BJP Slams Rahul: “କେବେ ବଡ ହେବେ ବିରୋଧୀ ଦଳ ନେତା? ଏଗୁଡା ଶୋଭା ପାଉନି…”, ମୋଦିଙ୍କୁ ନେଇ ରାହୁଲଙ୍କ ମଜାକ୍, କଡା ସମାଲୋଚନା କରୁଛି ବିଜେପି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଦେଶିକ ନୀତିକୁ ନେଇ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଟିପ୍ପଣୀକୁ କେନ୍ଦ୍ର କରି ବିଜେପି-କଂଗ୍ରେସ ମଧ୍ୟରେ ବିବାଦ ତୀବ୍ର ହୋଇଛି। ରାହୁଲଙ୍କ ମନ୍ତବ୍ୟକୁ ନେଇ ବିଜେପି ନେତାମାନେ ତାଙ୍କୁ ଘେରିଥିବା ବେଳେ ବିଜେପି ସାଂସଦ ବାଂସୁରୀ ସ୍ଵରାଜ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଗିରିରାଜ ସିଂଙ୍କ ସମେତ ବହୁ ନେତା ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ବାଂସୁରୀ ସ୍ୱରାଜ କହିଛନ୍ତି, ରାହୁଲ ଗାନ୍ଧୀ ଯେଉଁଭଳି ଭାବରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ “ଅସଭ୍ୟ, ଅଶ୍ଳୀଳ ଏବଂ ଅଭଦ୍ର” ଭାଷା ବ୍ୟବହାର କରିଛନ୍ତି, ତାହା ବିରୋଧୀ ଦଳ ନେତାଙ୍କ ସାମ୍ବିଧାନିକ ପଦର ଗରିମା ବିରୋଧୀ। ତାଙ୍କ ମତରେ, ରାହୁଲଙ୍କ ଆଚରଣ ଜଣେ ବିରୋଧୀ ଦଳ ନେତାଙ୍କ ଭଳି ନୁହେଁ, ବରଂ ଷ୍ଟାଣ୍ଡଅପ୍ କମେଡିଆନ୍ଙ୍କ ଭଳି ଲାଗୁଛି। ବିଜେପି ସାଂସଦ ବାଂସୁରୀ ସ୍ଵରାଜ ଲୋକସଭାରେ କହିଛନ୍ତି ଯେ, ଏଭଳି ଛୋଟ କାମ ରାହୁଲଙ୍କୁ ଶୋଭା ଦେଉନି। ବାଂସୁରୀ ଆହୁରି କହିଛନ୍ତି, ଦେଶକୁ ଏଭଳି ବିରୋଧୀ ଦଳ ନେତା ଦରକାର ନାହିଁ, ଯିଏ କେବଳ ସୋସିଆଲ ମିଡିଆର ମିମ୍ ଓ ରିଲ୍ସ ପାଇଁ ବୟାନ ଦେବେ। ବିରୋଧୀ ଦଳର ଭୂମିକା ହେଉଛି ସରକାରଙ୍କୁ ପ୍ରଶ୍ନ କରିବା ସହ ଦେଶର ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଗଠନମୂଳକ ଭୂମିକା ନେବା। ରାହୁଲଙ୍କ ମନ୍ତବ୍ୟ ଏହି ଦାୟିତ୍ୱର ଗରିମାକୁ କ୍ଷତି ପହଞ୍ଚାଉଛି ବୋଲି ସେ ଅଭିଯୋଗ କରିଛନ୍ତି।
ମୋଦିଙ୍କ ବୈଦେଶିକ ନୀତିକୁ ନେଇ ମଧ୍ୟ ବାଂସୁରୀ ରାହୁଲଙ୍କୁ ଜବାବ ଦେଇଛନ୍ତି। ମୋଦିଙ୍କ କୂଟନୀତି ଅସାଧାରଣ ବୋଲି ଦାବି କରି ସେ ଅନ୍ତର୍ଜାତୀୟ ସ୍ତରରେ ଭାରତର ଆର୍ଥିକ ସ୍ୱାର୍ଥକୁ ମଜବୁତ କରିବା ପାଇଁ ସରକାରଙ୍କ ବିଭିନ୍ନ ବାଣିଜ୍ୟିକ ବୁଝାମଣାର ଉଦାହରଣ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ୯ଟି ମୁକ୍ତ ବାଣିଜ୍ୟ ବୁଝାମଣା କରିଛନ୍ତି। ଏହାଦ୍ଵାରା ୩୮ଟି ଦେଶରେ ଭାରତର ଆର୍ଥିକ ଭବିଷ୍ୟତ ସୁରକ୍ଷିତ ହୋଇଛି ବୋଲି ସେ କହିଛନ୍ତି।
ସେପଟେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ରାହୁଲଙ୍କୁ ଟାର୍ଗେଟ କରି କହିଛନ୍ତି, “ରାହୁଲ ଗାନ୍ଧୀ, କେବେ ବଡ଼ ହେବେ?” ଦେଶ ଚଳାଇବା ପାଇଁ ପରିପକ୍ୱ ନେତୃତ୍ୱ ଆବଶ୍ୟକ, ଅପରିପକ୍ୱ ରାଜନୀତି ନୁହେଁ ବୋଲି ସେ କହିଛନ୍ତି। ସେହିପରି ଗିରିରାଜ ସିଂ କହିଛନ୍ତି ଯେ, ରାହୁଲଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ। ସୋନିଆ ଗାନ୍ଧୀ ତାଙ୍କୁ ସାହାଯ୍ୟ କରନ୍ତୁ।
ତେବେ ଗୁରୁବାର ‘ରଚନାତ୍ମକ କଂଗ୍ରେସ ନ୍ୟାସନାଲ କନଭେନସନ’ରେ ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ବୈଦେଶିକ ନୀତିକୁ ନେଇ ବ୍ୟଙ୍ଗ କରିଥିଲେ। ବିଦେଶ ନୀତି ନାଁରେ ପ୍ରଧାନମନ୍ତ୍ରୀ ବିଦେଶୀ ନେତାଙ୍କୁ ଆଲିଙ୍ଗନ କରିବା ଉପରେ ଅଧିକ ଗୁରୁତ୍ୱ ଦେଉଥିବା ଭଳି ସେ ଟିପ୍ପଣୀ କରିଥିଲେ। ନିଜ କଥା ବୁଝାଇବାକୁ ମଞ୍ଚରେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତଙ୍କୁ ଆଲିଙ୍ଗନ କରିଥିଲେ। ଏହି ସମୟରେ ଦୀକ୍ଷିତ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ନାଁ ଉଠାଇ ମଜାକିଆ ଟିପ୍ପଣୀ ଦେଇଥିଲେ। ଆଉ ଏଥିରେ ରାହୁଲ ଗାନ୍ଧୀ ସନ୍ଦୀପଙ୍କୁ କୁଣ୍ଡାଇ ହସିବାକୁ ଲାଗିଥିଲେ । ଏଥିସହିତ ରାହୁଲ ଆରଏସଏସ ଏବଂ ବିଜେପିକୁ ‘ଜୋକରଙ୍କ ଦଳ’ ବୋଲି କହିଥିଲେ । ଯାହାକୁ ନେଇ ବିଜେପି ଦୁଇ ନେତାଙ୍କ ଏଭଳି ବୟାନକୁ କଡା ନିନ୍ଦା କରିଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ୟରେ ବୟାନବାଜି ତୀବ୍ର ହୋଇଛି।
