ନୂଆଦିଲ୍ଲୀ: ମେଟା ମାଲିକାନା କମ୍ପାନୀ ହ୍ବାଟ୍ସଆପ ଗତ ଗୁରୁବାର ଦିନ ଘୋଷଣା କରିଛି ଯେ, ଡେସ୍କଟପ୍ ଏବଂ ମୋବାଇଲ୍ ପ୍ଲାଟଫର୍ମରେ ଅଡିଓ ଏବଂ ଭିଡିଓ କଲିଂ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ହ୍ବାଟ୍ସଆପ ଆପ୍ ଅନେକ ନୂତନ ଫିଚର ଆଣୁଛି ।
ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ବର୍ତ୍ତମାନ ୟୁଜଜରଙ୍କୁ ଭିଡିଓ କଲରେ ଅଧିକ ଇଫେକ୍ଟ ବାଛିବା ପାଇଁ ବିକଳ୍ପ ପ୍ରଦାନ କରିବ | ଆହୁରି ମଧ୍ୟ ହାଇ-ରିଜୋଲ୍ୟୁସନ୍ ଭିଡିଓ ପ୍ରଦାନ କରି କଲିଂ ଅଭିଜ୍ଞତାକୁ ଉନ୍ନତ କରିବ ହ୍ବାଟ୍ସଆପ ।
ଏକ ବ୍ଲଗ୍ ପୋଷ୍ଟରେ ହ୍ବାଟ୍ସଆପ ଡେସ୍କଟପ୍ ଏବଂ ମୋବାଇଲ୍ ପ୍ଲାଟଫର୍ମରେ ନୂତନ ଫିଚର ବିଷୟରେ ବିସ୍ତୃତ ସୂଚନା ଦେଇଛି | ୟୁଜରମାନେ ଭିଡିଓ କଲରେ ୧୦ଟି ଇଫେକ୍ଟରୁ ଗୋଟିଏ ଚୟନ କରିପାରିବେ ଯେପରିକି ପପି ଇୟର, ଅଣ୍ଡର ଓ୍ବାଟର ଓ ମାଇକ୍ରୋଫୋନ ଇଫେକ୍ଟ ରହିଛି ।
ଏବେ ଆପଣ ଗ୍ରୁପ୍ କଲ୍ କଲେ ମଧ୍ୟ ଯାହାକୁ ଚାହୁଁଛନ୍ତି କେବଳ ସେମାନଙ୍କୁ ଚୟନ କରିପାରିବେ । ଏହାଦ୍ବାରା ଉକ୍ତ ଗ୍ରୁପରେ ଆପଣ ଯେଉଁ ଯେଉଁ ୟୁଜରଙ୍କ ସହିତ କଥା ହେବାକୁ ଚାହୁଁଛନ୍ତି କେବଳ ସେହିମାନଙ୍କ ନିକଟକୁ କଲ୍ର ନୋଟିଫିକେସନ ଯିବ ।
ଯଦି ଆପଣ ହ୍ବାଟ୍ସଆପ୍ ଡେସ୍କଟପ୍ ଆପରେ କ୍ଲିକ କରନ୍ତି, ତେବେ ଆପଣ ସହଜରେ କଲ୍ କରିପାରିବେ । ଏଥିରେ କଲ୍ ଆରମ୍ଭ କରିବା, କଲ୍ ଲିଙ୍କ ସୃଷ୍ଟି କରିବା ଏବଂ ସିଧାସଳଖ କୌଣସି ନମ୍ବର ଡାଏଲ କରିବା ଭଳି ଅପସନ ପ୍ରଦାନ କରାଯାଇଛି ।
ଏହି ମାସରେ ହ୍ବାଟ୍ସଆପ ନୂଆ ଫିଚର ଆଣିଛି , ଗ୍ରୁପ ଚାଟରେ ଟାଇପ୍ କରୁଥିବା ୟୁଜରଙ୍କ ପ୍ରୋଫାଇଲ୍ ଛବି ଦେଖାଉଛି |