Latest Odisha News

BREAKING NEWS

ଓ୍ବକଫ୍ ବିଲ ଯୋଗୁଁ ହେବ ଏସବୁ ପରିବର୍ତ୍ତନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲୋକସଭାରେ ଉପସ୍ଥାପନ କରିଛନ୍ତି ଓ୍ବକଫ୍ ସଂଶୋଧନ ବିଲ୍ । ବିରୋଧୀ ଓ ବିଭିନ୍ନ ମୁସଲିନ ସଂଗଠନ ବିଲକୁ ଜୋରଦାର ବିରୋଧ କରୁଛନ୍ତି । ଏହାଦ୍ବାରା ଦେଶରେ ଓ୍ବକଫ ସଂପତ୍ତିର ପରିଚାଳନାରେ ଉନ୍ନତି ଆସିବ ବୋଲି ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଯୁକ୍ତି ବାଢୁଛନ୍ତି । ବିରୋଧୀ ଏହାକୁ ସାମ୍ବିଧାନିକ ବିଧିବ୍ୟବସ୍ଥା ବିରୋଧୀ ବୋଲି କହୁଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଓ୍ବକଫ୍ ସଂଶୋଧନ ବିଲ୍ କ’ଣ? ଏହାଦ୍ବାରା କି କି ପରିବର୍ତ୍ତନ ହେବାକୁ ଯାଉଛି?

ଓ୍ବକଫ୍ ସଂଶୋଧନ ବିଲ୍ କ’ଣ?

ଦେଶରେ ଓ୍ବକଫ୍ ସଂପତ୍ତିର ପ୍ରଶାସନିକ କ୍ଷେତ୍ରରେ ସୁଧାର ଆଣିବା ଓ୍ବକଫ୍ ସଂଶୋଧନ ବିଲର ମୁଖ୍ୟ ଉଦ୍ଦେଶ୍ୟ ବୋଲି କେନ୍ଦ୍ର ସରକାର କହୁଛନ୍ତି। ଏଥିରେ ୧୯୯୫ ଓ୍ବକଫ ଆଇନରେ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖାଯାଇଛି । ସଂଶୋଧନ ଦ୍ବାରା ପୂର୍ବ ଆଇନରେ ରହିଥିବା ତ୍ରୁଟିକୁ ଦୂର କରିବା ସହ ଓ୍ବକଫ ବୋର୍ଡର ଦକ୍ଷତା ବୃଦ୍ଧି କରାଯିବ । ଓ୍ବକଫର ପରିଭାଷାକୁ ଅପଡେଟ୍ କରିବା ସହ ପଂଜୀକରଣ ପ୍ରକ୍ରିୟାରେ ଉନ୍ନତି କରାଯିବ । ଏହାସହ ଓ୍ବକଫ ରେକର୍ଡ ପରିଚାଳନା କ୍ଷେତ୍ରରେ ଟେକ୍ନୋଲୋଜିର ଭୂମିକା ବଢାଇବାରୁ ଲକ୍ଷ୍ୟ ରଖାଯାଇଛି ।

କେମିତି ଗରିବ ପାଇବେ ଲାଭ?

ଓ୍ବକଫ ସଂଶୋଧନ ବିଲ୍ ପାରିତ ହୋଇ ଲାଗୁ ହେଲେ ଏକ ଡିଜିଟାଲ ପୋର୍ଟାଲ ମାଧ୍ୟମରେ ଓ୍ବକଫ ସଂପତ୍ତିର ପରିଚାଳନା କରାଯିବ । ଫଳରେ ଟ୍ରାକିଂ, ଚିହ୍ନଟ ଓ ତଦାରଖରେ ଉନ୍ନତି ଆସିବା ସହ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ବଢିବ । ଭୁଲ ଆର୍ଥିକ ପରିଚାଳନାକୁ ରୋକାଯିବା, ଫଳରେ କଲ୍ୟାଣକାରୀ କ୍ଷେତ୍ରରେ ଅର୍ଥ ବିନିଯୋଗ ବଢିବ । ଓ୍ବକଫ୍ ଜମିର ଅପବ୍ୟବହାର ଓ ଅବୈଧ ଦଖଲ ରୋକିବା ଦ୍ବାରା ରାଜସ୍ବ ବଢିବ । ଫଳରେ ଆର୍ଥିକ ଅନଗ୍ରସରଙ୍କୁ ସ୍ବାସ୍ଥ୍ୟସେବା, ଶିକ୍ଷା ଭଳି ସହାୟତା ଯୋଗାଇ ଦିଆ ଯାଇପାରିବ। ନିୟମିତ ଯାଞ୍ଚ ଦ୍ବାରା ଆର୍ଥିକ ଶୃଙ୍ଖଳା ରକ୍ଷା କରାଯିବ । ଓ୍ବକଫ ପରିଚାଳନା ଉପରେ ଲୋକଙ୍କ ବିଶ୍ବାସ ବଢିବ ।

ବିଲ୍ ପାରିତ ହେବା ପରେ କ’ଣ ପରିବର୍ତ୍ତନ?

ସଂଶୋଧନ ବିଲ୍ ପାରିତ ହେବା ପରେ ଆଇନରେ ବଡ଼ ପରିବର୍ତ୍ତନ ଆସିବ । ବୋର୍ଡ ସଦସ୍ୟ ଭାବେ ଅଣମୁସଲିମଙ୍କୁ ସାମିଲ କରିବା ବାଧ୍ୟତାମୂଳକ ହେବ । ବୋର୍ଡରେ ୨ଜଣ ମହିଳା ଓ ଅନ୍ୟ ଧର୍ମର ୨ଜଣ ରହିପାରିବେ । ଆଇନ କାର୍ଯ୍ୟକାରୀ ହେବାର ଛଅ ମାସ ମଧ୍ୟରେ ପ୍ରତ୍ୟେକ ଓ୍ବକଫ୍ ସଂପତ୍ତିକୁ କେନ୍ଦ୍ରୀୟ ଡାଟାବେସରେ ପଂଜୀକୃତ କରିବାକୁ ପଡିବ । ତେବେ କିଛି କ୍ଷେତ୍ରରେ ସମୟ ସୀମା ବଢିପାରେ । ବିବାଦ କ୍ଷେତ୍ରରେ, ରାଜ୍ୟ ସରକାରଙ୍କ ଅଧିକାରୀ, ସଂପତ୍ତି ଓ୍ବକଫର ନା ସରକାରଙ୍କର ତାହା ନିର୍ଣ୍ଣୟ କରିବାର ଅଧିକାର ରହିବ । କେବଳ ଦାନ ଭାବେ ପାଇଥିବା ସଂପତ୍ତି ଓ୍ବକଫର ହେବ । ଜମିକୁ ନେଇ ଟ୍ରିବ୍ୟୁନାଲ, ରାଜସ୍ବ ଅଦାଲତରେ ଅପିଲ୍ କରିପାରିବେ । ନିଜ ନାଁରେ ଥିବା ଜମିକୁ ହିଁ ଓ୍ବକଫ୍ ବୋର୍ଡକୁ ଦାନରେ ଦେଇହେବ । ଓ୍ବକଫ୍-ଅଲ୍-ଔଲାଦ ଅଧୀନରେ ମହିଳାଙ୍କୁ ମଧ୍ୟ ଓ୍ବକଫ୍ ଜମିର ଉତ୍ତରାଧିକାରୀ ଭାବେ ବିବେଚନା କରାଯିବ ।

କାହିଁକି ବିଲକୁ ବିରୋଧ?

ଓ୍ବକଫ୍ ବିଲ ବିରୋଧରେ ସ୍ବର ଉଠାଇଛନ୍ତି ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓବେସି । ବିଲର ଉଦ୍ଦେଶ୍ୟ ମସଲମାନଙ୍କ ଧାର୍ମିକ ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇବା ବୋଲି ସେ କହିଛନ୍ତି । ବିଭିନ୍ନ ମୁସଲିମ୍ ସଂଗଠନ ମଧ୍ୟ ବିଲକୁ ବିରୋଧ କରୁଛନ୍ତି । ସେମାନଙ୍କ ମତରେ ବିଲ୍ ପାରିତ ହୋଇ ଲାଗୁ ହେଲେ, ଓ୍ବକଫ୍ ସଂପତ୍ତି ନେଇ ଓ୍ବକଫ୍ ଟ୍ରିବ୍ୟୁନାଲର ନିଷ୍ପତ୍ତି ଅନ୍ତିମ ହେବନି । ମାଲିକାନା ନେଇ କଲେକ୍ଟରଙ୍କ ନିଷ୍ପତ୍ତି ଚୂଡାନ୍ତ ନିଷ୍ପତ୍ତି ହେବ । ତେଣୁ ଓ୍ବକଫ୍ ସଂଶୋଧନ ବିଲ୍ ସମ୍ବିଧାନ ଦ୍ବାରା ପ୍ରଦାନ କରାଯାଇଥିବା ଧାର୍ମିକ ସ୍ବାଧୀନତା ବିରୋଧୀ । ସମ୍ବିଧାନର ଅନୁଚ୍ଛେଦ ୧୪,୧୫ ଓ ୨୫ର ଏହା ଉଲ୍ଲଂଘନ ବୋଲି ଅଭିଯୋଗ ହେଉଛି । ବିରୋଧୀ ଦଳ ମଧ୍ୟ ଏହାକୁ ଅସାମ୍ବିଧାନିକ ଓ ମୁସଲିମଙ୍କ ପ୍ରତି ଭେଦଭାବପୂର୍ଣ୍ଣ ବୋଲି କହୁଛି । ଅଲ୍ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ମଧ୍ୟ ଏହା ବିରୋଧରେ ସ୍ବର ଉଠାଇଛି । ଓ୍ବକଫ୍ ବିଲରେ ସଂଶୋଧନ ପାଇଁ ଗତବର୍ଷ ଅଗଷ୍ଟରେ ସଂସଦରେ ବିଲ୍ ଉପସ୍ଥାପନ କରାଯାଇଥିଲା। ବିରୋଧୀ ଓ ବିଭିନ୍ନ ମୁସଲିମ ସଂଗଠନର ବିରୋଧ ପରେ ବିଲକୁ ଜେପିସିକୁ ପଠାଯାଇଥିଲା । ଜେପିସି ବିଲରେ ୧୪ଟି ସଂଶୋଧନକୁ ମଂଜୁରୀ ଦେଇଛି ।

Comments are closed.