Latest Odisha News

BREAKING NEWS

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ଇଭିଏମରେ କଏଦ ଜନତାଙ୍କ ରାୟ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା, ବାହାରିବ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ । ଏବେଠୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜୋରଦାର ହେଲାଣି ଅଙ୍କକଷା । ୬ଟି ପ୍ରମୁଖ ଦଳର ଦୁଇଟି ମେଣ୍ଟ ମଧ୍ୟରେ ଏଥର ମହାରାଷ୍ଟ୍ର ମହାମୁକାବିଲା ହୋଇଛି । ତେବେ ମୁଖ୍ୟମନ୍ତ୍ରୀ ପଦ ରେସରେ ସବୁ ଦଳର ନେତା ନିଜ ସପକ୍ଷରେ ଦାବେଦାରି ରଖିଲେଣି। ତେବେ ଫଳାଫଳ ଘୋଷଣା ପରେ ସଂଖ୍ୟା ହିଁ ନିର୍ଣ୍ଣୟ କରିବ କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ।

ବିଜେପିରୁ ହେବେ କି ସିଏମ୍?

ବିଧାନସଭାରେ ସବୁଠୁ ଅଧିକ ସଂଖ୍ୟକ ବିଧାୟକ ଥାଇ ବି ବିଜେପି ମୁଖ୍ୟମନ୍ତ୍ରୀ ପଦରେ ଗତ ୫ବର୍ଷ ହେଲା ବସିନି । ଏଥର ନିର୍ବାଚନରେ ବିଜେପି ସବୁଠୁ ଅଧିକ ପ୍ରାର୍ଥୀ ଦେଇଛି । ୨୦୧୯ରେ ବିଜେପିର ୧୦୫ ବିଧାୟକ ଥିଲେ । ଏଥର ଏହାଠାରୁ ଅଧିକ ବିଧାୟକ ଜିତିବା ସମ୍ଭାବନା କମ୍ । ବିଜେପି ଯଦି ଶହେରୁ କମ୍ ସିଟ ଜିତେ ତେବେ ସମୀକରଣ ରୋଚକ ହେବ । କ୍ଷମତାକୁ ଆସିବା ପାଇଁ ବିଜେପିକୁ ସହଯୋଗୀଙ୍କ ଉପରେ ନିର୍ଭରଶୀଳ ହେବାକୁ ପଡିବ । ଦରକାର ପଡିଲେ କ୍ଷମତାରେ ରହିବାକୁ ମୁଖ୍ୟମନ୍ତ୍ରୀ ପଦ ବି ସହଯୋଗୀଙ୍କୁ ଦେବାକୁ ପଡିପାରେ । ଏଥର ଅନେକ ବିଦ୍ରୋହୀ ଓ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ବେଳେ ସରକାର ଗଠନରେ ସେମାନଙ୍କ ଭୂମିକା ବି ଗୁରୁତ୍ବପୂର୍ଣ୍ଣ ରହିବ । ବିଜେପିରୁ ସିଏମ ପଦ ପାଇଁ ପ୍ରଥମ ପସନ୍ଦ ହେବେ ଦେବେନ୍ଦ୍ର ଫଡନାଭିସ । ତେବେ ମଧ୍ୟପ୍ରଦେଶ ଭଳି ମହାରାଷ୍ଟ୍ରରେ ବି ଓବିସି ମୁଖ୍ୟମନ୍ତ୍ରୀ କରି ଚମକାଇପାରେ ବିଜେପି ।

ସିନ୍ଦେ, ଅଜିତଙ୍କ ସମ୍ଭାବନା କେତେ?

୪୦ରୁ ଅଧିକ ବିଧାୟକ ଜିତିଲେ ହିଁ ଏକନାଥ ସିନ୍ଦେ ପୁଣି ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିବ । ତାସହ ଅଜିତ ପାଓ୍ବାର ଓ ସ୍ବାଧୀନ ବିଧାୟକ ତାଙ୍କଠାରୁ କମ୍ ରହିବା ବି ଦରକାର । ତୃତୀୟରେ ବିଜେପି ବିଧାୟକ ସଂଖ୍ୟା ଶହେ ତଳକୁ ଖସିଲେ ହିଁ ଏକନାଥ ସିନ୍ଦେ ପୁଣି ମୁଖ୍ୟମନ୍ତ୍ରୀ ହେବା ପାଇଁ ବାଟ ଫିଟିବ । ଅଜିତ ପାଓ୍ବାର ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ଏକପ୍ରକାର ନାହିଁ କହିଲେ ଚଳେ । ବିଧାନସଭା ନିର୍ବାଚନ ଅଜିତଙ୍କ ପାଇଁ ଅସ୍ତିତ୍ବର ଲଢେଇ । ୫୯ସିଟ୍ ଲଢୁଥିବା ଅଜିତ ପାଓ୍ବାରଙ୍କ ପ୍ରାର୍ଥୀଙ୍କ ମୁକାବିଲା ୩୭ଟି ସିଟରେ ଶରଦ ପାଓ୍ବାରଙ୍କ ଏନସିପି ସହ ହେଉଛି । ତେବେ ସେ କେତେ ସିଟ୍ ଜିତିବେ? ତାଉପରେ ତାଙ୍କର ସରକାରରେ ଭୂମିକା ନିର୍ଣ୍ଣୟ ହେବ ।

ମହାବିକାଶ ଅଘାଡି ଜିତିଲେ ମୁଖ୍ୟମନ୍ତ୍ରୀ କିଏ?

ବିରୋଧୀ ମହାବିକାଶ ଅଘାଡି ନିର୍ବାଚନ ଜିତିଲେ, କିଏ ହେବେ ମୁଖ୍ୟମନ୍ତ୍ରୀ? ଉଦ୍ଧବ ସରକାର ଭାଙ୍ଗି ମହାୟୁତି କ୍ଷମତାକୁ ଆସିଥିଲା । ତେଣୁ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ନିର୍ବାଚନ ଲଢିବାକୁ ଚାହୁଁଥିଲା ଶିବସେନା । ତେବେ ଯେଉଁ ଦଳରୁ ଅଧିକ ବିଧାୟକ ଜିତିବେ ସେଇ ଦଳରୁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଶରଦ ପାଓ୍ବାର ଓ କଂଗ୍ରେସ କହିଥିଲେ । ତେବେ ନିଜ ଦଳର ଅସ୍ତିତ୍ବ ବଞ୍ଚାଇ ରଖିବାକୁ କ୍ଷମତାରୁ ବାହାରେ ରହିବାକୁ କଦାପି ଚାହିଁବେନି ଉଦ୍ଧବ ଠାକରେ । କାରଣ କ୍ଷମତାରେ ନରହିଲେ ଉଦ୍ଧବଙ୍କ କିଛି ବିଧାୟକ ଦଳ ବଦଳାଇ ପାରନ୍ତି । ପୁଣି ମୁମ୍ବାଇ ମହାନଗରପାଳିକା ଓ ଅନ୍ୟ ମହାନଗରପାଳିକା ବି କବଜା କରିବାକୁ ଯୋଜନା କରୁଛି ଦଳ । ଏଭଳି ସ୍ଥିତିରେ ଯଦି କଂଗ୍ରେସ ଏମଭିଏରେ ସବୁଠୁ ବଡ଼ ଦଳ ହୋଇ ମୁଖ୍ୟମନ୍ତ୍ରୀ ପଦର ଦାବେଦାର ହେଲେ ଅନ୍ୟ ବିକଳ୍ପ ଉପରେ ଚିନ୍ତା କରିପାରନ୍ତି ଉଦ୍ଧବ।

ମହାରାଷ୍ଟ୍ର ନିର୍ବାଚନ ଫଳ ଉପରେ କେବଳ ଦେଶ ନୁହେଁ ରାଜ୍ୟର ସବୁ ଦଳର ବି ନଜର ରହିଛି । କେବଳ ଅସ୍ତିତ୍ବ ନୁହେଁ ରାଜନୈତିକ ଭବିଷ୍ୟତକୁ ନେଇ ବି ଅଙ୍କ କଷୁଛନ୍ତି ସବୁ ଦଳ । ନିର୍ବାଚନ ପୂର୍ବର ସମୀକରଣ ବି ଫଳାଫଳ ପ୍ରକାଶ ପାଇବା ପରେ ବଦଳି ଯାଇପାରେ । ବିଧାୟକ ସଂଖ୍ୟା ହିଁ ନିର୍ଦ୍ଧାରଣ କରିବ କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ?

Comments are closed.