Latest Odisha News

BREAKING NEWS

ବଲାଙ୍ଗୀର ଲୋକସଭା ଆସନ: ପ୍ରାର୍ଥୀ ପାଇଁ ନବାଗତ ଓ ପୁରୁଖାଙ୍କ ଲମ୍ବା ଧାଡ଼ି

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ବଲାଙ୍ଗୀର କଂଗ୍ରେସ କ୍ୟାମ୍ପ ବେଶ ଚଳଚଞ୍ଚଳ ହୋଇ ଉଠିଛି। ବିଜେପି-ବିଜେଡ଼ି ମେଣ୍ଟର ଫାଇଦା ନେବାକୁ ଜିଲ୍ଲା କଂଗ୍ରେସ ବେଶ ସକ୍ରିୟ ହୋଇ ଉଠିଛି। ଫଳରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ଚଳାଇଛି। ସେପଟେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ନିର୍ବାଚନ ମଣ୍ଡଳୀବାସୀ ବେଶ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। ସେପଟେ ମେଣ୍ଟକୁ ନେଇ ଯେଉଁ ଚର୍ଚ୍ଚା ଜୋର ଧରିଛି ତାହା କଂଗ୍ରେସ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଛି ବୋଲି ଅନେକ ରାଜନୈତିକ ବିଶ୍ଳେଷକ ମତ ଦେଇଛନ୍ତି।

ଗତ ନିର୍ବାଚନରେ ଏଠାରୁ ବିଜେପି ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟରେ କଳିକେଶ ସିଂହଦେଓ ଓ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ତୃତୀୟ ସ୍ଥାନରେ ରହିଥିଲେ। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଆଗାମୀ ନିର୍ବାଚନ ଲଢିବେ ନାହିଁ ବୋଲି ପୂର୍ବରୁ କହି ସାରିଛନ୍ତି। ଫଳରେ ଏହି ସ୍ଥାନରୁ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର ଲୋକସଭା ପାଇଁ ଆଶାୟୀ ରହିଛନ୍ତି। ସେପଟେ ଏହି ଆସନରୁ ପ୍ରାର୍ଥୀ ହେବା ପାଇଁ ଅନେକ ନବାଗତ ଓ ପୁରୁଖାଙ୍କ ଦରଖାସ୍ତ ଦଳ ନିକଟରେ ଦାଖଲ ହୋଇଛି। ତେବେ ଏମାନଙ୍କ ମଧ୍ୟରୁ କିଛି ପୂର୍ବତନ ବିଧାୟକ ଯଜ୍ଞେଶ୍ୱର ବାବୁ, ବିନୋଦ ପାତ୍ର, ପୂର୍ବତନ ଏଆଇସିସି ସଦସ୍ୟ ବିଧୁଭୂଷଣ ତ୍ରିପାଠୀ, ଆକବର ଖାନ, ରାଜନୀତିରେ ବୁଡ ପକାଇଥିବା ଅଭିନେତା ମନୋଜ ମିଶ୍ର ଓ ଅନ୍ୟ କିଛି ଚର୍ଚ୍ଚିତ ଚେହେରାଙ୍କ ନାଁ ରହିଛି।

ତେବେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇନଥିବା ବେଳେ ମନୋଜ, ବିନୋଦ, ବିଧୁଭୂଷଣଙ୍କ ନାଁ ଆଗରେ ରହିଥିବା ଜିଲ୍ଲା କଂଗ୍ରେସ କ୍ୟାମ୍ପରେ ଚର୍ଚ୍ଚା ଜୋର ଧରିଛି। ସେପଟେ ପ୍ରାର୍ଥୀ ଚୟନ ବେଳେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରୁ ଫାଇଦା ହାସଲ ଲକ୍ଷ୍ୟରେ ମୈଦାନରେ ପ୍ରାର୍ଥି ଦିଆଯିବ। ସେହିପରି ନିର୍ବାଚନୀ ମଣ୍ଡଳୀରେ ପ୍ରାର୍ଥୀଙ୍କ ଲୋକପ୍ରିୟତା ଓ ବିଜୟ ସମ୍ଭାବନାକୁ ମୁଖ୍ୟ ଆଧାର ଭାବେ ଗ୍ରହଣ କରାଯିବ ବୋଲି ଦଳ ଏକ ମାପଦଣ୍ଡ ପ୍ରସ୍ତୁତ କରିସାରିଛି।

Comments are closed.