Latest Odisha News

ରତ୍ନଭଣ୍ଡାର ଖୋଲିବା ବେଳେ ସିଂହଦ୍ୱାରକୁ ଛାଡ଼ି ବାକି ଦ୍ୱାର ବନ୍ଦ ରହିବ

ପୁରୀ: ରତ୍ନଭଣ୍ଡାର ଖୋଲିବା ବେଳେ ରହିବ ସାମୟିକ କଟକଣା । ସିଂହଦ୍ୱାରକୁ ଛାଡ଼ି ବନ୍ଦ ରହିବ ବାକି ସମସ୍ତ ଦ୍ୱାର । ଯେଉଁମାନେ ସେବା ଓ ପୂଜା ପାଇଁ ଅଧିକୃତ ସେମାନଙ୍କୁ କେବଳ ଭିତରକୁ ଛଡ଼ାଯିବ । କମିଟିର ସଦସ୍ୟ ଯିବା ବେଳେ ବେହରଣ ଦ୍ବାର ନିକଟରେ ସେମାନଙ୍କୁ ଯାଞ୍ଚ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସେପଟେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ମହାପ୍ରଭୁଙ୍କୁ ଦଶର୍ନ କରିଛନ୍ତି ଜଷ୍ଟିସ ରଥ । ଜଷ୍ଟିସ ବିଶ୍ବନାଥ ରଥଙ୍କ ସହ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ମଧ୍ୟ ଦର୍ଶନ କରିଛନ୍ତି । ତେବେ ରତ୍ନଭଣ୍ଡାର ଖୋଲାଯିବା ପୂର୍ବରୁ ଶ୍ରୀଲୋକନାଥଙ୍କ ଠାରୁ ଆଜ୍ଞାମାଳ ଆସିବ ବୋଲି ସୂଚନା ଦେଇଛନ୍ତି ଜଷ୍ଟିସ ରଥ ।

ଦୀର୍ଘ ୪୬ ବର୍ଷ ଧରି ଲାଗି ରହୁଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିବ । ଆଜି ଦିନ ଗୋଟାଏ ପରେ ଖୋଲାଯିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଏଥିପାଇଁ ଚୂଡ଼ାନ୍ତ ଏସ୍‌ଓପି ଜାରି କରିଛନ୍ତି ରାଜ୍ୟ ସରକାର। ଗତକାଲି ବିଳମ୍ବିତ ରାତିରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ସହ କମିଟିର ଅନ୍ୟ ସଦସ୍ୟମାନେ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ରତ୍ନଭଣ୍ଡାର ଖୋଲାଯିବା ପରେ ସବୁ ରତ୍ନଭଣ୍ଡାର ଭିତରକୁ ଯିବାଠୁ ଗଣତି ପର୍ଯ୍ୟନ୍ତ ସବୁ କାର୍ଯ୍ୟ ସତର୍କତାର ସହ କରାଯିବ । ଅତି ନିଖୁଣ ଭାବେ ଅଳଙ୍କାରର ଗଣତି କରାଯିବ । ଗଣତି ମଣତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ରହିବ । ଗଣତି କାର୍ଯ୍ୟରେ ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆର ପ୍ରତିନିଧି ରହିବେ । ପ୍ରକ୍ରିୟାର ସୁପରିଚାଳନା ପାଇଁ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ।

 

Comments are closed.