Latest Odisha News

BREAKING NEWS

ଧର୍ମେନ୍ଦ୍ର ବନାମ ବବି: ସମ୍ବଲପୁର ଦେଖିବ କି ଚବିଶ ନିର୍ବାଚନର ସବୁଠୁ ବଡ ଲଢେଇ!

ଭୁବନେଶ୍ଵର: ମେଣ୍ଟ ଆଲୋଚନାରେ ଫୁଲଷ୍ଟପ୍ ପରେ ସମ୍ବଲପୁର ସମରସଜ୍ଜାକୁ ନେଇ ତେଜିଲାଣି ଚର୍ଚ୍ଚା । ଲୋକସଭା ମଇଦାନରୁ ବିଜେଡି ଓ ବିଜେପିର ହେଭିୱେଟ ନେତା ଓହ୍ଲାଇ ପାରନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିପକ୍ଷରେ ବିଜେଡି ସାଂଗଠନକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିପାରେ ଦଳ । ଏମିତି ହେଲେ ଚବିଶ ନିର୍ବାଚନରେ ଫୋକସରେ ରହିବ ସମ୍ବଲପୁର । ପଶ୍ଚିମ ଓଡିଶାକୁ ଘନଘନ ଗସ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସରକାରୀ ହେଉ କି ଦଳୀୟ କାର୍ଯ୍ୟକ୍ରମ ସବୁଠି ଧର୍ମେନ୍ଦ୍ରଙ୍କୁ ଦେଖିବାକୁ ମିଳୁଛି । ଏଥର ଓଡିଶାରୁ ଲୋକସଭା ନିର୍ବାଚନ ଲଢିବ ବୋଲି କହି ସାରିଛନ୍ତି ଧର୍ମେନ୍ଦ୍ର । ୨୦୦୯ରେ ହାରିବା ପରେ ପ୍ରଥମ ଥର ପ୍ରତ୍ୟକ୍ଷ ନିର୍ବାଚନ ଲଢିବେ ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀ ହେବା ପରେ ମଧ୍ୟ ଏହା ହେବ ତାଙ୍କର ପ୍ରଥମ ଅଗ୍ନିପରୀକ୍ଷା । ବିଜେପିର ପ୍ରାର୍ଥୀ ଘୋଷଣା ହୋଇନଥିଲେ ବି ଧର୍ମେନ୍ଦ୍ର ସମ୍ବଲପୁରରୁ ଲଢିବା ନେଇ ଅନେକ ଥର ସଂକେତ ଦେଇଛନ୍ତି । ଗତଥର ନିର୍ବାଚନରେ ପଶ୍ଚିମ ଓଡିଶାରେ ଭଲ ପ୍ରଦର୍ଶନ କରିଥିଲା ବିଜେପି । ଏଥର ଧର୍ମେନ୍ଦ୍ର ସମ୍ବଲପୁରରୁ ପ୍ରତିଦ୍ୱନ୍ଦ୍ୱିତା କଲେ ପଶ୍ଚିମରେ ବିଜେପିକୁ ବଡ ବୁଷ୍ଟ ମିଳିବ । ୨୦୧୯ରେ ବିଜେଡିର ନଳିନୀକାନ୍ତ ପ୍ରଧାନଙ୍କୁ ସମ୍ବଲପୁରରୁ ହରାଇଥିଲେ ବିଜେପିର ନୀତେଶ ଗଙ୍ଗଦେବ । ବିଜୟ ବ୍ୟବଧାନ ଥିଲା ମାତ୍ର ୯ହଜାର ୧୬୨ । ସମ୍ବଲପୁରରେ ବିଜେପିର ନିଜସ୍ୱ ଭୋଟ୍ ବ୍ୟାଙ୍କ ରହିଛି । ତେଣୁ ଧର୍ମେନ୍ଦ୍ରଙ୍କ ପାଇଁ ଏହା ସେଫ୍ ସିଟ୍ ହୋଇପାରେ ବୋଲି କୁହାଯାଉଛି । ରାଜ୍ୟସଭା ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଧର୍ମେନ୍ଦ୍ରଙ୍କ ନାଁ ଘୋଷଣା କରିନଥିବାରୁ ସେ ଓଡିଶାରୁ ନିର୍ବାଚନ ଲଢିବା ଏକପ୍ରକାର ନିଶ୍ଚିତ ହୋଇଛି ।

ଧର୍ମେନ୍ଦ୍ରଙ୍କ ବାଟ ଓଗାଳିବାକୁ ବହୁ ପୂର୍ବରୁ ପ୍ରସ୍ତୁତି କରିଛି ବିଜେଡି । କୁହାଯାଉଛି, ଧର୍ମେନ୍ଦ୍ରଙ୍କୁ ଚ୍ୟାଲେଞ୍ଜ କରିପାରନ୍ତି ବିଜେଡିର ପାୱାରଫୁଲ୍ ପ୍ରଣବ ପ୍ରକାଶ ଦାସ । ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା ହୋଇନଥିଲେ ବି ସଂଗଠନ ସଜାଡିବାକୁ ସ୍ୱତନ୍ତ୍ର ରଣନୀତି କରୁଛି ବିଜେଡି । କୌଣସି ପ୍ରକାରେ ଧର୍ମେନ୍ଦ୍ରଙ୍କ ବିଜୟ ରଥ ରୋକିବାକୁ ଚକ୍ରବ୍ୟୂହ ପ୍ରସ୍ତୁତ କରୁଛି ବିଜେଡି । ପୂର୍ବରୁ ବବିଙ୍କୁ ବିଜେଡିର ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ଫଳରେ ଲୋକଙ୍କ ସହ ସିଧାସଳଖ ଲୋକସଂପର୍କ ରଖୁଛନ୍ତି ବବି । ଫାଇଭ୍-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ସମ୍ବଲପୁର ଗସ୍ତ କରି ଫିଲଡ ପ୍ରସ୍ତୁତ କରୁଛନ୍ତି । ମାଆ ସମଲେଶ୍ୱରୀ ପ୍ରକଳ୍ପ ହେଉ କି ସ୍ଵାସ୍ଥ୍ୟ ଓ କ୍ରୀଡା ଭିତ୍ତିଭୂମିର ବିକାଶ, ସମ୍ବଲପୁରରେ ବିକାଶ କାର୍ଡ ଖେଳିବ ବିଜେଡି ।

ସମ୍ବଲପୁର ଲୋକସଭା ଆସନରୁ ୧୯୯୮ରୁ ୨୦୦୯ ଯାଏଁ ବିଜେଡିରୁ ସାଂସଦ ଥିଲେ ପ୍ରସନ୍ନ ଆଚାର୍ଯ୍ୟ । ୨୦୦୯ରେ କଂଗ୍ରେସରୁ ଅମରନାଥ ପ୍ରଧାନ ଓ ୨୦୧୪ରେ ବିଜେଡିର ନଗେନ୍ଦ୍ର ପ୍ରଧାନ ବିଜୟୀ ହୋଇଥିଲେ । ତେବେ ୨୦୧୯ରେ ବିଜେପିର ନୀତେଶ ଗଙ୍ଗଦେବ ବାଜିମାତ୍ କରିଥିଲେ । ସମ୍ବଲପୁରର କୁଚିଣ୍ଡା, ରେଙ୍ଗାଳୀ, ସମ୍ବଲପୁର, ରେଢାଖୋଲ, ଦେବଗଡ ଜିଲ୍ଲାର ଦେବଗଡ ଏବଂ ଅନୁଗୁଳର ଛେଣ୍ଡିପଦା ଓ ଆଠମଲ୍ଲିକ ବିଧାନସଭା ଆସନକୁ ନେଇ ରହିଛି ସମ୍ବଲପୁର ଲୋକସଭା ଆସନ । ମୋଟ୍ ୭ଟି ଆସନରୁ ବିଜେଡି ୪ଟି ଦଖଲ କରିଥିବା ବେଳେ ବିଜେପି କବଜାରେ ରହିଛି ୩ଟି ସିଟ୍ । ତେଣୁ ଚବିଶ ଲଢେଇରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବ । ସେପଟେ କଂଗ୍ରେସରୁ ପୁଣି ପିସିସି ସଭାପତି ଶରତ ପଟ୍ଟନାୟକ ସମ୍ବଲପୁରରୁ ଲଢିପାରନ୍ତି । ଦିନେ କଂଗ୍ରେସର ଗଡ ଥିବା ସମ୍ବଲପୁର ଲୋକସଭା କ୍ଷେତ୍ରରେ ଏବେ ହାତର ସଂଗଠନ ଦୁର୍ବଳ । ଏଥର ବିଜେଡି-ବିଜେପି ଟକ୍କରରୁ ଫାଇଦା ନେବ କି କଂଗ୍ରେସ, ତାଉପରେ ନଜର ରହିବ ।

 

Leave A Reply

Your email address will not be published.