Latest Odisha News

ଟି୨୦ ବିଶ୍ୱକପ ଦ୍ୱିତୀୟ ସେମିଫାଇନାଲ : ପ୍ରତିଶୋଧ ଲକ୍ଷ୍ୟରେ ଭାରତ

ଗୁୟାନା: ବର୍ଷା ଆଶଙ୍କା ମଧ୍ୟରେ ୨୦୦୭ ଉଦଘାଟନୀ ସଂସ୍କରଣର ଚାମ୍ପିଅନ ଭାରତ ଓ ଦୁଇ ଥରର ବିଜେତା ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚଳିତ ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ । ଗୁୟାନାରେ ଖେଳାଯିବ ମ୍ୟାଚ୍ । ଯଦି ବର୍ଷା ବାଧକ ସାଜେ, ତାହା ହେଲେ ଏହି ମ୍ୟାଚ୍ ପାଇଁ ରିଜର୍ଭ ଡେ’ ନାହିଁ । ବର୍ଷା ହେଲେ ୨୫୦ ମିନିଟ୍ ଅତିରିକ୍ତ ସମୟ ରଖାଯାଇଛି । ଯଦି ଅତିରିକ୍ତ ୨୫୦ ମିନିଟ ମଧ୍ୟରେ ବି ଖେଳ ସମ୍ଭବ ନୁହେଁ , ତାହା ହେଲେ ନିୟମ ଅନୁସାରେ ଭାରତ ସୁପର ଏଇଟ୍ ଗ୍ରୁପ୍ -୧ ରେ ଶୀର୍ଷ ସ୍ଥାନରେ ରହିଥିବାରୁ ଫାଇନାଲରେ ପହଂଚିବ ।

ତେବେ, କ୍ରିକେଟପ୍ରେମୀ ଆଶା କରିବେ ଯେ, ବର୍ଷା ନ ହୋଇ ସଂପୂର୍ଣ୍ଣ ମ୍ୟାଚ ହେଉ । ଲଗାତର ଦ୍ୱିତୀୟ ଥର ଭାରତ ଓ ଇଂଲଣ୍ଡ ଟି-୨୦ ବିଶ୍ୱକପରେ ସେମିଫାଇନାଲରେ ମୁହାଁମୁହିଁ ହେବେ । ପୂର୍ବରୁ ଦୁଇ ଦଳ ୨୦୨୨ରେ ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପର ସେମିଫାଇନାଲରେ ଖେଳିଥିଲେ । ଇଂଲଣ୍ଡ ଭାରତକୁ ୧୦ ୱିକେଟର ହରାଇଥିଲା । ଏଥର ସେହି ଲଜ୍ଜାଜନକ ପରାଜୟର ପ୍ରତିଶୋଧ ନେଇପାରିବ କି ଭାରତ ?ଗତ ସଂସ୍କରଣର ସେମିଫାଇନାଲରେ ଦୁର୍ବଳ ବ୍ୟାଟିଂ ଭାରତର ପରାଜୟର କାରଣ ହୋଇଥିଲା । ଏଥର କିନ୍ତୁ ଭାରତର ବ୍ୟାଟିଂ ଲାଇନ୍ ଅପ୍ ପୂର୍ବାପେକ୍ଷା ଶକ୍ତିଶାଳୀ ରହିଛି । ଓପନିଂ କରୁଥିବା ବିରାଟ କୋହଲୀଙ୍କ ଖରାପ ଫର୍ମ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଇଂଲଣ୍ଡର ଉଭୟ ପେସ୍ ଓ ସ୍ପିନ ଆଟାକ ଭଲ ରହିଛି । ବିଶେଷ କରି ଆଦିଲ ରସିଦ, ମୋଇନ ଖାନ ଓ ଲିଭିଂଷ୍ଟୋନଙ୍କ ସ୍ପିନ ବୋଲିଂର ଭାରତୀୟ ବ୍ୟାଟରମାନେ କିପରି ମୁକାବିଲା କରିବେ,ତାହା ଦେଖିବାକୁ ପଡିବ । ଭାରତୀୟ ବୋଲିଂ ମଧ୍ୟ ଉନ୍ନତ ଜଣାପଡୁଛି ।

ତେବେ ଜବରଦସ୍ତ ଫର୍ମରେ ଥିବା ଇଂଲଣ୍ଡର କ୍ୟାପଟେନ ଓପ୍ନର ଜୋସ୍ ବଟଲର ଓ ଫିଲିପ ସଲ୍ଟ ଭାରତୀୟ ବୋଲରଙ୍କ ପାଇଁ ଚିନ୍ତାର କାରଣ ହୋଇପାରନ୍ତି । ଉଭୟ ବ୍ୟାଟ୍ ଓ ବଲରେ ରବୀନ୍ଦ୍ର ଜାଡେଜା ଏ ଯାଏଁ କିଛି ଖାସ୍ ପ୍ରଦର୍ଶନ କରିପାରିନାହାନ୍ତି । ସେମିଫାଇନାଲରେ ଜାଡେଜା ଭଲ ପ୍ରଦର୍ଶନ କରି ଭାରତ ପାଇଁ ବିଜୟରେ ସହାୟକ ହୋଇପାରିବେ କି ?ଦକ୍ଷିଣ ଆଫ୍ରିକା ପରେ ଟିମ୍ ଇଣ୍ଡିଆକୁ କେହି କେହି ଚୋକର କହିବା ଆରମ୍ଭ କଲେଣି । ଏହାର କାରଣ ବି ରହିଛି । କାରଣ ଗତ କିଛି ବର୍ଷ ଧରି ଟିମ୍ ଇଣ୍ଡିଆ ଟି-୨୦ ଓ ଦିନିକିଆ ବିଶ୍ୱକପର ସେମିଫାଇନାଲ ଓ ଫାଇନାଲରେ ଝୁଂଟି ଟାଇଟଲରୁ ବଂଚିତ ହୋଇଛି । ୨୦୧୯ ଦିନିକିଆ ବିଶ୍ୱକପ୍ ସେମିଫାଇନାଲ, ୨୦୨୨ ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍‌, ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲରେ ପରାସ୍ତ ହୋଇଛି ଭାରତ । ତେଣୁ ଟିମ୍ ଇଣ୍ଡିଆକୁ କ୍ରିକେଟ ଜଗତର ନୂଆ ଚୋକର କହିବା ଭୁଲ୍ ହେବ ନାହିଁ । ଏଥିସହ ୨୦୨୧-୨୨ ଓ ୨୦୨୨-୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ବି ପରାସ୍ତ ହୋଇଛି ଭାରତ । ୨୦୧୪ରେ ଶେଷ ଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ପହଂଚିଥିଲା ଭାରତ । ଶ୍ରୀଲଙ୍କାଠାରୁ ହାରି ହୋଇଥିଲା ଉପବିଜେତା ।ଭାରତ ୨୦୦୭ରେ ଟି-୨୦ ବିଶ୍ୱକପର ଉଦଘାଟନୀ ସଂସ୍କରଣରେ ଚାମ୍ପିଅନ ହୋଇଥିବା ବେଳେ ୨୦୧୪ରେ ରନର୍ସଅପ୍ ହୋଇଥିଲା । ୨୦୧୬, ୨୦୨୨ ସଂସ୍କରଣରେ ସେମିଫାଇନାଲ ଖେଳିଛି ଭାରତ । ଇଂଲଣ୍ଡ ୨୦୧୦ ଓ ୨୦୨୨ ସଂସ୍କରଣରେ ଚାମ୍ପିଅନ ହୋଇଥିଲା । ୨୦୧୬ରେ ଦଳ ରନର୍ସଅପ୍ ହୋଇଥିଲା । ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ହିଁ ଦୁଇ ଥର ଲେଖାଏଁ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଛନ୍ତି ।

Leave A Reply

Your email address will not be published.