ମୁମ୍ବାଇ: ମହାରାଷ୍ଟ୍ରରେ ମହାୟୁତିର ମହାବିଜୟ ପରେ ସବୁଠୁ ବଡ ପ୍ରଶ୍ନ, କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ? ବିଜେପି ରାଜ୍ୟରେ ଏଥର ଆହୁରି ମଜବୁତ ହୋଇଛି । ମେଣ୍ଟରେ ବିଜେପି ସବୁଠୁ ବଡ ଦଳ ହୋଇଥିବାରୁ ସିଏମ୍ ପଦ ପାଇଁ ସବୁଠୁ ବଡ ଦାବେଦାର ରହିଛି। ଶିବସେନା ପାଖରେ ବିଜେପି ତୁଳନାରେ ଅଧାରୁ କମ୍ ସିଟ୍ ରହିଥିଲେ ବି ଏକନାଥ ସିନ୍ଦେ ମଧ୍ୟ ସିଏମ୍ ପଦ ପାଇଁ ରେସରେ ରହିଛନ୍ତି । ଅଜିତ ପାଓ୍ବାର ସିଏମ୍ ପଦ ପାଇଁ ଫଡନାଭିସଙ୍କୁ ସମର୍ଥନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ତାଙ୍କ ଦଳର ନେତା ଅଜିତଙ୍କ ନାଁ ବି ସିଏମ ରେସରେ ଥିବା କହୁଛନ୍ତି । ସରକାର ଗଠନ ଓ ସିଏମ୍ ଚୟନ ନେଇ ଆଲୋଚନା ପାଇଁ ଦେବେନ୍ଦ୍ର ଫଡନାଭିସ, ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାରଙ୍କୁ ଦିଲ୍ଲୀ ଡକାଯାଇଛି ।
ସିଏମ୍ ରେସରେ କାହାର କ’ଣ ଆଧାର?
ପୂର୍ବରୁ ମୁଖ୍ୟମନ୍ତ୍ରୀ ରହିଥିବା ଦେବେନ୍ଦ୍ର ଫଡନାଭିସ ରାଜ୍ୟ ବିଜେପିର ବଡ଼ ଚେହେରା । ମହାରାଷ୍ଟ୍ରରେ ବିଜେପି ବିଜୟର ଶ୍ରେୟ ବି ତାଙ୍କୁ ଦିଆଯାଉଛି । ବିଜେପି ସବୁଠୁ ବଡ ଦଳ ପାଲଟିଥିବା ବେଳେ ଫଡନାଭିସଙ୍କ ନାଁ ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ରହିଛି । ଶିବସେନା ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିଛନ୍ତି । ତାଙ୍କ ସରକାରର ବିକାଶମୂଳକ ଯୋଜନାକୁ ନେଇ ମହାୟୁତି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା । ଲଡକୀ ଭେନ୍ ଯୋଜନା ଭଳି ସରକାରଙ୍କ ଲୋକାଭିମୁଖୀ ଯୋଜନା ମହାୟୁତିକୁ ବଡ ବିଜୟ ଦେଇଥିବା କହି ସିନ୍ଦେ ମଧ୍ୟ ସିଏମ୍ ପଦ ପାଇଁ ଦାବେଦାର ରହିଛନ୍ତି । ସେହିପରି ବିଜୟର ଭଲ ଷ୍ଟ୍ରାଇକ୍ ରେଟ ଦେଖାଇ ଏନସିପି ମୁଖ୍ୟ ଅଜିତ ପାଓ୍ବାର ବି ରେସରେ ରହିଛନ୍ତି ।
ଅଜିତଙ୍କ ‘ପାଓ୍ବାର’ ପ୍ଲେ
ଚର୍ଚ୍ଚା ହେଉଛି, ଅଜିତ ପାଓ୍ବାର ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସମର୍ଥନ କରିପାରନ୍ତି । ଏହାକୁ ଅଜିତଙ୍କ ବଡ ଗୋଟି ଭାବେ ଦେଖାଯାଉଛି । କାରଣ ଏଭଳି ହେଲେ ସିଏମ ପଦ ପାଇଁ ବିଜେପିର ଦାବେଦାରି ବଢିବ । ସିନ୍ଦେଙ୍କ ସହ ପୁରୁଣା ହିସାବ ବି ତୁଟାଇବେ ଅଜିତ ପାଓ୍ବାର । ୨୦୨୨ରେ ଉଦ୍ଧବ ଠାକରେ ରାଜ୍ୟ ପ୍ରଶାସନ କ୍ଷେତ୍ରରେ ଅଜିତ ପାଓ୍ବାରଙ୍କୁ ଅତ୍ୟଧିକ କ୍ଷମତା ଦେବାକୁ ନେଇ ହିଁ ଶିବସେନାରେ ବିଭାଜନର ସୁତ୍ରପାତ ହୋଇଥିଲା । ଉଦ୍ଧବ ଠାକରେଙ୍କ ଅନୁପସ୍ଥିତିରେ ପ୍ରଶାସନିକ ବ୍ୟବସ୍ଥା ଉପରେ ଅଜିତ ପାଓ୍ବାରଙ୍କ ଦଖଲ ବଢିଥିଲା । ଯାହାକୁ ନେଇ ଉଦ୍ଧବ ଠାକରେଙ୍କ ସହ ଏକନାଥ ସିନ୍ଦେ ଗୋଷ୍ଠୀଙ୍କ ବିଭାଜନ ହୋଇଥିଲା । ପରେ ବିଜେପି ମହାୟୁତିରେ ଅଜିତ ପାଓ୍ବାରଙ୍କୁ ସାମିଲ କରିବାକୁ ନେଇ ସିନ୍ଦେ ଅସନ୍ତୁଷ୍ଟ ଥିବା ନେଇ ବି ଚର୍ଚ୍ଚା ହୋଇଥିଲା । ତେଣୁ ଫଡନାଭିସଙ୍କୁ ଅଜିତ ପାଓ୍ବାର ସିଏମ ପଦ ପାଇଁ ସମର୍ଥନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ବିଜେପି ଦେବ କି ସରପ୍ରାଇଜ୍?
ମଧ୍ୟପ୍ରଦେଶ କି ରାଜସ୍ଥାନ ପରି ନୂଆ ଚେହେରାଙ୍କୁ ସିଏମ୍ ପଦରେ ବସାଇବ କି ବିଜେପି? ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାଭିସ ହିଁ ବିଜେପି ନିର୍ବାଚନ ପ୍ରଚାରର ଚେହେରା ଥିଲେ । ତେବେ ପୂର୍ବରୁ ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନଙ୍କ ଜାଗାରେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରି ସରପ୍ରାଇଜ ଦେଇସାରିଛି ବିଜେପି । ରାଜସ୍ଥାନରେ ତ ପ୍ରଥମ ଥର ବିଧାୟକ ହୋଇଥିବା ଭଜନଲାଲ ଶର୍ମାଙ୍କୁ ସିଏମ୍ କରିଛି । ବିହାର ଫର୍ମୁଲା ଦେଖିଲେ ଏକନାଥ ସିନ୍ଦେଙ୍କର ବି ସମ୍ଭାବନା ରହୁଛି । କାରଣ ବିଜେପି ବିହାରରେ ଅଧିକ ସିଟ୍ ଜିତିଥିଲେ ବି ଜେଡିୟୁର ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ହୋଇଥିଲା । ହରିୟାଣା ଫର୍ମୁଲାରେ କୌଣସି ଓବିସି ଚେହେରାଙ୍କୁ ବି ଟପ ପୋଷ୍ଟରେ ବସାଇପାରେ ବିଜେପି ।
କ’ଣ କହୁଛି ସଂଖ୍ୟା ଗଣିତ?
ବଡ ବିଜୟ ପରେ ବି ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିନି । ୨୮୮ସିଟ୍ ଥିବା ମହାରାଷ୍ଟ୍ର ବିଧାନସଭାରେ ମ୍ୟାଜିକ ନମ୍ବରଠାରୁ ୧୩ସିଟ୍ ଦୂରରେ ରହିଛି ଦଳ । ୧୩୨ସିଟ୍ ଜିତିଥିବା ବିଜେପି ସରକାର ଗଠନ କରିବାକୁ ଯେକୌଣସି ଗୋଟିଏ ମେଣ୍ଟ ସହଯୋଗୀର ସମର୍ଥନ ଆବଶ୍ୟକ କରୁଛି। ସିନ୍ଦେଙ୍କ ଶିବସେନା ୫୭ଟି ସିଟ୍ ଜିତିଛି ତ ଅଜିତ ପାଓ୍ବାରଙ୍କ ଏନସିପି ଜିତିଛି ୪୧ସିଟ୍ । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବାର୍ଗେନିଂ କରିପାରିବେନି ଏକନାଥ ସିନ୍ଦେ । ତେଣୁ ମୁଖ୍ୟମନ୍ତ୍ରୀ ପଦ ନୁହେଁ ବରଂ ଅଧିକ ମନ୍ତ୍ରୀ ପଦ ଉପରେ ଫୋକସ୍ କରିପାରନ୍ତି ଏନସିପି ଓ ଶିବସେନା । ତେଣୁ ବିଜେପି ଜାତୀୟ ନେତୃତ୍ବଙ୍କ ନିଷ୍ପତ୍ତି ଉପରେ ହିଁ ନଜର ରହିବ । ରାଜନୈତିକ ସମୀକରଣ ସହ ସାଂଗଠନିକ ଗଣିତ କଷି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବ ଦଳ ।