ଇସଲାମବାଦ: ପାକିସ୍ତାନର ନାରୋୱାଲ ବିଧାୟକ ରମେଶ ସିଂ ଅରୋରା ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ପାକିସ୍ତାନର ସଂଖ୍ୟାଲଘୁ ଶିଖ୍ ସମ୍ପ୍ରଦାୟର ବିଧାୟକ ହୋଇଛନ୍ତି । ଅରୋରା ପାକିସ୍ତାନ ମୁସଲିମ ଲିଗ୍ (ପିଏମଏଲ-ଏନ) ମୁଖ୍ୟମନ୍ତ୍ରୀ ମରିୟମ ନୱାଫ ସରିଫଙ୍କ କ୍ୟାବିନେଟରେ ଯୋଗଦେବେ ।
ବିଭାଜନ ପରେ ପ୍ରଥମ ଥର ପାଇଁ ପଞ୍ଜାବ ପ୍ରଦେଶର କ୍ୟାବିନେଟରେ ଜଣେ ଶିଖ୍ ଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଅବସରରେ ଶ୍ରୀ ଅରୋରା କହିଛନ୍ତି, ‘ମୁଁ କେବଳ ଶିଖଙ୍କ ନୁହେଁ ପାକିସ୍ତାନରେ ରହୁଥିବା ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ସମେତ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ତଥା କଲ୍ୟାଣ ପାଇଁ କାର୍ଯ୍ୟ କରିବି’।
କିଏ ଏହି ରମେଶ ସିଂ ଅରୋରା ?
ନିକଟରେ ପାକିସ୍ତାନରେ ଅନୁଷ୍ଠିତ ନିର୍ବାଚନରେ ଅରୋରା ନରୋୱାଲରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ଗତ ବର୍ଷ ସେ କରତାରପୁର କରିଡରର ରାଷ୍ଟ୍ରଦୂତ ଭାବରେ ମଧ୍ୟ ନିଯୁକ୍ତ ହୋଇଥିଲେ । ଏହାପୂର୍ବରୁ ଅରୋରା ତିନି ବର୍ଷ ପାଇଁ ପାକିସ୍ତାନ ଶିଖ୍ ଗୁରୁଦ୍ୱାର ପରିଚାଳନା କମିଟି (PSGPS) ର ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର ସମ୍ଭାଳିଥିଲେ ।
ନନକାନା ସାହିବରେ ଜନ୍ମିତ ସର୍ଦ୍ଦାର ରମେଶ ସିଂ ଅରୋରା ଲାହୋରର ସରକାରୀ ବିଶ୍ୱବିଦ୍ୟାଳୟରୁ ଏଣ୍ଟରପ୍ରିନୋରସିପ୍ ଏବଂ ଏସଏମଇ ପରିଚାଳନାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ରାଜନୀତିରେ ଯୋଗଦେବା ପୂର୍ବରୁ ଅରୋରା ପାକିସ୍ତାନରେ ବିଶ୍ୱ ବ୍ୟାଙ୍କର ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମରେ କାମ କରିଥିଲେ ।
ରମେଶ ସିଂ ଅରୋରା ନରୋୱାଲରୁ ପ୍ରାନ୍ତିୟ ସଂସଦ (MPA) ର ତିନିଥର ସଦସ୍ୟ ଅଟନ୍ତି । 1947 ମସିହାରେ ବିଭାଜନ ସମୟରେ, ତାଙ୍କ ପରିବାର ଅଧିକାଂଶ ଶିଖ / ହିନ୍ଦୁ ପରିବାର ପରି ଭାରତରେ ରହିବା ପରିବର୍ତ୍ତେ ପାକିସ୍ତାନରେ ରହିବାକୁ ପସନ୍ଦ କରିଥିଲେ ।
Comments are closed.