ନୂଆଦିଲ୍ଲୀ: ଭାରତୀୟ ନ୍ୟାୟପାଳିକାର ଅଧିକାର କ୍ଷେତ୍ରକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ବିଜେପି ସାଂସଦ ନିଶିକାନ୍ତ ଦୁବେ ସୁପ୍ରୀମ୍ କୋର୍ଟଙ୍କ ସମ୍ପର୍କିତ ତାଙ୍କ ସାମ୍ପ୍ରତିକ ମନ୍ତବ୍ୟ ଯୋଗୁ ବିବାଦରେ ଘେରିଛନ୍ତି। ବିରୋଧୀ ତାଙ୍କ ଉପରେ ନ୍ୟାୟପାଳିକା ଉପରେ ଚାପ ସୃଷ୍ଟି କରିବାର ଅଭିଯୋଗ ଆଣୁଛନ୍ତି। ଅନ୍ୟପଟେ ବିଜେପି ତାଙ୍କ ବୟାନଠାରୁ ଦୂରେଇ ରହିଛି। ତଥାପି, ନିଶିକାନ୍ତ ଦୁବେ ତାଙ୍କ କଥାରେ ଅଟଳ ରହିଛନ୍ତି। ଏବେ ସେ ଭାରତୀୟ ନ୍ୟାୟପାଳିକାକୁ ନେଇ ଆଉ ଏକ ବଡ଼ ଖୁଲାସା କରିଛନ୍ତି।
ଝାଡ଼ଖଣ୍ଡର ଗୋଡ୍ଡାରୁ ସାଂସଦ ଥିବା ନିଶିକାନ୍ତ ଦୁବେ ସୋମବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି। ଯେଉଁଥିରେ ସେ କହିଛନ୍ତି, ଆପଣ ଜାଣନ୍ତି କି, ୧୯୬୭-୬୮ରେ ଭାରତର ପ୍ରଧାନ ବିଚାରପତି କୈଲାଶନାଥ ବାଞ୍ଚୁ କୌଣସି ଆଇନ ଶିକ୍ଷା ଗ୍ରହଣ କରିନଥିଲେ?
ଭାରତୀୟ ନ୍ୟାୟପାଳିକାର ଇତିହାସରେ କୈଲାଶନାଥ ବାଞ୍ଚୁ ଜଣେ ଏମିତି ପ୍ରଧାନ ବିଚାରପତି ଥିଲେ, ଯିଏ ଆଇନ ଡିଗ୍ରୀ ହାସଲ କରିନଥିଲେ, ତଥାପି ଭାରତର ସର୍ବୋଚ୍ଚ ନ୍ୟାୟିକ ପଦବୀ ପର୍ଯ୍ୟନ୍ତ ପହଞ୍ଚିଥିଲେ। ଆସନ୍ତୁ ଜାଣିବା କିଏ ଥିଲେ ଜଷ୍ଟିସ୍ କୈଲାଶନାଥ ବାଞ୍ଚୁ ଏବଂ କିପରି ଆଇନର କୌଣସି ଔପଚାରିକ ଶିକ୍ଷା ବିନା ତାଙ୍କୁ ମୁଖ୍ୟ ବିଚାରପତି ପଦ ଦିଆଗଲା।
କୈଲାଶନାଥ ବାଞ୍ଚୁ କିଏ ଥିଲେ?
ଜଷ୍ଟିସ୍ କୈଲାଶନାଥ ବାଞ୍ଚୁଙ୍କ ଜନ୍ମ ୧୯୦୩ ମସିହା ଫେବୃଆରୀ ୨୫ ତାରିଖରେ ଆହ୍ଲାବାଦର ଏକ କାଶ୍ମୀରୀ ପଣ୍ଡିତ ପରିବାରରେ ହୋଇଥିଲା। ତାଙ୍କ ପରିବାର ମୂଳତଃ କାଶ୍ମୀରରୁ ଆସି ଆହ୍ଲାବାଦରେ ରହିଥିଲେ। ତାଙ୍କର ପ୍ରାଥମିକ ଶିକ୍ଷା ମଧ୍ୟପ୍ରଦେଶର ନୌଗାଁରେ, ମାଧ୍ୟମିକ ଶିକ୍ଷା କାନପୁରରେ ଏବଂ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସେ ବିଏ ଡିଗ୍ରୀ ହାସଲ କରିଥିଲେ। ପଢ଼ାରେ ମେଧାବୀ ବାଞ୍ଚୁ ୧୯୨୪ରେ ଇଣ୍ଡିଆନ୍ ସିଭିଲ୍ ସର୍ଭିସେସ୍ (ଆଇସିଏସ୍) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରଶିକ୍ଷଣ ପାଇଁ ଲଣ୍ଡନ ଯାଇଥିଲେ।
ଜଷ୍ଟିସ୍ ବାଞ୍ଚୁଙ୍କ ଯାତ୍ରା
ସାଧାରଣତଃ ଜଣେ ବିଚାରପତି କିମ୍ବା ପ୍ରଧାନ ବିଚାରପତି ହେବା ପାଇଁ ଆଇନ ଡିଗ୍ରୀ ଆବଶ୍ୟକ ବୋଲି ବିଚାର କରାଯାଏ, କିନ୍ତୁ ବାଞ୍ଚୁ ଏହାର ବ୍ୟତିକ୍ରମ ଥିଲେ। ସେ ସିଧାସଳଖ ଏଲଏଲବି ଡିଗ୍ରୀ ହାସଲ କରିନଥିଲେ, ବରଂ ୧ୟ୨୪ରେ ଆଇସିଏସ୍ରେ ଚୟନ ହୋଇ ଲଣ୍ଡନ ଯାଇଥିଲେ। ସେଠାରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପ୍ରଶିକ୍ଷଣ ସମୟରେ ସେ ଅପରାଧୀକ ଆଇନର ଗଭୀର ଅଧ୍ୟୟନ କରିଥିଲେ। ସେଠାରେ ସେ ଆଇନର ବ୍ୟବହାରିକ କାର୍ଯ୍ୟକୁ ଶିଖିଥିଲେ, ଯାହା ପରେ ତାଙ୍କ ନ୍ୟାୟିକ ନିଷ୍ପତ୍ତିରେ ପ୍ରତିଫଳିତ ହୋଇଥିଲା।
ଅକ୍ସଫୋର୍ଡରେ ପ୍ରଶିକ୍ଷଣ ଶେଷ କରି ସେ ସଂଯୁକ୍ତ ପ୍ରଦେଶ (ବର୍ତ୍ତମାନର ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ)ରେ ଯୁଗ୍ମ ମାଜିଷ୍ଟ୍ରେଟ ଓ କଲେକ୍ଟର ଭାବେ ନିଯୁକ୍ତ ହୋଇଥିଲେ।
ଆଇସିଏସ୍ରୁ ବିଚାରପତି
ପ୍ରାୟ ଏକ ଦଶନ୍ଧି ଧରି ବିଭିନ୍ନ ଜିଲ୍ଲାରେ ପ୍ରଶାସନିକ ସେବା ପ୍ରଦାନ କରିବା ପରେ ୧୯୩୭ରେ ସେ ସେସନ୍ସ ଓ ଜିଲ୍ଲା ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ସ୍ୱାଧୀନତା ପରେ ୧୯୪୭ରେ ତାଙ୍କୁ ଆହ୍ଲାବାଦ ହାଇକୋର୍ଟରେ ଅସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ଯେତେବେଳେ ତାଙ୍କର ଜଣେ ଆଇସିଏସ୍ ସହଯୋଗୀ ଛୁଟିରେ ଥିଲେ। ମାତ୍ର ୧୦ ମାସ ମଧ୍ୟରେ ତାଙ୍କ ଯୋଗ୍ୟତା ଆଧାରରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ କରାଗଲା।
ପରେ ତାଙ୍କର ବଦଳି ରାଜସ୍ଥାନ ହାଇକୋର୍ଟକୁ ହୋଇଥିଲା, ଯେଉଁଠାରେ ସେ ୧୯୫୧ରୁ ୧୯୫୮ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ ତାଙ୍କୁ ଜଣେ ଦକ୍ଷ, ନିରପେକ୍ଷ ଏବଂ ଗଭୀର ଆଇନୀ ଜ୍ଞାନ ସମ୍ପନ୍ନ ବିଚାରପତି ଭାବେ ପରିଚୟ ମିଳିଥିଲା, ଯାହା ତାଙ୍କୁ ସୁପ୍ରୀମ୍ କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇଥିଲା। ସେ ୧୯୫୮ ମସିହା ଅଗଷ୍ଟ ୧୧ରେ ସୁପ୍ରୀମ୍ କୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।
ପ୍ରଧାନ ବିଚାରପତି ହେବାର ରୋଚକ କାହାଣୀ
ଜଷ୍ଟିସ୍ ବାଞ୍ଚୁଙ୍କର ପ୍ରଧାନ ବିଚାରପତି ହେବା ଏକ ଅପ୍ରତ୍ୟାଶିତ ଘଟଣା ଥିଲା। ୧୯୬୭ ମସିହା ଏପ୍ରିଲ ୧୧ରେ ତତ୍କାଳୀନ ମୁଖ୍ୟ ବିଚାରପତି କେ. ସୁବ୍ବାରାଓ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ହଠାତ୍ ଇସ୍ତଫା ଦେଇଥିଲେ। ଏପରି ସ୍ଥିତିରେ ଅନୁଭବରେ ବରିଷ୍ଠ ଥିବା ବାଞ୍ଚୁଙ୍କୁ ୧୯୬୭ ମସିହା ଏପ୍ରିଲ ୨୪ରେ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ସେ ୧୯୬୮ ମସିହା ଫେବୃଆରୀ ୨୪ ପର୍ଯ୍ୟନ୍ତ, ପ୍ରାୟ ୧୧ ମାସ ଏହି ପଦ ସମ୍ଭାଳିଥିଲେ। ତାଙ୍କ କାର୍ଯ୍ୟକାଳରେ ସୁପ୍ରୀମ୍ କୋର୍ଟ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ ଏବଂ ସେ ୧୨୮୬ଟି ବେଞ୍ଚର ଅଂଶ ଥିଲେ, ଯେଉଁଥିରେ ୩୫୫ଟି ନିଷ୍ପତ୍ତି ସେ ନିଜେ ଲେଖିଥିଲେ।
ବାଞ୍ଚୁ ୧୯୫୦-୫୧ ମସିହାରେ ସଂଯୁକ୍ତ ପ୍ରଦେଶ କମିଟି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କମିଟିରେ ମଧ୍ୟ ସାମିଲ ଥିଲେ। ତାଙ୍କର ପ୍ରଶାସନିକ ଓ ଆଇନ ଦକ୍ଷତା ତାଙ୍କୁ ଔପଚାରିକ ଆଇନ ଶିକ୍ଷା ବିନା ମଧ୍ୟ ପ୍ରଧାନ ବିଚାରପତି ପଦ ପର୍ଯ୍ୟନ୍ତ ପହଞ୍ଚାଇଥିଲା।
ନିଶିକାନ୍ତ ଦୁବେଙ୍କ ପୋଷ୍ଟ ଓ ବିବାଦ
ନିଶିକାନ୍ତ ଦୁବେଙ୍କ ଏହି ପୋଷ୍ଟକୁ ସୁପ୍ରୀମ୍ କୋର୍ଟ ଏବଂ ପ୍ରଧାନ ବିଚାରପତି ସମ୍ପର୍କରେ ତାଙ୍କର ସାମ୍ପ୍ରତିକ ବିବାଦୀୟ ବୟାନ ସହ ଯୋଡ଼ାଯାଉଛି। ସେ ୱାକଫ୍ ଆଇନ ସମ୍ପର୍କିତ ସୁପ୍ରୀମ୍ କୋର୍ଟରେ ଶୁଣାଣି ଉପରେ ପ୍ରଶ୍ନ ଉଠାଇ ପ୍ରଧାନ ବିଚାରପତି ସଞ୍ଜୀବ ଖନ୍ନାଙ୍କ ଉପରେ ‘ଧାର୍ମିକ ଯୁଦ୍ଧ’ ଭଡ଼କାଇବାର ଅଭିଯୋଗ ଲଗାଇଥିଲେ।
ଏହି ଘଟଣା ନ୍ୟାୟପାଳିକାର ସ୍ୱାଧୀନତା ଏବଂ ରାଜନୈତିକ ବୟାନବାଜୀ ମଧ୍ୟରେ ଏକ ନୂଆ ବିତର୍କ ସୃଷ୍ଟି କରିଛି, ଯାହା ଆଗାମୀ ଦିନରେ ଆହୁରି ଚର୍ଚ୍ଚାର ବିଷୟ ହେବ ବୋଲି ଆଶା କରାଯାଉଛି।
Comments are closed.