Latest Odisha News

BREAKING NEWS

ଦିଲ୍ଲୀ ବିସ୍ଫୋରଣ: କିପରି ତିଆରି ହୋଇଥିଲା ଡାକ୍ତର ମଡ୍ୟୁଲ୍?

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ୨୦୧୧ ପରେ ଦେଶର ରାଜଧାନୀ ଦିଲ୍ଲୀ ପୁଣି ଥରେ ବୋମା ବିସ୍ଫୋରଣରେ କମ୍ପି ଉଠିଛି। ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ହୋଇଥିବା ବିସ୍ଫୋରଣର ଭୟଙ୍କର ଶବ୍ଦ ପାଞ୍ଚ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ଥରି ଉଠିଥିଲା ସମଗ୍ର ଅଞ୍ଚଳ। ଦିଲ୍ଲୀ ବିସ୍ଫୋରଣ ପରେ ପୂରା ଦେଶ ହାଇଆଲର୍ଟରେ ରହିଛି। ତଦନ୍ତରେ ଡ. ଉମର, ଯିଏ ଏହି ଘଟଣାର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି ସେ କୌଣସି ସାଧାରଣ ବ୍ୟକ୍ତି ନଥିଲା ବରଂ ଜଣେ ନାମୀ ଦାମୀ ଡାକ୍ତର ଏବଂ ପ୍ରଫେସର ଥିଲା। ଆଉ ସେ ମଧ୍ୟ ନିଜ ଡାକ୍ତର ସାଥିଙ୍କୁ ବାଛିଥିଲା ଏହି ଷଡ଼ଯନ୍ତ୍ର ରଚିବାକୁ।

ଏମାନେ ସେହି ଡାକ୍ତର ଥିଲେ ଯେଉଁମାନେ ଦିନ ଲୋକଙ୍କ ଜୀବନ ବଞ୍ଚାଇବାର ଶପଥ ନେଇଥିଲେ। ଯେଉଁମାନଙ୍କୁ ଭଗବାନ ତୁଲ୍ୟ ବୋଲି ଲୋକେ ଭାବୁଥିଲେ। କିନ୍ତୁ ଦିଲ୍ଲୀ ବିସ୍ଫୋରଣ ପ୍ରମାଣିତ କଲା, ଡାକ୍ତର ରୂପରେ ଏମାନେ ଭଗବାନ ନୁହନ୍ତି, ସୈତାନ । ଏମାନେ ଆତଙ୍କବାଦୀ ଷଡଯନ୍ତ୍ର କରିଥିଲେ, ରକ୍ତପାତ କରିବାକୁ ମଡ୍ୟୁଲ୍ ପ୍ରସ୍ତୁତ କରିଥିଲେ।

ଆତଙ୍କି ଉମର କିଏ ? 

ଡ. ଉମରର କାହାଣୀ ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାର କୋଇଲ୍ ଗ୍ରାମରୁ ଆରମ୍ଭ ହୋଇଛି। ଉମରର ଜନ୍ମ ୨୪ ଫେବୃଆରୀ ୧୯୮୯ରେ ହୋଇଥିଲା। ଉମରଙ୍କ ମା’, ବାପା, ଦୁଇ ଭାଇ ଏବଂ ଜଣେ ଭଉଣୀ ଅଛନ୍ତି। ମହମ୍ମଦ ଉମରର ଭାବିପତ୍ନୀ ଅଛି। ଯିଏ ନିଜେ ମଧ୍ୟ ଜଣେ ଡାକ୍ତର। ଉଭୟଙ୍କର ନିର୍ବନ୍ଧ ହୋଇ ସାରିଥିଲା ଏବଂ ପରିବାର ନିକାହର ଅପେକ୍ଷାରେ ଥିଲେ। ଉମରର ଫିଆନ୍ସି ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ଉମର ଛୋଟବେଳୁ ହିଁ ପାଠ ପଢ଼ାରେ ଆଗୁଆ ଥିଲା। ସେ ବହୁତ ମେଧାବୀ ଥିଲା। ପରିବାର ତାଠାରୁ ବଡ଼ ଆଶା ରଖିଥିଲା ଯେ ଦିନେ ସେ ଏକ ବଡ଼ ଡାକ୍ତର ହେବ ଏବଂ ତାହା ହିଁ ହେଲା। ନିଜ ପରିଶ୍ରମରେ ଏମ୍‌ବିବିଏସ୍‌ରେ ପ୍ରବେଶ ପାଇଲା ଉମର। ଡ. ଉମର କୌଣସି ସାଧାରଣ କଲେଜରୁ ନୁହେଁ ବରଂ ଏକ ସରକାରୀ ମେଡିକାଲ୍ କଲେଜରୁ ଏମ୍‌ବିବିଏସ୍ କରିଥିଲା।

ଉମର ପାଠ କେଉଁଠି କେମିତି ପଢିଥିଲା

ଉମର ଶ୍ରୀନଗରର ଗଭର୍ଣ୍ଣମେଣ୍ଟ ମେଡିକାଲ୍ କଲେଜ ଏଗଉରୁ ନିଜ ଏମ୍‌ବିବିଏସ୍ ପାଠପଢ଼ା ସମ୍ପୂର୍ଣ୍ଣ କରିଥିଲା। ଏହା କଶ୍ମୀର ଉପତ୍ୟକାର ସବୁଠାରୁ ପୁରୁଣା ଏବଂ ଶ୍ରେଷ୍ଠ ସରକାରୀ ମେଡିକାଲ୍ କଲେଜ, ଯେଉଁଠାରେ ପ୍ରତିବର୍ଷ ହଜାର ହଜାର ଛାତ୍ର ମେରିଟ୍ ଆଧାରରେ ପ୍ରବେଶ ପାଇଁ ଚେଷ୍ଟା କରନ୍ତି। ପାଠପଢ଼ା ସମୟରେ ସେ ସର୍ବଦା ଭଲ ରହିଥିଲା। ଇଣ୍ଟର୍ଣ୍ଣଶିପ୍ ସମୟରେ ଦିନରାତି ହସ୍ପିଟାଲ୍‌ରେ ରୋଗୀଙ୍କ ସେବାରେ ନିୟୋଜିତ ରହୁଥିଲା। ଶ୍ରୀନଗର ଗଭର୍ଣ୍ଣମେଣ୍ଟ ମେଡିକାଲ୍ କଲେଜ, ନ୍ୟାସନାଲ୍ ମେଡିକାଲ୍ କମିଶନରୁ ମାନ୍ୟତା ପ୍ରାପ୍ତ । ସେଠାରୁ ପଢ଼ିଥିବା ଛାତ୍ରମାନେ ସମଗ୍ର ଦେଶରେ ଡାକ୍ତର ଭାବେ ନିୟଜିତ ଅଛନ୍ତି। ଉମର ମଧ୍ୟ ସେଠାରୁ ନିଜ ଡିଗ୍ରୀ ନେଇଥିଲା ଏବଂ ରେଜିଡେଣ୍ଟ ଡାକ୍ତର ଭାବେ କାମ ଆରମ୍ଭ କରିଥିଲା। କିଛି ବର୍ଷ ଧରି ସେ ସେଠାରେ ସେବା ଦେଇଥିଲା। ଏବେ କିଛି ବର୍ଷ ପୂର୍ବେ ସେ ନିଜ ପରିବାର ସହିତ ଫରିଦାବାଦକୁ ସ୍ଥାନାନ୍ତରିତ ହୋଇଥିଲା ଏବଂ ଏକ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରୋଫେସର ଭାବେ ପଢ଼ାଇବା ଆରମ୍ଭ କରିଥିଲା।

ଏପରି ଜଣେ ବ୍ୟକ୍ତି ଯିଏ କେବେ ଲୋକଙ୍କ ଜୀବନ ବଞ୍ଚାଇବାର ଶପଥ ନେଇଥିଲା, ସେ ଏବେ ମୃତ୍ୟୁର ସୌଦାଗର ହୋଇଗଲା। ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ର ଡାକ୍ତର ହେବାର ସ୍ୱପ୍ନ ଦେଖନ୍ତି, କଠିନ ପରିଶ୍ରମରେ ମେଡିକାଲ୍ ଏଣ୍ଟ୍ରାନ୍ସ ପାସ୍ କରନ୍ତି ଏବଂ ସରକାରୀ କଲେଜରେ ପ୍ରବେଶ ପାଆନ୍ତି। କିନ୍ତୁ ଉମର ଡାକ୍ତର ନାମରେ ଦେଶ ପାଇଁ କଳଙ୍କ ସାଜିଲା।

ଦିଲ୍ଲୀ ବିସ୍ଫୋରଣର ଡାକ୍ତର ମଡ୍ୟୁଲ୍

ଉମର ପୁଲୱାମାରୁ ଫରିଦାବାଦକୁ ଆସିବା ପରେ ଦିଲ୍ଲୀକୁ ଦୋହଲାଇ ଦେବାକୁ କରିଥିଲା ବଡ଼ ଷଡ଼ଯନ୍ତ୍ର। ସହାରନପୁରରୁ ଲକ୍ଷ୍ନୌ ଯାଏଁ ଷଡ଼ଯନ୍ତ୍ରର କନେକ୍ସନ। ଦିଲ୍ଲୀ ବିସ୍ଫୋରଣର ଡାକ୍ତର ମଡ୍ୟୁଲ। ତୁର୍କୀରୁ ମିଳୁଥିଲା ଆଦେଶ। ଷଡ଼ଯନ୍ତ୍ରର ମାଷ୍ଟର ମାଇଣ୍ଡ ଥିଲା ଡାକ୍ତର ଉମର। ଇଏ ସେହି ଉମର ଯିଏ କାଶ୍ମୀରର ପୁଲୱାମାରୁ ବାହାରି ଫରିଦାବାଦରେ ଛିଡ଼ା କଲା ଆତଙ୍କର ଡାକ୍ତର ମଡ୍ୟୁଲ। ଆତଙ୍କୀ ମଡ୍ୟୁଲରେ ଡାକ୍ତର ଉମର ପୁଲୱାମାର ଡାକ୍ତର ମୁଜମ୍ମିଲ, ଡାକ୍ତର ସଜ୍ଜାଦ, ନଦିଗାମର ଡାକ୍ତର ହମିଜ ଫୟାଦ, ଚିତ୍ରଗାମର ଡାକ୍ତର ୟୁସୁଫ ଫଲାହି ଓ ଲକ୍ଷ୍ନୌର ଡାକ୍ତର ସାହିନ ସାହିଦଙ୍କୁ ସାମିଲ କଲା। ଏମାନଙ୍କ ସହ ଆଜମଗଡ଼ର ଡାକ୍ତର ପରଭେଜ ଅନସାରୀ, ସାହାରନପୁରର ଡାକ୍ତର ଅଦିଲକୁ ବି ଯୋଡ଼ିଲା। ସ୍ପଷ୍ଟ ଭାବେ କୁହାଯାଇପାରେ ଆତଙ୍କର ସର୍ବଭାରତୀୟ ମଡ୍ୟୁଲ ଗଠନ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା।

ହ୍ବାଇଟ୍ କଲର ଟେରର କଣ ?

ଆତଙ୍କର ଡାକ୍ତର ବ୍ରିଗେଡ୍‌ର କେନ୍ଦ୍ର ସ୍ଥଳ ପାଲଟିଥିଲା ଦିଲ୍ଲୀ ନିକଟସ୍ଥ ଫରିଦାବାଦର ଅଲଫଲାହ ୟୁନିଭର୍ସିଟି ଯେଉଁଠି ଉମର ପଢାଉଥିଲା। ସାହିନ ଓ ମୁଜାମ୍ମିଲ ବି ସେହିଠାରେ ହିଁ କାମ କରୁଥିଲେ। ଡାକ୍ତର ମୁଜାମ୍ମିଲକୁ ସୁରକ୍ଷା ଏଜେନ୍ସି ବିସ୍ଫୋରଣ ପୂର୍ବରୁ ହିଁ ଫରିଦାବାଦର ଅଲଫଲାହ ମେଡିକାଲ କଲେଜରୁ ଗିରଫ କରାଯାଇଥିଲା। ତା କହିବା ଅନୁସାରେ ୨୯୦୦ କିଲୋ ବିସ୍ଫୋରକ ଜବତ ହୋଇଥିଲା। ଉମର ଆତଙ୍କୀ ଟିମର ଡାକ୍ତର ଅଦିଲକୁ ସାହରନପୁରରୁ ଗିରଫ କରାଗଲା। ଯେଉଁଠାରେ ସିନିୟର ରେସିଡେଣ୍ଟ ଥିଲା। ଅଦିଲର କହିବା ଅନୁସାରେ ଶ୍ରୀନଗରରେ ଡାକ୍ତରଙ୍କ ଲକରରୁ AK-47 ମିଳିଲା। ପୁରା ନେଟୱର୍କର ଖୁଲାସା ଏକ ପୋଷ୍ଟରରୁ ହେଲା। ୧୯ ଅକ୍ଟୋବରରୁ ତଦନ୍ତକାରୀ ଏଜେନ୍ସିକୁ କାଶ୍ମୀରରେ ଜୈସର ଏକ ପୋଷ୍ଟର ମିଳିଥିଲା। ପୋଷ୍ଟରର ତଦନ୍ତ କରୁ କରୁ ପୋଲିସ ମୌଲବୀ ଇରଫାନ ନିକଟରେ ପହଞ୍ଚିଥିଲା। ତାର ଗିରଫଦାରୀ ପରେ ଡାକ୍ତର ମଡ୍ୟୁଲର ଖୁଲାସା ହୋଇଥିଲା। ଯାହାକୁ ସୁରକ୍ଷା ବାହିନୀ ହ୍ବାଇଟ୍ କଲର ଟେରର ନାଁ ଦେଇଛନ୍ତି।

Comments are closed.