ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଫେଲ୍ ମାରିଲା ଶରଦ ପାଓ୍ବାରଙ୍କ ଗୋଟି । ଶାସକ ଦଳରେ ରୁହନ୍ତୁ କି ବିରୋଧୀ ଦଳରେ, ସବୁବେଳେ ନିଜ ପାଓ୍ବାର ଦେଖାଇ ଆସିଛନ୍ତି ଶରଦ ପାଓ୍ବାର । ହେଲେ ଏଥର ବିଧାନସଭା ଫଳାଫଳ ତାଙ୍କର ସବୁ ଅଙ୍କକଷାକୁ ଭୁଲ ପ୍ରମାଣିତ କରିଛି । ନିର୍ବାଚନ ବିପର୍ଯ୍ୟୟ ସହ ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ କୁହାଯାଉଥିବା ଶରଦ ପାଓ୍ବାର ଓ ତାଙ୍କ ନେତୃତ୍ବାଧୀନ ଏନସିପିର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି । ୮୯ଟି ସିଟରେ ଲଢି ମାତ୍ର ୧୦ଟିରେ ବିଜୟୀ ହୋଇଛି ଶରଦ ପାଓ୍ବାରଙ୍କ ଏନସିପି । ମାତ୍ର ୧୧ପ୍ରତିଶତ ବିଜୟ ହିସାବ ସହ ଏହା ହେଉଛି ଶରଦ ପାଓ୍ବାରଙ୍କର ସବୁଠୁ ଖରାପ ପରଫର୍ମାନ୍ସ । ସେପଟେ ପୁତୁରା ଅଜିତଙ୍କ ଏନସିପି ୪୧ଟିରେ ଜିତିଛି । ଅର୍ଥାତ ଜନତାଙ୍କ ଅଦାଲତରେ ଅଜିତ ହିଁ ସାବ୍ୟସ୍ତ ହୋଇଛନ୍ତି ହିରୋ ।
ଅଜିତଙ୍କ ସହ ‘ଘଣ୍ଟା’
ଲୋକସଭା ନିର୍ବାଚନ ଫଳାଫଳ ପରେ ଉତ୍ସାହିତ ଶରଦ ପାଓ୍ବାର ଏଥର ବିଧାନସଭା ଲଢେଇ ବି ନିଜ ଷ୍ଟାଇଲରେ ଲଢିଥିଲେ । ତାଙ୍କ ନେତୃତ୍ବାଧୀନ ଏନସିପି ଲଢୁଥିବା ସମସ୍ତ ସିଟରେ ନିଜେ ପ୍ରାର୍ଥୀ ବାଛିଥିଲେ । ଅଜିତ ପାଓ୍ବାରଙ୍କ ସହ ଥିବା ବିଦ୍ରୋହୀ ପ୍ରାର୍ଥୀଙ୍କ ବିପକ୍ଷରେ ମରାଠା ପ୍ରାର୍ଥୀଙ୍କୁ ଠିଆ କରାଇଥିଲେ । କାରଣ ଥିଲା ମରାଠା ଅସନ୍ତୋଷକୁ ଅସ୍ତ୍ର କରିବା । ଏପରିକି ବାରାମତୀରେ ଅଜିତ ପାଓ୍ବାରଙ୍କ ବିପକ୍ଷରେ ନିଜ ପରିବାରରୁ ହିଁ ଯୁଗେନ୍ଦ୍ର ପାଓ୍ବାରଙ୍କୁ ପ୍ରାର୍ଥୀ କରିଥିଲେ । ବିଦ୍ରୋହୀଙ୍କ ବିରୋଧରେ ପ୍ରଚାର କରିବାକୁ ମଇଦାନକୁ ନିଜେ ଓହ୍ଲାଇଥିଲେ ଶରଦ ପାଓ୍ବାର । ହେଲେ କାମ ଦେଲାନି ପାଓ୍ବାରଙ୍କ ଗୋଟି । ବାରାମତୀରେ ଲକ୍ଷାଧିକ ଭୋଟରେ ଜିତିଲେ ଅଜିତ ପାଓ୍ବାର । ଦିଲ୍ଲୀପ ଓ୍ବାସଲେ ପାଟିଲ ହୁଅନ୍ତୁ କି ଧନଞ୍ଜୟ ମୁଣ୍ଡେ ଅଜିତଙ୍କ ପ୍ରାର୍ଥୀ ବି ଶରଦଙ୍କ ପ୍ରାର୍ଥୀଙ୍କୁ ଅଧିକାଂଶ ଜାଗାରେ ମାତ୍ ଦେଇ ବିଜୟୀ ହେଲେ।
କାହିଁକି ରିପିଟ୍ ହେଲାନି ଲୋକସଭା ମ୍ୟାଜିକ୍?
ମାତ୍ର ପାଞ୍ଚମାସ ପୂର୍ବରୁ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ର ଦେଇଥିଲା ଭିନ୍ନ ମତ । ତେବେ ବିଧାନସଭାରେ ସମାନ ମ୍ୟାଜିକ ରିପିଟ୍ ହେଲାନି। ଲୋକସଭାରେ ମାତ୍ର ଗୋଟିଏ ସିଟ୍ ଜିତିଥିବା ଅଜିତ ପାଓ୍ବାର ବିଧାନସଭାରେ ପୁରୁଣା ଭୁଲ ସୁଧାରି ଜବରଦସ୍ତ ପରଫର୍ମାନ୍ସ କଲେ । ସେପଟେ ଲୋକସଭାରେ ୮ଟି ସିଟ୍ ଜିତି ଉତ୍ସାହିତ ଶରଦ ପାଓ୍ବାର ସେଭଳି ମ୍ୟାଜିକ କରିପାରିଲେନି । ଲାଡକି ଭେନ୍ ଯୋଜନାର ପ୍ରଭାବକୁ କଳି ଗୋଲାପୀ ରଙ୍ଗକୁ ପ୍ରଚାର ରଙ୍ଗ ଭାବେ ଦେଖାଇଲେ ଅଜିତ ପାଓ୍ବାର । ବାରାମତୀ ହେଉ କି ଅନ୍ୟ ବିଧାନସଭା ସିଟ୍ ପାଓ୍ବାର ବନାମ ପାଓ୍ବାର ଲଢେଇରେ ଅଜିତ ପ୍ରମାଣିତ କଲେ ତାଙ୍କ ଦଳ ହିଁ ଅସଲି ଏନସିପି । କେଉଁଠି ନା କେଉଁଠି ଅଜିତଙ୍କ ପାଓ୍ବାରକୁ ମାପିବାରେ ଭୁଲ କରିଦେଲେ ଶରଦ ପାଓ୍ବାର ।
ରିଟାୟର ହେବେ କି ଶରଦ ପାଓ୍ବାର?
ଗତ ୬ଦଶନ୍ଧୀ ଧରି ମହାରାଷ୍ଟ୍ର ରାଜନୀତିରେ ବଡ ଫ୍ୟାକ୍ଟର ସାଜିଥିବା ଶରଦ ପାଓ୍ବାର ନିର୍ବାଚନ ରାଜନୀତିରୁ ଅବସର ନେବା ନେଇ ପ୍ରଚାର ବେଳେ ହିଁ ସଙ୍କେତ ଦେଇଥିଲେ । ଆଗକୁ କୌଣସି ନିର୍ବାଚନ ଲଢିବେନି, ନବାଗତଙ୍କୁ ରାଜନୀତିର ପାଠଶାଳାରେ ଶିଖାଇବେ ବୋଲି କହିଥିଲେ ପାଓ୍ବାର । ତେବେ ମହାରାଷ୍ଟ୍ର ବିଧାନସଭା ଫଳ ଶରଦ ପାଓ୍ବାରଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛି । ପ୍ରଚଣ୍ଡ ବହୁମତ ପରେ ମହାୟୁତି ସରକାର ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସ୍ଥିର ଭାବେ ଶାସନରେ ରହିବ । ଏବେ ୮୩ବର୍ଷର ଶରଦ ପାଓ୍ବାରଙ୍କୁ ଆଗାମୀ ବିଧାନସଭା ନିର୍ବାଚନ ବେଳକୁ ୮୮ବର୍ଷ ହୋଇଥିବ । ବିଧାନସଭାରେ ଭଲ ପ୍ରଦର୍ଶନ କରିଥିବା ଅଜିତ ପାଓ୍ବାର ଆଗକୁ ଶରଦଙ୍କ ଲିଗାସି ଦାବି କରିବାକୁ ଯୋଜନା କରିବେ । ଏପରିକି ଶରଦଙ୍କ ଗୋଷ୍ଠୀର ବିଜୟୀ ପ୍ରାର୍ଥୀ ବି ଦଳବଦଳ କରି ଅଜିତଙ୍କ ପାଖକୁ ଯାଇପାରନ୍ତି । କାରଣ ମହାରାଷ୍ଟ୍ରରେ ଯୁଆଡେ କ୍ଷମତା ସିଆଡେ ନେତା ଥିଓରୀ ବେଶ୍ ଦେଖିବାକୁ ମିଳେ । ସେଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ଦଳ ସହ ନିଜ ରାଜନୈତିକ ଅସ୍ତିତ୍ବ ବଞ୍ଚାଇ ପାରିବେ କି ଶରଦ ପାଓ୍ବାର? ମହାରାଷ୍ଚ୍ର ଚାଣକ୍ୟ ଅବସର ନେବେ ନା ରାଜନୀତିରେ ଦେଖାଇବେ ଦମ୍? ବିଧାନସଭା ବିପର୍ଯ୍ୟୟ ପରେ ବିଏମସି ନିର୍ବାଚନ ଶରଦଙ୍କ ପାଇଁ ଶେଷ ଅଗ୍ନିପରୀକ୍ଷା ହୋଇପାରେ ।