Latest Odisha News

BREAKING NEWS

ଘେରିବେ ନା ଛାଡିଦେବେ ?

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ କେମିତି ରହିବ ବିଜେଡି-ବିଜେପି ସଂପର୍କ ? ନିର୍ବାଚନ ପୂର୍ବରୁ ଉଭୟ ଦଳ ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ନେଇ ଆଲୋଚନା ହେଲା । ମେଣ୍ଟ ହେଲାନି, ତ ନିର୍ବାଚନ ପ୍ରଚାରରେ ମୁହାଁମୁହିଁ ହେଲେ ବିଜେଡି ଓ ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ କି କେନ୍ଦ୍ର ବିଜେପିର ହେଭିଓ୍ବେଟ୍ ନେତା, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ବାରମ୍ବାର ଟାର୍ଗେଟ୍ କଲେ। ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିବା ସହ ଓଡିଆ ଅସ୍ମିତା କାର୍ଡ ଖେଳିଲା ବିଜେପି ତ ନିଜେ ନବୀନ ସାମନାକୁ ଆସି ଦେଲେ ଜବାବ । ପାଣ୍ଡିଆନ ବି ମୋଦିଙ୍କୁ ସିଧାସଳଖ ପ୍ରଶ୍ନ କଲେ । ପୂରା ନିର୍ବାଚନ ସମୟରେ ଆଟାକିଂ ମୋଡରେ ରହିଥିଲା ବିଜେପି। ତେବେ ପ୍ରଶ୍ନ ଉଠୁଛି, ସରକାର ଗଠନ ପରେ କେମିତି ରହିବ ବିଜେଡିର ଆଭିମୁଖ୍ୟ ? ବିଧାନସଭା ହେଉ କି ବାହାରେ, ବିଜେପିକୁ ଘେରିବ ନା ଛାଡିଦେବ ?

ଗଲା କଥା ଗଲା !

ନିର୍ବାଚନରେ ଏଥର ବିଜେଡି ଓ ବିଜେପି ମଧ୍ୟରେ ଦେଖିବାକୁ ମିଳିଥିଲା ଆରପାରର ଲଢେଇ । ବିଜେପି ନେତା ସିଧାସଳଖ ଟାର୍ଗେଟ୍ କରିଥିଲେ ତ ବିଜେଡି ମୁହଁତୋଡ୍ ଜବାବ ଦେଇଥିଲା। ହେଲେ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା, ନୀତିନ ଗଡକରୀ, ଜେପି ନଡ୍ଡାଙ୍କ ପରି କେନ୍ଦ୍ରୀୟ ନେତା ନବୀନଙ୍କୁ ସ୍ବାଗତ କରିଥିଲେ। ନବୀନ ବି ବେଶ୍ ଖୁସି ନଜର ଆସିଥିଲେ। ଷ୍ଟେଜ୍ ଉପରର ଏଦୃଶ୍ୟ କେବଳ ଫର୍ମାଲିଟି ଥିଲା ନା ଏଥିରେ ଲୁଚିଛି ବିଜେଡି-ବିଜେପି ସଂପର୍କର ଭବିଷ୍ୟତ ? ନିର୍ବାଚନ ବେଳର ସବୁ ଆରୋପ ପ୍ରତ୍ୟାରୋପକୁ ଭୁଲି ପୁଣି ଦୁଇ ଦଳ ମଧ୍ୟରେ ରହିବ କି ବହୁଚର୍ଚ୍ଚିତ ଅଦେଖା ସମଝୌତା ?

ଏଯାଏଁ ଚୁପ୍ ବିଜେଡି

ବିଜେପି ବହୁମତ ପାଇବା ପରଠୁ ବିଜେଡି କୌଣସି ପ୍ରସଙ୍ଗରେ ଏପର୍ଯ୍ୟନ୍ତ ମୁହଁ ଖୋଲିନି। ମୁଖ୍ୟମନ୍ତ୍ରୀ ଚୟନ ହେଉ କି ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନରେ ବିଳମ୍ବ, ବିଜେପି ସରକାରକୁ ସମାଲୋଚନା କରିନି ବିଜେଡି। ଶପଥ ଗ୍ରହଣ ଉତ୍ସବରେ ବିଜେପିର ଶକ୍ତି ପ୍ରଦର୍ଶନ, ପ୍ରଥମ କ୍ୟାବିନେଟ୍ ନିଷ୍ପତ୍ତି ନେଇ ବି ପଦେ କହିନାହାନ୍ତି ବିଜେଡି ନେତା। ବିଜେଡିର ଏଭଳି ନିରବତାକୁ ନେଇ ବି ପ୍ରଶ୍ନ ଉଠୁଛି । କାହିଁକି ଚୁପ୍ ରହିଛନ୍ତି ବିଜେଡି ନେତା? ବିରୋଧୀ ଦଳ ଭାବେ ଭଲ ସଂଖ୍ୟା ପାଇଥିଲେ ବି କାହିଁକି ନିରବ? ନା ଦଳର ବରିଷ୍ଠ ନେତା ମୁହଁ ଖୋଲୁଛନ୍ତି ନା ମୁଖପାତ୍ର ।

କାହିଁକି ବିଜେଡି ମୁହଁରେ ତାଲା?

ବିଜେଡିର ଅନେକ ନେତା ବିଭିନ୍ନ ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି। ଖଣି ଦୁର୍ନୀତି ହେଉ କି ଚିଟଫଣ୍ଡ ଠକେଇ, ବିଭିନ୍ନ ଅନିୟମିତତା ମାମଲାରେ ନାଁ ଯୋଡି ହୋଇଛି । ବିଜେଡି ସରକାରରେ ଥିବା ବେଳେ ଏମାନଙ୍କ ପାଇଁ ଢାଲ ସାଜିଥିଲା । ହେଲେ ବିଜେପି  ସରକାରକୁ ଆସିବା ପରଠୁ ସେମାନଙ୍କ ମନରେ ଛନକା ପଶିଥିବା ଚର୍ଚ୍ଚା ହେଉଛି । କେନ୍ଦ୍ରରେ ବିଜେପି ସରକାର ରହିଥିବାରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କୁ ଅସ୍ତ୍ର କରି ଟାର୍ଗେଟ୍ କରିବା ଭୟ ବି ରହିଛି । ସେଥିପାଇଁ ବିଜେପି ସରକାରକୁ ସମାଲୋଚନା କରିବାକୁ ଡରୁଛନ୍ତି କି ବିଜେଡି ନେତା?

କେବେ ବିରୋଧ କେବେ ବନ୍ଧୁ

ବିଜେଡି ବିଜେପି ସଂପର୍କ ସମୟ ସହ ବଦଳିଛି। ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଏକାଠି ସରକାରରେ ରହିଥିଲେ ବିଜେଡି ଓ ବିଜେପି । ହେଲେ ପରେ ଏକା ଏକା ନିର୍ବାଚନ ଲଢିଲେ । ୨୦୧୯ରେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ସାଜିଲା ବିଜେପି । ତେବେ ରାଜ୍ୟରେ ବିଜେପି ବିଜେଡିକୁ ସେଭଳି ଜୋରଦାର ବିରୋଧ କରୁନଥିଲା । ବିଜେଡି ବି ୨୦୧୯ ପରଠୁ କେନ୍ଦ୍ରୀୟ ଅବହେଳାକୁ ନେଇ ସେତେ ତୁମ୍ବିତୋଫାନ କରିନଥିଲା। ଯେତେବେଳେ ବିରୋଧ କଲେ ବି ଟାର୍ଗେଟରେ ରାଜ୍ୟ ବିଜେପି ରହୁଥିଲେ ବି ମୋଦି ସରକାରକୁ ସିଧାସଳଖ କିଛି କହୁନଥିଲେ ବିଜେଡି ନେତା। କେନ୍ଦ୍ରରେ ମୋଦି ସରକାରଙ୍କ ପାଇଁ ବିପଦ ବେଳର ବନ୍ଧୁ ସାଜିଥିଲା ବିଜେଡି । ଯେକୌଣସି ବିଲକୁ ନେଇ ସଂଖ୍ୟା ସଂକଟ ବେଳେ ବିଜେଡି ପଚାରିବା ଆଗରୁ ହିଁ ବଢାଇଥିଲା ସହଯୋଗର ହାତ । ସରକାରରେ ନରହି ବି ମନଖୋଲା ସମର୍ଥନ କରିଥିଲା। ନିର୍ବାଚନ ପୂର୍ବରୁ ଉଭୟ ଦଳ ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ହେଲା। ମେଣ୍ଟ ତ ହେଲାନି ନିର୍ବାଚନ ଫଳାଫଳରେ ରାଜ୍ୟରେ ବଦଳିଲା କ୍ଷମତା ସମୀକରଣ । ବିଜେପି ସରକାରରେ ତ ବିରୋଧୀ ସିଟରେ ବିଜେଡି । ଏପର୍ଯ୍ୟନ୍ତ ଚୁପ୍ ବସିଥିବା ବିଜେଡିର ଆଭିମୁଖ୍ୟ ଆଗକୁ କଣ ରହିବ ? ବିଜେପିକୁ ସମାଲୋଚନା ନକରି ଚୁପ୍ ରହିଲେ ଲୋକଙ୍କ ପାଖରେ ମୁହଁ ଦେଖାଇ ପାରିବନି । ବିଜେଡିର ବିଶ୍ବାସନୀୟତା ନେଇ ପ୍ରଶ୍ନ ଉଠିବ। ଗଣମାଧ୍ୟମ ବି କାଠଗଡାକୁ ଟାଣିବ । ସମାଲୋଚନା କଲେ ଦଳର କିଛି ନେତାଙ୍କୁ ଏହାର ଫଳ ବି ଭୋଗିବାକୁ ପଡିପାରେ । ଏଥର ଲୋକସଭାରେ ବିଜେଡି ଶୂନ ରହିଥିବାରୁ ଦିଲ୍ଲୀ ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠୁନି । ତେବେ ରାଜ୍ୟରେ ବିଜେପି ପ୍ରତି  ବିଜେଡିର ଆଭିମୁଖ୍ୟ କିଭଳି ରହିବ, ତା ଉପରେ ଦଳର ଭବିଷ୍ୟତ ନିର୍ଭର କରିପାରେ।

Leave A Reply

Your email address will not be published.