Latest Odisha News

BREAKING NEWS

WHOର ସତର୍କବାଣୀ: ଡେଲଟା ସହ ମିଶି ଓମିକ୍ରନ୍ ଆଣିବ କରୋନାର ସୁନାମୀ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଗ୍ରାସିଲାଣି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଆମେରିକାରୁ ୟୁରୋପ ମହାଦେଶ ସମସ୍ତେ ତ୍ରାହି ତ୍ରାହି ଡାକ ଛାଡୁଛନ୍ତି । ସଂକ୍ରମଣ ଦ୍ରୁତ ବ୍ୟାପୁଛି । ଆମେରିକାରେ ଦୈନିକ ସଂକ୍ରମଣ ପାଖାପାଖି ୫ ଲକ୍ଷ । ୟୁରୋପ ମହାଦେଶର ଅନେକ ଦେଶରେ କରୋନା ବିସ୍ଫୋରଣ ସୃଷ୍ଟି କରିଛି । ଏଭଳି ସ୍ଥିତିରେ ସାରା ବିଶ୍ୱକୁ କଡ଼ା ଚେତାବନୀ ଶୁଣାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭୟାବହ ସ୍ଥିତି ନେଇ ସଜାଗ ରହିବାକୁ କହିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ୍ ଗେବ୍ରିୟସସ୍ କହିଛନ୍ତି, କରୋନାର ଆଗାମୀ ସୁନାମୀରେ ହୁଏତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ଯାଇପାରେ । ଓମିକ୍ରନର ସଂକ୍ରମଣ ଦ୍ରୁତ ବ୍ୟାପୁଛି । ଡେଲଟାଠାରୁ କମ୍ ଘାତକ ହୋଇଥିଲେ ବି ତାଠୁ ଢେର ଅଧିକ ସଂକ୍ରାମକ । ଡେଲଟା ସହ ମିଶି ଓମିକ୍ରନ୍ ସୁନାମୀ ରୂପ ନେଇପାରେ । ଏବଳି ହେଲେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ପ୍ରବଳ ଚାପ ପଡ଼ିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ କହିଛନ୍ତି ।

ଗତକାଲି ଦିନକରେ ସାରା ବିଶ୍ୱରୁ ୧୦ ଲକ୍ଷରୁ ଅଧିକ କେସ୍ ବାହାରିଥିଲା । ଡେଲଟା ଓ ଓମିକ୍ରନ୍ ଭାରିଆଣ୍ଟ ଯୋଗୁ ସଂକ୍ରମଣ ରେକର୍ଡ ସ୍ତର ପାର କରୁଛି । ହସ୍ପିଟାଲାଇଜେସନ୍ ଓ ମୃତ୍ୟୁହାର ବଢିବାରେ ଲାଗିଲାଣି । ଗତ ସପ୍ତାହରେ ସାରା ବିଶ୍ୱରେ ସଂକ୍ରମଣ ୧୧ ପ୍ରତିଶତ ବଢ଼ିଛି । ଓମିକ୍ରନ ଏଭଳି ବିସ୍ତାର କଲେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ବିଧ୍ୱସ୍ତମୁଖୀ କରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କବାଣୀ ଶୁଣାଇଛି ।

Leave A Reply

Your email address will not be published.