Latest Odisha News

ବୁଲେଟ ଟ୍ରେନ ଦ୍ଵାରା ସୁଦୃଢ ହେବ ମୁମ୍ବାଇ-ଅହମ୍ମଦାବାଦ ଅର୍ଥବ୍ୟବସ୍ଥା: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ବିଗତ ୧୦ ବର୍ଷ ହେବ ଲଗାତର ଭାବେ ଚର୍ଚ୍ଚାରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନର ବିଲେଟ ଟ୍ରେନ ପ୍ରକଳ୍ପ । ଏବେ ଚାଇନା ଏବଂ ଜାପାନ ସମେତ ଅନେକ ଦେଶରେ ସୁପରଫାଷ୍ଟ ବୁଲେଟ୍ ଟ୍ରେନ୍ ଚାଲୁଛି । ସେପଟେ ଭାରତର ଲୋକମାନେ ମଧ୍ୟ ଦୀର୍ଘ ଦିନ ଧରି ଦେଶର ପ୍ରଥମ ବୁଲେଟ୍ ଟ୍ରେନର ଅପେକ୍ଷାରେ ଅଛନ୍ତି । ଏହାରି ଭିତରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଉପରେ ଏକ ବଡ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମୁମ୍ବାଇ ରୁ ଅହମ୍ମଦାବାଦ ମଧ୍ୟରେ ଚାଲିବାକୁଥିବା ଏହି ସୁପରଫାଷ୍ଟ ଟ୍ରେନ୍ ଦୁଇ ରାଜ୍ୟର ଅର୍ଥନୀତିକୁ ଏକଜୁଟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

କେନ୍ଦ୍ରରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, ଭାରତର ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ବହୁତ ଭଲରେ ଅଗ୍ରଗତି କରୁଛି। ମୁମ୍ବାଇରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ପ୍ରଥମ କରିଡର ଆର୍ଥିକ ରୂପରେ ଗୁରୁତ୍ଵପୁର୍ଣ୍ଣ ଅନେକ ସହରକୁ ସଂଯୋଗ କରିବ । ଏହି କରିଡର ଅନେକ ଅର୍ଥନୀତିକୁ ଏକତ୍ର କରିବ । ସେ କହିଛନ୍ତି ଯେ, ଏହା କେବଳ ଏକ ରେଳ ପ୍ରକଳ୍ପ ନୁହେଁ। ଆମକୁ ଅର୍ଥନୀତିର ଦୃଷ୍ଟିକୋଣରୁ ମଧ୍ୟ ଏହାକୁ ଦେଖିବାକୁ ପଡିବ ।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଏହି ପ୍ରଥମ ବୁଲେଟ୍ ଟ୍ରେନ୍ କରିଡରରେ ଭାରତୀୟ ରେଳବାଇ ମୁମ୍ବାଇ, ଥାନେ, ବାପି, ବରୋଦା, ସୁରଟ, ଆନନ୍ଦ ଏବଂ ଅହମ୍ମଦାବାଦକୁ ସଂଯୋଗ କରିବାକୁ ଯାଉଛି। ଏହି ସମସ୍ତ ସହରର ଅର୍ଥନୀତି ଏକ ହୋଇଯିବ । ବୁଲେଟ୍ ଟ୍ରେନ୍ ଆସିବା ପରେ ଆପଣ ସୁରଟରେ ଜଳଖିଆ କରି ମୁମ୍ବାଇ ଯାଇ ନିଜର କାମ ସମାପ୍ତ କରି ପୁଣି ରାତିରେ ନିଜ ଘରକୁ ଫେରିପାରିବ ।

ବୁଲେଟ୍ ଟ୍ରେନର ଭଡାକୁ ନେଇ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ବୁଲେଟ୍ ଟ୍ରେନ୍ ଚାଲୁଥିବା ଅଧିକାଂଶ ଦେଶରେ ସେମାନେ ପରିବହନରେ ୯୦ ପ୍ରତିଶତ ଅଂଶ ହାସଲ କରିଛନ୍ତି । ନଭେମ୍ବର, ୨୦୨୧ରେ କାମ ଆରମ୍ଭ ହେବା ପରଠାରୁ ମୁମ୍ବାଇ-ଅହମ୍ମଦାବାଦ କରିଡର ଲଗାତର ଭାବରେ ଅଗ୍ରଗତି କରୁଛି । ମୁମ୍ବାଇ-ଅହମ୍ମଦାବାଦ କରିଡର ପାଇଁ ୮ ଟି ନଦୀ ଉପରେ ସେତୁ ନିର୍ମାଣ ହୋଇସାରିଛି । ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧.୦୮ ଲକ୍ଷ କୋଟି ଟଙ୍କା । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ୧୦ ହଜାର କୋଟି ଟଙ୍କା ଏବଂ ଗୁଜୁରାଟ ଏବଂ ମହାରାଷ୍ଟ୍ରକୁ ୫୦୦୦ କୋଟି ଟଙ୍କା ଦେବାକୁ ପଡିବ। ଏହି ପ୍ରକଳ୍ପର ଅବଶିଷ୍ଟ ଟଙ୍କା ଜାପାନରୁ ୦.୧ ପ୍ରତିଶତ ସୁଧ ହାରରେ ଋଣ ଅଣାଯାଇଛି ।

Leave A Reply

Your email address will not be published.