Latest Odisha News

ଶହେ ଦିନ ପୂରିଲା…ସଂପ୍ରସାରଣ କେବେ?

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବିଜେପି ସରକାରକୁ ଶହେ ଦିନ ପୂରିଛି । ହେଲେ ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିନାହାନ୍ତି ମୋହନ ସରକାର। ୨୨ ଜାଗାରେ ୧୬ଜଣ ମନ୍ତ୍ରୀ ସାମିଲ ହୋଇଥିବା ବେଳେ ଆହୁରି ୬ଟି ପଦବୀ ଖାଲି ପଡିଛି । ଚର୍ଚ୍ଚା ହେଉଥିଲା, ଶପଥ ଗ୍ରହଣ ସମାରୋହର କିଛି ଦିନ ପରେ ପୁଣି କିଛି ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ସହ ବିଭାଗ ବାଣ୍ଟିବେ ସରକାର । ଅନେକ ବିଜେପି ନେତାଙ୍କ ନାଁ ବି ଏଥିପାଇଁ ଚର୍ଚ୍ଚା ହେଲା । ହେଲେ ସରକାରକୁ ତିନି ମାସ ପୂରିଥିଲେ ବି ପଦବୀ ପୂରଣ ପାଇଁ ତତ୍ପରତା ପ୍ରକାଶ ପାଇନି । ମନ୍ତ୍ରୀଙ୍କ ପାଖରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗ ରହିଥିବାରୁ କାର୍ଯ୍ୟଦକ୍ଷତା ଉପରେ ବି ଏହାର ପ୍ରଭାବ ପଡୁଛି ।

ମୁଖ୍ୟମନ୍ତ୍ରୀଙ୍କ ପାଖରେ ୬ବିଭାଗ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖରେ ରହିଛି ୬ଟି ଗୁରୁତ୍ବପୂର୍ଣ୍ଣ ବିଭାଗ । ଗୃହ, ସାଧାରଣ ପ୍ରଶାସନ, ଅର୍ଥ, ଜଳସଂପଦ, ସୂଚନା ଓ ଲୋକସଂପର୍କ, ଯୋଜନା ଓ ସଂଯୋଜନ ନିଜ ପାଖରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବଢୁଥିବା ଅପରାଧ, ଦୁଷ୍କର୍ମ ଘଟଣା ହେଉ କି ଭରତପୁର ଥାନାରେ ନିର୍ଯାତନା ଘଟଣା, ଆଇନଶୃଙ୍ଖଳାକୁ ନେଇ ସିଧାସଳଖ ଟାର୍ଗେଟ୍ କରୁଛନ୍ତି ବିରୋଧୀ । ସେହିପରି ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ବି ଟ୍ରିପଲ ଇଞ୍ଜିନ ସରକାରକୁ ଆଙ୍ଗୁଳି ଦେଖାଉଛନ୍ତି । ୬ଟି ଗୁରୁତ୍ବପୂର୍ଣ୍ଣ ବିଭାଗ ମୋହନ ମାଝୀଙ୍କ ପାଖରେ ଥିବା ବେଳେ ଏହାକୁ ସମ୍ଭାଳିବା ଚ୍ୟାଲେଞ୍ଜ ହୋଇପାରେ ।

ଏକାଧିକ ବିଭାଗ ଚ୍ୟାଲେଞ୍ଜ

ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ପାଖରେ କୃଷି ଓ ଶକ୍ତି ବିଭାଗ ରହିଛି ତ ପୂରା ମନ୍ତ୍ରିମଣ୍ଡଳରେ ଏକମାତ୍ର ମହିଳା ଭାବେ ସାମିଲ ହୋଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସମ୍ଭାଳୁଛନ୍ତି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗ । ୮କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ୩ଜଣଙ୍କ ପାଖରେ ୩ଟି ଲେଖାଏଁ ବିଭାଗ ରହିଛି । ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ଦାୟିତ୍ବରେ ପୃଥ୍ବୀରାଜ ହରିଚନ୍ଦନ ରହିଛନ୍ତି ତ ବିଦ୍ୟାଳୟ ଓ ଗଣଶିକ୍ଷା, ଏସସି ଏସଟି ଉନ୍ନୟନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସମ୍ଭାଳୁଛନ୍ତି ନିତ୍ୟାନନ୍ଦ ଗଣ୍ଡ । ମୁକେଶ ମହାଲିଙ୍ଗଙ୍କ ପାଖରେ ସ୍ବାସ୍ଥ୍ୟ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ରହିଛି । ସେହିପରି ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ ସୂର୍ଯ୍ୟବଂଶୀ ସୂରଜ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଭଳି ୩ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବରେ ରହିଛନ୍ତି। ଏକାଧିକ ବିଭାଗ ଦାୟିତ୍ବ ତୁଲାଇବା ନିଶ୍ଚିତ ଭାବେ ମନ୍ତ୍ରୀଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ବିଭାଗର କାର୍ଯ୍ୟ ଉପରେ ବି ଏହାର ପ୍ରଭାବ ପଡୁଛି ।

ଅସନ୍ତୁଷ୍ଟଙ୍କୁ ମିଳିପାରେ ମନ୍ତ୍ରୀ ପଦ

ବିଜେପି ସରକାରର ପ୍ରଥମ ମନ୍ତ୍ରିମଣ୍ଡଳରୁ ଅନେକ ବରିଷ୍ଠ ନେତା ବାଦ ପଡିଥିଲେ । ୧୩ଜିଲ୍ଲାକୁ ମନ୍ତ୍ରୀ ପଦ ମିଳିଥିବା ବେଳେ ୧୭ଜିଲ୍ଲା ବାଦ ପଡିଥିଲା। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମନ୍ତ୍ରୀପଦ ନମିଳିବାକୁ ନେଇ ଅସନ୍ତୁଷ୍ଟ ରହିଥିବା ବି ଚର୍ଚ୍ଚା ହୋଇଥିଲା । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇଥିବା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମଧ୍ୟ ମନ୍ତ୍ରୀପଦ ପାଇଁ ଆଶାୟୀ ଥିବା କୁହାଯାଉଥିଲା । ବିଜେଡି ଗଡ଼ ଯାଜପୁରରେ ପଦ୍ମ ଫୁଟାଇଥିବା କୋରେଇ ବିଧାୟକ ଆକାଶ ଦାସନାୟକ ଓ ବଡଚଣା ବିଧାୟକ ଅମର ନାୟକଙ୍କ ନାଁ ମଧ୍ୟ ମନ୍ତ୍ରୀପଦ ରେସରେ ରହିଥିବା ଚର୍ଚ୍ଚା ହେଉଛି ।

ମନ୍ତ୍ରିମଣ୍ଡଳ ଗଠନ ପରେ ଶୀଘ୍ର ସଂପ୍ରସାରଣ କରାଯିବା ନେଇ କୁହାଯାଉଥିଲା । ହେଲେ ସରକାର ଗଠନକୁ ଶହେ ଦିନ ପୂରିଥିଲେ ବି ବାକିଥିବା ୬ ମନ୍ତ୍ରୀ ପଦ ପୂରଣ ନେଇ ଏକପ୍ରକାର ନିରବ ରହିଛନ୍ତି ମୋହନ ସରକାର । ତେବେ ପରଫର୍ମାନ୍ସ ରିପୋର୍ଟ ଭିତ୍ତିରେ କିଛି ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ମୋହନ ସରକାର ବାଦ ଦେଇପାରନ୍ତି ବୋଲି ଅନ୍ଦରମହଲରେ ଚର୍ଚ୍ଚା ହେଉଛି। ସେମାନଙ୍କ ଜାଗାରେ ପୁରୁଖା ଓ ନୂଆ ଚେହେରା ସାମିଲ ହୋଇପାରନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ଏକାଧିକ ବିଭାଗ ମଧ୍ୟରୁ କିଛି ନୂଆ ମନ୍ତ୍ରୀଙ୍କୁ ଦେଇପାରନ୍ତି । ସେହିପରି ଅଧିକ ବିଭାଗ ଥିବା ମନ୍ତ୍ରୀଙ୍କର ବି ବିଭାଗ ବି ନୂଆ ମନ୍ତ୍ରୀଙ୍କୁ ମିଳିପାରେ ।

Leave A Reply

Your email address will not be published.