ଭୁବନେଶ୍ବର: ଏଣିକି ମାଗଣା ଚାଉଳ ସାଙ୍ଗକୁ ମାଗଣା ଗହବ ପାଇବେ ରାସନ ହିତାଧିକାରୀ । ନୂଆ ସରକାର ଆସିବା ଦିନଠୁ ଏହା ଶୁଣିବାକୁ ମିଳୁଛି । ହେଲେ କେବେ ମିଳିବ, ତାହା ଏବେ ପ୍ରଶ୍ନବାଚୀ । ଯାହାକୁ ନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟରେ ରାସନ ହିତାଧିକାରୀ କେବେ ଚାଉଳ ସାଙ୍ଗରେ ଗହମ ପାଇବେ ସେନେଇ ଉତ୍ତର ରଖିଛନ୍ତି ।
ତେବେ କେବେ ଠାରୁ ଚାଉଳ ସାଙ୍ଗରେ ଗହମ ମିଳିବ, କେତେ ଚାଉଳ କେତେ ଗହମ ମିଳିବ, ସେନେଇ ଗୃହରେ ଉତ୍ତର କରିଥିଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ । ଯାହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଚାଉଳ ସହ ଗହମ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲୁ, ତାକୁ ମଞ୍ଜୁରୀ ମିଳିଛି । ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହ ଗହମ ମିଳିବ । ପୂର୍ବରୁ ଗହମ ଯୋଗାଣ ବନ୍ଦ ଥିବା ବେଳେ ହିତାଧିକାରୀଙ୍କୁ ଗହମ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ହେଲେ ପରିବହନ ସୁବିଧା ନଥିବାରୁ ଗହମ ଆସିପାରୁନଥିଲା । ପରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ପରେ ପ୍ରଥମ ପର୍ଯ୍ୟାୟ ଗହମ ପହଞ୍ଚିଛି । କିନ୍ତୁ ଗହମ ରଖିବା ପାଇଁ ଗୋଦାମ ବ୍ୟବସ୍ଥା ଓ ପରିବହନ ବ୍ୟବସ୍ଥା ସୁବିଧା ନଥିବାରୁ ଏପର୍ଯ୍ୟନ୍ତ ଗହମ ଯୋଗାଇ ଦିଆଯାଇପାରିନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ତେବେ କେବେ ଠାରୁ ଗହମ ମିଳିବ, ଆଉ କେତେ ଗହମ ମିଳିବ ସେନେଇ କିଛି ସ୍ପଷ୍ଟ ଉତ୍ତର ରଖିନାହାନ୍ତି ମନ୍ତ୍ରୀ ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସରକାର ପ୍ରତିଶ୍ରୁତି ଦେଇଛନ୍ତି ପ୍ରତିଶ୍ରୁତି ରଖିବେ । ପୂର୍ବରୁ ଗହମ ମିଳୁଥିବା ବେଳେ ବିଜେଡି ସରକାର ସମୟରେ ଗହମ ବନ୍ଦ କରିବାକୁ ଚିଠି ପରେ ଗହମ ଯୋଗାଣ ବନ୍ଦ ରହିଛି । କିନ୍ତୁ ଏବେ ସରକାର ଚାଉଳ ସାଙ୍ଗକୁ ଗହମ ଦେବେ । ଏଥିପାଇଁ ପ୍ରତି ପଞ୍ଚାୟତରେ ପୋଷଣ କେନ୍ଦ୍ର ହେବ । ଚାଉଳ, ଡାଲି, ଚିନି, ତେଲ ସବସିଡି ଦରରେ ଯୋଗାଇ ଦେବେ ସରକାର । ମାସେ ଦୁଇ ମାସ ଭିତରେ ଏନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଆଜି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ।
Comments are closed.