Latest Odisha News

ଶୈଳବାଳା ମହିଳା କେନ୍ଦ୍ରିୟ ବିଶ୍ୱ ବିଦ୍ୟାଳୟ କେବେ ?

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ  

ଭାରତ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ଅବସରରେ ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଆମ ରାଜ୍ୟ ଝୁରୁଛି ୧୦୦ ବର୍ଷ ତଳେ ଓଡ଼ିଶାକୁ ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଆଗମନର ସ୍ମୃତିକୁ । ଏହାରି ଭିତରେ କଟକର ମଧୁସ୍ମୃତିରେ ଥିବା ଶୈଳବାଳା ସ୍ୱୟଂଶାସିତ ମହିଳା
କଲେଜ ୧୦୮ ବର୍ଷରେ ପହଞ୍ଚିଛି । ଏହି କଲେଜର ରହିଛି ଅନେକ ଗୌରବାବହ ଗାଥା । ଆମ ଧର୍ମଧାରଣାରେ ୧୦୮ ସଂଖ୍ୟାର ଗୁରୁତ୍ୱ ରହିଛି । କିଏ ୧୦୮ ଇଷ୍ଟମନ୍ତ୍ର ଜପ କରେ ତ ଆଉ କିଏ ୧୦୮ ମହାମନ୍ତ୍ର, ହନୁମାନ ଚାଳିଶା ଆଦି ପାଠ କରନ୍ତି । ଦେବାଦେବୀଙ୍କ ନିକଟରେ ୧୦୮ ବେଲପତ୍ର, ତୁଳସୀ, ମନ୍ଦାରଫୁଲ ଆଦି ଚଢ଼ାଇବା ଓ ୧୦୮ ନଡିଆ ଭାଙ୍ଗିବାର ପରମ୍ପରା ବି ଅଛି । ଏ ପରିପ୍ରେକ୍ଷୀରେ ୧୦୮ ବର୍ଷରେ ପହଞ୍ଚିଥିବା ରାଜ୍ୟର ଏହି ପ୍ରଥମ ମହିଳା କଲେଜକୁ କେନ୍ଦ୍ରିୟ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା ଲାଗି ଦଳମତ ନିର୍ବିଶେଷରେ ମତ ପ୍ରକାଶ ପାଉଛି ।


ଦେଶରେ ଏବେ ୪୯ଟି କେନ୍ଦ୍ରିୟ ବିଶ୍ୱ ବିଦ୍ୟାଳୟ ଥିବାବେଳେ ଓଡ଼ିଶାର ସୁନାବେଡାରେ ରହିଛି ଏଥିରୁ ମାତ୍ର ଗୋଟିଏ । ଉତ୍ତର ପ୍ରଦେଶରେ ୬ଟି କେନ୍ଦ୍ରିୟ ବିଶ୍ୱ ବିଦ୍ୟାଳୟ ଥିବାବେଳେ ଦିଲ୍ଲୀରେ ୫ଟି, ବିହାରରେ ୪ଟି, ମଣିପୁର ଓ ତେଲେଙ୍ଗାନାରେ ୩ଟି କରି
ଏବଂ ତାମିଲନାଡୁ, ଝାଡଖଣ୍ଡ, ମହାରାଷ୍ଟ୍ର, ଗୁଜୁରାଟ, ଆସାମ ଭଳି ରାଜ୍ୟରେଦୁଇଟି କରି କେନ୍ଦ୍ରିୟ ବିଶ୍ୱ ବିଦ୍ୟାଳୟ ଅଛି । କେନ୍ଦ୍ରିୟ ବିଶ୍ୱ ବିଦ୍ୟାଳୟଗୁଡିକ ଲାଗି ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରନ୍ତି । ତେଣୁ ଓଡ଼ିଶାରେ ଅଧିକ ସଂଖ୍ୟକ କେନ୍ଦ୍ରିୟ ବିଶ୍ୱ ବିଦ୍ୟାଳୟ ସ୍ଥାପନ ସମ୍ପର୍କରେ ଛାତ୍ରଛାତ୍ରୀ, ଶିକ୍ଷାବିତ୍ ଓ ସାଧାରଣ ଲୋକେ ସ୍ୱର ଉଠାଇବା ସ୍ୱାଭାବିକ । ଏହି ମର୍ମ୍ମରେ ଉତ୍କଳ ଗୌରବ ମଧୁ ସୂଦନ ଦାସଙ୍କ ଅମ୍ଳାନ ସ୍ମୃତିର ଅମୃତ ରୋମନ୍ଥନ ପାଇଁ ମଧୁସ୍ମୃତିରେ ଗଢ଼ି ଉଠିଥିବା ଶୈଳବାଳା ମହିଳା ସ୍ୱୟଂଶାସିତ କଲେଜକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା ଏକ ଭବ୍ୟ ଶ୍ରଦ୍ଧାଞ୍ଜଳି ହେବ ବୋଲି ଓଡ଼ିଆମାନେ ଆଶା କରିବା ସ୍ୱାଭାବିକ ।

ମଧୁବାବୁଙ୍କ ନିଜ ଝିଆରି ରମା ଦେବୀଙ୍କ ନାମରେ ୬୦ ଦଶକରେ ସ୍ଥାପିତ ଭୁବନେଶ୍ୱରର ରମାଦେବୀ ମହିଳା କଲେଜ ୨୦୧୫ ମସିହାରୁ ପାଲଟିଛି ପୂର୍ବ ଭାରତର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟରେ । ତେବେ ମଧୁବାବୁଙ୍କ ପାଳିତା କନ୍ୟା ଶୈଳବାଳାଙ୍କ ନାମରେ ଥିବା ୧୦୮ ବର୍ଷର ପୁରୁଣା ମହିଳା କଲେଜଟି ଏଯାବତ୍ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇନାହିଁ । ଏଠାରେ ଉଲ୍ଲେଖନୀୟ ଯେ ଶୈଳବାଳା ଓ ରମା ଦେବୀ ସମ୍ପର୍କରେ ଦୁଇ ଭଉଣୀ । ଶୈଳବାଳା ବଡ ଓ ରମା ଦେବୀ ସାନ । ଉଭୟ ଏ ଜାତିର ପ୍ରଣମ୍ୟ । ଓଡିଶାରେ ନାରୀ ଶିକ୍ଷାର ବିଶେଷ ସୁଯୋଗ ନଥିବାବେଳେ କଟକରେ ମଧୁବାବୁଙ୍କ ପ୍ରେରଣାରେ ଆରମ୍ଭ ହୋଇଥିଲା ରେଭେନ୍ସା ବାଳିକା ବିଦ୍ୟାଳୟ । ଏଥିଲାଗି ବିଲାତରେ ତାଲିମ ନେବାକୁ ଶୈଳବାଳାଙ୍କୁ ପଠାଯାଇଥିଲା । ୧୯୦୮ ବେଳକୁ ଏହି ବାଳିକା ସ୍କୁଲର ଛାତ୍ରୀ ସଂଖ୍ୟା ୫୦ରୁ କମ୍ଥି ବାବେଳେ ଘର ଘର ବୁଲି ଶୈଳବାଳା ଓ ତାଙ୍କ ସହକର୍ମୀମାନେ ଲୋକଙ୍କୁ ବୁଝାଇ ଝିଅମାନଙ୍କୁ ସ୍କୁଲ ଆଣୁଥିଲେ । ମଧୁବାବୁ ବି ଅନେକ ଅବୁଝା ଅଭିଭାବକଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲେ । ସ୍ୱତନ୍ତ୍ର ଘୋଡାଗାଡିରେ ପରଦା ଟାଣି ଛାତ୍ରୀମାନଙ୍କୁ ସ୍କୁଲ ଅଣାଯାଉଥିଲା ।

ଏହି ବିଦ୍ୟାଳୟଟି ୧୯୧୦ରେ କଲିକତା ବିଶ୍ୱବିଦ୍ୟାଳୟର ସ୍ୱୀକୃତି ପାଇଲା ଓ ସେହି ବର୍ଷ ଏଠାରୁ ଦୁଇଜଣ ଝିଅ ନର୍ମଦା କର ଓ
ଚନ୍ଦ୍ରମୁଖୀ ଷଡ଼ଙ୍ଗୀ ମେଟ୍ରିକ୍ ପାଶ କଲେ । ବିହାର ଓଡ଼ିଶା ଶିକ୍ଷା ପରିଷଦର ସଦସ୍ୟା ଥିବା ଶୈଳବାଳାଙ୍କ ଉଦ୍ୟମକ୍ରମେ ୧୯୧୩ରେ ଇଣ୍ଟରମିଡ଼ିଏଡ  ମହିଳା କଲେଜ ଲାଗି ଅନୁମତି ମିଳିଲା । କଟକର ଝିଅ ବୀଣା ଦେଈ ଓ ଜ୍ୟୋସ୍ନା ଦେଈଙ୍କ ଭଳି କୃତି ଛାତ୍ରୀ
ଇଣ୍ଟରମିଡ଼ିଏଡ ପାଶ୍ କରିବାପରେ ମଧୁବାବୁଙ୍କ ପ୍ରୋତ୍ସାହନ କ୍ରମେ ବାହାରେ ଡାକ୍ତରୀ ପଢ଼ି ସ୍ନାତକୋତ୍ତର ଡ଼ିଗ୍ରୀ ହାସଲ କଲେ । ନାରୀ ଶିକ୍ଷା ପ୍ରସାର କ୍ଷେତ୍ରରେ ମଧୁବାବୁଙ୍କ ଅବଦାନ ଅବିସ୍ମରଣୀୟ । ଏବେ ନିମ୍ନ ଅଦାଲତରୁ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବହୁ ମହିଳା ବିଚାରପତି ଅଛନ୍ତି ।

୧୯୨୦ ଦଶକ ପର୍ଯ୍ୟନ୍ତ ଝିଅମାନଙ୍କୁ ବିଚାରପତି ଚାକିରି ତ ଦୂରର କଥା ଓକିଲାତି ପାଇଁ ଲାଇସେନସ୍ ବି ମିଳୁ ନଥିଲା । ମଧୁବାବୁଙ୍କ ଉଦ୍ୟମକ୍ରମେ ଭାରତରେ ଏହା ସମ୍ଭବ ହେଲା । ୧୯୩୪ରେ ମଧୁବାବୁଙ୍କ ତିରୋଧାନ ପରେ ୧୯୪୬ରେ ଏହି ମହିଳା ଶିକ୍ଷାନୁଷ୍ଠାନ ଡ଼ିଗ୍ରୀ କଲେଜର ମର୍ଯ୍ୟାଦା ପାଇଲା । ୧୯୫୨ ଏପ୍ରିଲ ୨୮ ମଧୁବାବୁଙ୍କ ପବିତ୍ର ଜନ୍ମଦିନ ଅବସରରେ ଶୈଳବାଳା ମଧୁବାବୁଙ୍କ ହାତଗଢ଼ା
ଘର ମଧୁସ୍ମୃତିକୁ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ହାତରେ ସମର୍ପଣ କରି ଏହି ଶିକ୍ଷାନୁଷ୍ଠାନକୁ ମଧୁବାବୁଙ୍କ ନାମରେ ନାମିତ କରିବାପାଇଁ ପ୍ରସ୍ତାବ ରଖିଥିଲେ । ତେବେ କୃତଜ୍ଞତାର ସହ ନବକୃଷ୍ଣ ଚୌଧୁରୀ ଓଡ଼ିଶା ସରକାରଙ୍କ ପକ୍ଷରୁ ଦାନ ଆକାରରେ ମଧୁସ୍ମୃତିକୁ ଗ୍ରହଣ କରିବା ସହ ଓଡିଶାର ଏହି ପ୍ରଥମ ମହିଳା କଲେଜକୁ ଶୈଳବାଳାଙ୍କ ନାମରେ ନାମିତ କରାଇଥିଲେ । ଏଠାରେ ଉଲ୍ଲେଖନୀୟ ଯେ ସେବା, ସଂସ୍କାର କ୍ଷେତ୍ରରେ ଅନବଦ୍ୟ ଅବଦାନ ପାଇଁ ଶୈଳବାଳାଙ୍କୁ କେନ୍ଦ୍ର ସରକାର ପଦ୍ମଶ୍ରୀ ସମ୍ମାନରେ ଭୂଷିତ
କରିଥିବାବେଳେ ଓଡିଶା ମଧ୍ୟ ତାଙ୍କୁ ରାଜ୍ୟସଭାକୁ ପ୍ରଥମ ମହିଳା ସାଂସଦ ଭାବେ ପଠାଇଥିଲା ।

ମଧୁସ୍ମୃତିରେ ଚାଲିଥିବା ଏହି ଶିକ୍ଷାନୁଷ୍ଠାନରେ ଏବେ ୩୦୦୦ରୁ ଅଧିକ ଝିଅ ପଢ଼ୁଛନ୍ତି । ଇତି ମଧ୍ୟରେ ଶୈଳବାଳା ମହିଳା କଲେଜରେ ବିଭିନ୍ନ ବିଷୟରେ ସ୍ନାତକୋତ୍ତର ଶିକ୍ଷାଦାନ ବ୍ୟବସ୍ଥା ଥିବାବେଳେ ଏହା ସ୍ୱୟଂଶାସିତ ମର୍ଯ୍ୟାଦା ପାଇଛି । ତେବେ ବାକି ରହିଯାଇଛି ଏହାକୁ କେନ୍ଦ୍ରିୟ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବାର ସ୍ୱପ୍ନ । ଶୈଳବାଳା ମହିଳା କଲେଜର ସୌଧ କେବଳ ବାଲି, ଗୋଡି, ଇଟା, ସିମେଣ୍ଟରେ ତିଆରି ନୁହେଁ, ଏହାର ପ୍ରତ୍ୟେକ ଧୂଳିକଣାରେ ମିଶି ରହିଛି ଉତ୍କଳଗୌରବ, ଉତ୍କଳମଣି, ମହାତ୍ମା ଗାନ୍ଧୀ, ଜାନକୀନାଥ ବୋଷ୍‌, ଗୋପବନ୍ଧୁ ଚୌଧୁରୀ, ରମା ଦେବୀ, ଶୈଳବାଳା, ସରଳା ଦେବୀ, ନୀଳକଣ୍ଠ, ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଭଳି ବହୁ ବରପୁତ୍ର ଓ ପୁତ୍ରୀଙ୍କ ପବିତ୍ର ଆତ୍ମାର ଉପସ୍ଥିତି । ଏହି ଘରେ ଦିନେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ନକ୍ସା ଅଙ୍କାଯାଇ ତାହା ହାସଲ ଲାଗି ଉତ୍କଳ ସମ୍ମିଳନୀ ମାଧ୍ୟମରେ ଉଦ୍ୟମ ଆରମ୍ଭ ହୋଇଥିଲା । ଏଇଠି ମଧୁବାବୁଙ୍କୁ ଭେଟୁଥିଲେ ଅନେକ ରାଜା ମହାରାଜା । ଓଡ଼ିଆ ଜାତିର ଆରାଧ୍ୟ ଦେବତା
ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଓ ଗଜପତି ପରମ୍ପରାର ସୁରକ୍ଷା ପାଇଁ ଏଇ ଘରେ ମଧୁବାବୁ ପ୍ରସ୍ତୁତ କରିଥିଲେ ଐତିହାସିକ ଅର୍ଜି । ଉତ୍କଳ ସନ୍ତାନମାନଙ୍କୁ ସୁପ୍ତ ଅବସ୍ଥାରୁ ଉଠାଇବା ପାଇଁ ଏଇଠି ମଧୁବାବୁ ଲେଖିଥିଲେ ବହୁ ପ୍ରାଣସ୍ପର୍ଶୀ ଉଦ୍‌ବୋଧନି ସଙ୍ଗୀତ । ଉତ୍କଳ ଟ୍ୟାନେରୀଠାରୁ ଆରମ୍ଭକରି ତାରକସୀ ଶିଳ୍ପ ପର୍ଯ୍ୟନ୍ତ ଅନେକ ପ୍ରକଳ୍ପର ମୁକସାକ୍ଷୀ ମଧୁସ୍ମୃତି । ଅସ୍ପୃଶ୍ୟତା ନିବାରଣ, ନାରୀ ଶିକ୍ଷା, ଚରଖା, କୁଟୀର ଶିଳ୍ପ, ଶ୍ରମର ସମ୍ମାନ, ଶିକ୍ଷା ସଂସ୍କାର ଆଦି ବିଭିନ୍ନ ପ୍ରସଙ୍ଗରେ ଗାନ୍ଧୀଜୀଙ୍କୁ ମଧୁବାବୁ ଏଇ ଘରେ ଦିନେ ଦେଉଥିଲେ ଗୁରୁମନ୍ତ୍ର । ମଧୁବାବୁଙ୍କ ଆତିଥେୟତା ଗ୍ରହଣ କରି ମଧୁସ୍ମୃତିରେ ଗାନ୍ଧୀଜୀ ବିତାଇଛନ୍ତି ବେଶ୍ ସମୟ । ଏଇ ଠିକଣାରେ ମଧୁବାବୁଙ୍କ ସହ ଗାନ୍ଧୀଜୀଙ୍କର ଅନେକ ପତ୍ର ବିନିମୟ ହୋଇଛି ।

ଇତିହାସର ଏହି ବିରଳ ସ୍ମୃତିକୁ ୧୯୨୧ ଅଗଷ୍ଟ ୧୯ ତାରିଖରେଶୈଳବାଳା ମହିଳା କଲେଜ ଜାଗ୍ରତ କରାଇବା ସହ ପ୍ରକାଶ କରିଛି ସ୍ମାରକୀ ଗ୍ରନ୍ଥ ‘ମଧୁବାବୁ, ମହାତ୍ମା ଗାନ୍ଧୀ ଓ ଓଡ଼ିଶା’ । ସେ ସମୟର ପ୍ରାୟ ସବୁ ଜାତିପ୍ରାଣ ଓଡ଼ିଆ ନେତାଙ୍କୁ ବାରମ୍ବାର ସ୍ୱାଗତ କରିଛି ଏହି ମଧୁସ୍ମୃତି । ମଧୁବାବୁଙ୍କ ମହାପ୍ରାୟଣ ପରେ ତାଙ୍କ ଅନ୍ତିମ ଯାତ୍ରା ବି ବାହାରିଥିଲା ଏହି ଐତିହାସିକ କୋଠିରୁ । ଏଇଠୁ ବି ଦିନେ ସେ
ଭାଇସ୍‌ରାୟଙ୍କ ଇମ୍ପେରିୟାଲ୍ କାଉନ୍‌ସିଲ୍‌, ବଙ୍ଗଳା ବିଧାନ ପରିଷଦ ଏବଂ ବିହାର ଓଡ଼ିଶା ବିଧାନ ପରିଷଦକୁ ସଦସ୍ୟଭାବେ ଓ ପ୍ରଥମ ଓଡ଼ିଆ ମନ୍ତ୍ରୀ ଭାବେ ଯାଇଥିଲେ । ଜାତି ପାଇଁ ସବୁ ଦେଇ ଦେଇ ଦେବାଳିଆ ବି ହୋଇଥିଲେ ଏଇ ଘରେ । ବାସ୍ତବରେ ମଧୁସ୍ମୃତି ହେଉଛି ଓଡ଼ିଆ ଜାତିର ଅମୂଲ୍ୟ ସମ୍ପଦ । ଏଇ ଜାତି ଇତିହାସର ଅନେକ ଗୁରୁତ୍ୱପୂର୍ଣ୍ଣ ଫର୍ଦ୍ଦ ବି ଲେଖିଛି ମଧୁସ୍ମୃତି । ଏହା ଆମ ଅସ୍ମିତାର ପ୍ରତୀକ । ଅନେକ ପ୍ରସଙ୍ଗରେ ମଧୁବାବୁ ତାଙ୍କ ଆଖି ଖୋଲି ଦେଇଥିଲେ ବୋଲି ବାରମ୍ବାର କୃତଜ୍ଞତାର ସହ ଦୋହରାଇଛନ୍ତି
ଗାନ୍ଧୀଜୀ । ଯେତେଦିନ ପର୍ଯ୍ୟନ୍ତ ଓଡ଼ିଆ ଜାତି ଥିବ ସେତେଦିନ ପର୍ଯ୍ୟନ୍ତ ଆମେ ମଧୁବାବୁଙ୍କୁ ସ୍ମରଣ କରିବାକୁ ବାଧ୍ୟ । ମଧୁସ୍ମୃତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ସ୍ମାରକୀ ସଂଗ୍ରାହଳୟ ତ ଏ ଜାତିର କୋଠ ସମ୍ପତ୍ତି । ଏହି ପରିସରକୁ ଆସି ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ମଧୁବାବୁଙ୍କର ଯେଉଁ ପ୍ରତିମୂର୍ତ୍ତି  ଉନ୍ମୋଚନ କରିଥିଲେ ତାହା ଏବେ ବି ଏ ଜାତି କାନରେ ଗୁରୁ ମନ୍ତ୍ର ଦେଉଛି ।

ଏ ପରିପ୍ରେକ୍ଷୀରେ ‘ଏ’ ଗ୍ରେଡ ମାନ୍ୟତା ପ୍ରାପ୍ତ ଶୈଳବାଳା ମହିଳା କଲେଜକୁ କେନ୍ଦ୍ରିୟ ବିଶ୍ୱ ବିଦ୍ୟାଳୟରେ ପରିଣତ କଲେ ମଧୁବାବୁ କିମ୍ବା ତାଙ୍କ ସୁକନ୍ୟା ଶୈଳବାଳାଙ୍କର ପ୍ରତିଷ୍ଠା ବଢ଼ିବ ନାହିଁ, ବରଂ ଯେଉଁମାନଙ୍କ ହାତରେ ଏହି କାର୍ଯ୍ୟ ସମାପନ ହେବ ସେମାନେ ଧନ୍ୟ ହୋଇଯିବେ । ମଧୁସ୍ମୃତି ସହ ଜଡିତ ଶୈଳବାଳା ମହିଳା କଲେଜକୁ ବିଶ୍ୱବିଦ୍ୟାଳୟରେ ରୂପାନ୍ତର କ୍ଷେତ୍ରରେ ସେମାନଙ୍କ ଅବଦାନ ଜାତି ଇତିହାସରେ ଲିପିବଦ୍ଧ ହୋଇ ରହିଯିବ । ଆଜି ବି ଶୈଳବାଳା ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତୀ ନିକଟରେ ମଥାନତ କରିବାବେଳେ
ମନରେ ପ୍ରତିଧ୍ୱନିତ ହୁଏ ତାଙ୍କର ଆହ୍ୱାନ –

‘ଜାତି ଇତିହାସ ଜାତିର ନିର୍ଝର ତହୁଁ ବହେ ସଦା ଜାତି ପ୍ରାଣଧାର,
ସେ ଧାରାରୁ ନୀର ପିଉଛି ଯେ ନର ନିଶ୍ଚୟ ହେବ ସେ ଜାତି କର୍ମବୀର 

ଜାତି ପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କର ସ୍ୱାର୍ଥକୁ ଦିଅ ଆହୂତି,
ସ୍ୱାର୍ଥ ମେଧଯଜ୍ଞ ଚାରିଆଡେ ନାଚ ଛାତିକୁ ମିଶାଇ ଛାତି ।

ଦିନେ ତ ନିଶ୍ଚୟ ଶୈଳବାଳା  ମହିଳା କଲେଜ ବିଶ୍ୱ ବିଦ୍ୟାଳୟରେ ପରିଣତ ହେବ । କିନ୍ତୁ ସ୍ୱାଧୀନତାର ଅମୃତ ମହୋତ୍ସବର
ମାହେନ୍ଦ୍ର ବେଳାରେ ଏହାକୁ କେନ୍ଦ୍ରିୟ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବାର ସୁଯୋଗକୁ ଯଦି କିଏ ହାତ ଛଡା କରେ ତେବେ ଜାତି ଇହିହାସ ସେମାନଙ୍କୁ କେବେ କ୍ଷମା ଦେବ ନାହିଁ । ତେଣୁ ଏହି ପବିତ୍ର କାର୍ଯ୍ୟରେ ପୌରହିତ କରିବା ପାଇଁ ବ୍ୟକ୍ତି ସ୍ୱାର୍ଥକୁ ଛାଡି
ଜାତିର ସ୍ୱାର୍ଥ ଲାଗି ଦଳମତ ନିର୍ବିଶେଷରେ ସମ୍ମିଳିତ ଉଦ୍ୟମ କରିବା ଚାହି । ଏଥିଲାଗି ଧନ ଅପେକ୍ଷା ଅଧିକ ଲୋଡା ଅଛି ସଙ୍କଳ୍ପବଦ୍ଧ ସାଧକ ମନର ।

prahalladsingha@gmail.com
ଫୋନ : ୯୪୩୭୦୧୭୩୯୫

 

Comments are closed.