Latest Odisha News

BREAKING NEWS

ଆରମ୍ଭ ହେଲା ପୌଷମାସ; କ’ଣ କରିବା ଉଚିତ୍ ଓ ଅନୁଚିତ, ଜାଣନ୍ତୁ…

ଭୁବନେଶ୍ୱର: ପବିତ୍ର ଧନୁସଂକ୍ରାନ୍ତି ଠାରୁ ଆରମ୍ଭ ହୁଏ ପୌଷମାସ । ପୌଷ ମାସରେ ହେମନ୍ତ ଋତୁ ପ୍ରଭାବରୁ ଶୀତ ପଡିଥାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ମାସରେ ସୂର୍ଯ୍ୟଦେବଙ୍କ ୧୧ଟି କିରଣ ମନୁଷ୍ୟ ଶରୀରରେ ଆରୋଗ୍ୟତା ଓ ଉର୍ଜା ପ୍ରଦାନ କରିଥାଏ । ମାତ୍ର ଆମ ହିନ୍ଦୁଶାସ୍ତ୍ର ଅନୁଯାୟୀ ଏହି ମାସରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ ।

ଏହି ମାସରେ ବିବାହ କାର୍ଯ୍ୟ କି ଏ ନେଇ କୌଣସି କଥା ଆଗେଇବା ବାରଣ କରାଯାଇଛି । ଏହି ମାସରେ ଭୂମି ପୂଜନ, ଗୃହପ୍ରବେଶ ଏହିପରି କିଛି ଶୁଭକାର୍ଯ୍ୟ କରାଯାଇନଥାଏ ।

କିନ୍ତୁ ଏହି ମାସରେ ସୂର୍ଯ୍ୟଦେବଙ୍କ ପୂଜାର ଏକ ବିଶେଷ ମହତ୍ୱ ରହିଛି । ପୌରାଣିକ ତଥ୍ୟ ଅନୁସାରେ ସୂର୍ଯ୍ୟଦେବ ହେଉଛନ୍ତି ଗ୍ରହରାଜ ବା ଆଦ୍ୟପୂଜ୍ୟ । ମନୋକାମନା ପୂର୍ଣ୍ଣ ପାଇଁ ପ୍ରତି ମାସରେ ସୂର୍ଯ୍ୟଦେବଙ୍କୁ ଏକ ବିଶିଷ୍ଟ ରୂପେ ପୂଜା କରିବା ବିଧାନ ରହିଛି ।

ଏହି ପୌଷ ମାସରେ ‘ଭଗ‘ ନାମ ହିସାବରେ ସୂର୍ଯ୍ୟଙ୍କୁ ଉପାସନା କରାଯାଏ । ଅଥର୍ବବେଦ ଓ ସୂର୍ଯ୍ୟୋପନିଷଦରେ ସୂର୍ଯ୍ୟଦେବଙ୍କୁ ‘ପରମବ୍ରହ୍ମ‘ ନାମରେ ଆଖ୍ୟା ଦିଆଯାଇଛି । ଏହି ମାସରେ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବ ‘ରକ୍ତ‘ ବର୍ଣ୍ଣର ହୋଇଥାନ୍ତି ।

ଏହି ମାସରେ ପ୍ରାତଃ କାଳରେ ସୂର୍ଯ୍ୟୋଦୟ ସମୟରେ ଏବଂ ସାୟଂ କାଳରେ ସୂର୍ଯ୍ୟାସ୍ଥ ସମୟରେ ଅର୍ଘ୍ୟ ପ୍ରଦାନ କଲେ ସୂର୍ଯ୍ୟଦେବଙ୍କ କୃପା ସହ ଆରୋଗ୍ୟତା, ଧନଧାନ୍ୟ, ପୁତ୍ର, ଯଶ, ସମ୍ମାନ, ବିଦ୍ୟା, ବୈଭବ, ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ତମ୍ବା କଳସରେ ଅର୍ଘ୍ୟ ଜଳରେ ଗୁଡ଼, ସିନ୍ଦୁର, ରାଶି ମିଶେଇ ଲାଲ ମନ୍ଦାର ଅର୍ପଣ କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବା ବିଧେୟ ।

ପ୍ରତି ରବିବାର ଦିନ ପ୍ରାତଃ କାଳରେ ଓ ସାୟଂ କାଳରେ “ଓଁ ଘୃଣି ସୂର୍ଯ୍ୟାୟ ନମଃ” ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ; ରବିବାର ଦିନ ବ୍ରତ ରଖି ଶୁଦ୍ଧ ସାକାହାରୀ ଏବଂ ବିନା ଲୁଣ ମିଶ୍ରିତ ଭୋଜନ କରିବା ଆବଶ୍ୟକ ।

କିନ୍ତୁ ବ୍ରତ ରଖିବା ଦିନ କେବଳ ଫଳାହାର କରିପାରିଲେ ଆହୁରି ଅଧିକ ଫଳଦାୟୀ ହୋଇଥାଏ । ରବିବାର ଦିନ ସୂର୍ଯ୍ୟଦେବଙ୍କୁ ତିଳମିଶା ଅନ୍ନ ଭୋଗ ଲଗାନ୍ତୁ । ଏହାଦ୍ୱାରା ସୂର୍ଯ୍ୟଦେବଙ୍କ ଠାରୁ ତେଜସ୍ୱିବାନର ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Leave A Reply

Your email address will not be published.