ନୂଆଦିଲ୍ଲୀ: ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀ ସାରା ବିଶ୍ୱରେ ଜଣେ ଉଦୀୟମାନ କ୍ରିକେଟର ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି । ରାଜସ୍ଥାନ ରୟାଲ୍ସର ଏହି ଷ୍ଟାର ବ୍ୟାଟ୍ସମ୍ୟାନ କ୍ୱାଲିଫାୟର ୨ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ୯୬ ରନର ଇନିଂସ ଖେଳିବା ସତ୍ୱେ ଦଳ ବିଜୟ ହାସଲ କରିପାରି ନ ଥିଲା । ଏହା ପୂର୍ବରୁ ଏଲିମିନେଟରରେ ୯୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ବୈଭବ ୧୦ ଦିନ ପରେ ଶ୍ରୀଲଙ୍କା ଏ, ଆଫଗାନିସ୍ତାନ ଏ ଓ ଭାରତ ଏ ମଧ୍ୟରେ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ ସିରିଜରେ ଖେଳିବେ । ଫାଇନାଲ ସମେତ ଓଭରାଲ ୭ଟି ମ୍ୟାଚ ଖେଳାଯିବ । ପ୍ରିୟାଂଶ ଆର୍ଯ୍ୟଙ୍କ ସହ ସେ ଓପିନଂ କରିବେ ।
ଯଦି ସେ ଭଲ ପ୍ରଦର୍ଶନ କରିବେ ତେବେ ଆଗାମୀ ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ସିରିଜରେ ସିନୟର ଟିମରେ ସ୍ଥାନ ପାଇବା ସମ୍ଭାବନା ରହିଛି । ବୈଭବ ଆଇପିଏଲରେ ୧୬ ମ୍ୟାଚ ଖେଳି ୪୮.୫୦ ଆଭରେଜରେ ୭୭୬ ରନ ସଂଗ୍ରହ କରିଛନ୍ତି । ଆଇପିଏଲର ଗୋଟିଏ ସିଜନରେ ସର୍ବାଧିକ ରନ କରିବାରେ ସେ ଅନକ୍ୟାପଡ ଖେଳାଳି ହୋଇଛନ୍ତି । ୨୩୭ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି । ଗୋଟିଏ ସିଜନରେ ସର୍ବାଧିକ (୭୨) ଛକା ମାରିବାରେ ସେ କ୍ରିସ ଗେଲ(୫୯)ଙ୍କ ୧୪ ବର୍ଷ ତଳର ରେକର୍ଡ ଭାଙ୍ଗି ଦେଇଛନ୍ତି ।