି, ନୂଆ ସମୀକରଣ ଆଡକୁ ମୁହାଁଉଛି କି ବିଜେଡି? ନା ପୁରୁଣା ସଂପର୍କ ରଖିବାକୁ ବାର୍ଗେନିଂ ମୋଡରେ ରହିଛି ? ନବୀନଙ୍କ ମନରେ କଣ ଅଛି?
ରାଜା ଚକ୍ର ପାଇଁ ବାର୍ଗେନିଂ !
ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ବିଜେଡି ନେତା ରାଜା ଚକ୍ର । ବିଜେପି ସରକାର ଆସିବା ପରଠୁ ଦୁର୍ନୀତି ମାମଲାରେ ସବୁଠୁ ବଡ଼ ଲିଙ୍କ କୁହାଯାଉଥିବା ରାଜା ଚକ୍ରଙ୍କୁ ଧରାଯାଇଛି । ରାଜାଙ୍କର ବହୁ ବିଜେଡି ହେଭିଓ୍ବେଟ୍ ନେତାଙ୍କ ସହ ସଂପର୍କ ରହିଥିବା କୁହାଯାଉଛି । ଏପରିକି କେନ୍ଦୁଝର ଖଣି ଦୁର୍ନୀତି ଚେର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଥିବା ନେଇ ବି ଚର୍ଚ୍ଚା ହେଉଛି । ତେଣୁ ରାଜା ଚକ୍ର ଗିରଫ ହେବା ପରେ ନବୀନ ଦିଲ୍ଲୀରେ ଡିଲ୍ କରିବାକୁ ଯାଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ନିର୍ବାଚନରେ ହାରିବା ପରେ ଦୁର୍ନୀତି ଦାଗ ଲାଗିଲେ ବିଜେଡି ନିଜ ବିଶ୍ବାସ ଫେରିପାଇବା କଷ୍ଟକର ହୋଇପାରେ।
କଂଗ୍ରେସକୁ ସମର୍ଥନ ଡିଏମକେକୁ ହଁ
ବିଜେଡି ଗଠନ ପରଠୁ ଉଭୟ ବିଜେପି ଓ କଂଗ୍ରେସ ସହ ସମଦୂରତା ରକ୍ଷା କରିଆସୁଛି । ତେବେ କେନ୍ଦ୍ରରେ କ୍ଷମତାରେ ରହିଥିବା ଦଳ ଆଡକୁ ବିଜେଡି ଢଳିବା ଭଳି ଦେଖିବାକୁ ମିଳେ । ଗତ ୧୦ବର୍ଷ ଧରି କେନ୍ଦ୍ରର ଏନଡିଏ ସରକାରଙ୍କୁ ଅସୁବିଧା ସମୟରେ ସହଯୋଗ କରିଛି ବିଜେଡି। ସଂସଦରେ ଗୁରୁତ୍ବପୂର୍ଣ୍ଣ ବିଲ୍ ପାରିତ କରିବା ବେଳେ ସମର୍ଥନ ଦେଇଛି ତ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ବିରୋଧରେ ବିଜେପି ସହ ଠିଆ ହୋଇଛି ବିଜେଡି । ବିଜେପିର ଅଶ୍ବିନୀ ବୈଷ୍ଣବଙ୍କୁ ବି ବିଜେଡି ସମର୍ଥନ କରି ରାଜ୍ୟସଭା ପଠାଇଥିଲା। ହେଲେ ରାଜନୈତିକ ସମୀକରଣ ବଦଳିବା ନେଇ ଚର୍ଚ୍ଚା ହେଉଛି । ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ସସପେଣ୍ଡ ଘଟଣାରେ କଂଗ୍ରେସକୁ ସମର୍ଥନ କରିଛି ବିଜେଡି। ସେପଟେ ୨୨ତାରିଖରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଡାକିଥିବା ବୈଠକରେ ଯୋଗ ଦେବାକୁ କହିଛନ୍ତି ନବୀନ ।
ଡିଲ୍ ନହେଲେ ବଡ଼ ନିଷ୍ପତ୍ତି !
ଯେଉଁ ସମୟରେ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି ତାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ସୀମା ପୁନଃନିର୍ଦ୍ଧାରଣକୁ ନେଇ ଜାତୀୟ ରାଜନୀତିରେ ସମୀକରଣ ବଦଳୁଛି । ସେପଟେ ପରାଜୟ ପରଠୁ ବିଜେଡିରେ ଅନିଶ୍ଚିତତା ଦେଖାଦେଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ନବୀନ ଦିଲ୍ଲୀରେ ବାର୍ଗେନିଂ କରିବାକୁ ଯାଇ ଥାଇପାରନ୍ତି ବୋଲି କୁହାଯାଉଛି । କାରଣ ୨୦୨୪ ନିର୍ବାଚନ ହାରିବା ପରେ ଆଞ୍ଚଳିକ ଦଳ ଭାବେ ନିଜ ରଣନୀତି ନକରି ଠିକରେ ଲଢେଇ ନକଲେ ,ସ୍ଥିତି ଅସମ୍ଭାଳ ହୋଇଯିବ । ତେଣୁ ଦିଲ୍ଲୀରେ ଏନଡିଏ ସହ ଭିତିରି ସଂପର୍କ ରଖି ରାଜ୍ୟରେ ଲୋକ ଦେଖାଣିଆ ବିରୋଧ କରିପାରେ ବିଜେଡି । ହେଲେ ଏମିତି ହେଲେ ବିଜେଡିର ଅସ୍ତିତ୍ବ ସଂକଟ ଦେଖାଦେଇପାରେ । କିମ୍ବା କଂଗ୍ରେସର ହାଇକମାଣ୍ଡଙ୍କୁ ଭେଟି ବଡ଼ ଡିଲ୍ କରିପାରନ୍ତି ନବୀନ ।
ନବୀନଙ୍କ ପରି ଜଣେ ଚତୁର ରାଜନେତାଙ୍କ ପରବର୍ତ୍ତୀ ଗୋଟି କଣ ହେବ, ସେକଥା ଆଗରୁ ଆକଳନ କରିବା କଷ୍ଟ । ବିଜେପି ସରକାର ଏପର୍ଯ୍ୟନ୍ତ ବିଜେଡିର ହେଭିଓ୍ବେଟ ନେତାଙ୍କ ଦେହରେ ହାତ ମାରିନଥିବା ପଛରେ ବିଜେଡି ସହ ଭିତିରି ଡିଲ ବୋଲି ବି କୁହାଯାଉଛି । ତେବେ ରାଜା ଚକ୍ରଙ୍କ ଗିରଫଦାରୀ ସମ୍ଭାବ୍ୟ ଲିଙ୍କକୁ ନେଇ ଚିନ୍ତା ବଢାଇ ଥାଇପାରେ । ତେଣୁ ଏନଡିଏ କୋର୍ଟକୁ ବଲ୍ ଫିଙ୍ଗି, ଓ୍ବେଟ୍ ଆଣ୍ଡ ଓ୍ବାଚ୍ ମୋଡରେ ରହିପାରନ୍ତି ନବୀନ । ବିଜେପି ବି ଚାହିଁବ ଓଡିଶାରେ ବିଜେଡି ହିଁ ଦୁଇ ନମ୍ବର ଦଳ ରହୁ । କାରଣ କଂଗ୍ରେସ ବଢିଲେ ବିଜେପି ପାଇଁ ବଡ଼ ବିପଦ । ଏଭଳି ସ୍ଥଳରେ ନବୀନଙ୍କ ଦିଲ୍ଲୀ ଗସ୍ତ, ନୂଆ ରଣନୀତି ଆଡକୁ ଇସାରା କରୁଛି ।