Latest Odisha News

ଶରତଙ୍କ ପରେ କିଏ ହେବେ ପିସିସି ସଭାପତି ?

ଭୁବନେଶ୍ବର: ଓଡିଶାରେ ନୂଆ ଆରମ୍ଭ କରିବ କଂଗ୍ରେସ । ଭାଙ୍ଗିଲା ଓଡିଶା ପ୍ରଦେଶ କଂଗ୍ରେସ କମିଟି, ହଟିଲେ ଶରତ । କଂଗ୍ରେସ ସଭାପତିଙ୍କ ଅନୁମୋଦନ ପରେ ଜିଲ୍ଲା, ବ୍ଲକ, ମଣ୍ଡଳସ୍ତରୀୟ ବିଭିନ୍ନ କମିଟିକୁ ଭଙ୍ଗ କରିଛି କଂଗ୍ରେସ । ପଦରୁ ହଟିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ନୂଆ କମିଟି ଗଠନ ହେବା ପର୍ଯ୍ୟନ୍ତ ଶରତ କାମଚଳା ଦାୟିତ୍ବରେ ରହିବେ । ତେବେ ପ୍ରଶ୍ନ ଉଠୁଛି,  ପିସିସିର ନବକଳେବର ରାଜ୍ୟରେ କଂଗ୍ରେସର ଭାଗ୍ୟ ବଦଳାଇବ କି ? ନା କେବଳ ଚେହେରା ବଦଳାଇ ଚୁପ୍ ରହିଯିବେ ହାଇକମାଣ୍ଡ?

ଶରତ ଗଲେ, ଆସିବେ କିଏ?

ଶରତଙ୍କ ପରେ କିଏ ହେବେ ପିସିସି ସଭାପତି ? ରେସରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ, ସାଂସଦ ସପ୍ତଗିରି ଉଲାକା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପ୍ରମୁଖ ରହିଛନ୍ତି । ପୂର୍ବରୁ କେନ୍ଦ୍ରରେ ମନ୍ତ୍ରୀ ରହିଥିବା ଭକ୍ତ ଦାସ ପଶ୍ଚିମ ଓଡିଶାର ଜଣାଶୁଣା ନେତା, ତାଙ୍କ ହାତରେ ରାଜ୍ୟ କଂଗ୍ରେସ କମାଣ ଦେଇପାରନ୍ତି ହାଇକମାଣ୍ଡ । ସେହିପରି ଦୁଇ ଦୁଇ ଥର କୋରାପୁଟ ସାଂସଦ ନିର୍ବାଚିତ ହୋଇଥିବା ସପ୍ତଗିରି ଉଲାକାଙ୍କୁ ବି ଯୁବ ଚେହେରା ଭାବେ ବାଛିପାରନ୍ତି। କୋରାପୁଟ ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ସବୁଠୁ ଭଲ ପ୍ରଦର୍ଶନ କରିଛି କଂଗ୍ରେସ। ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଓ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଖେଳିଥିବା ଆଦିବାସୀ କାର୍ଡର ଜବାବରେ ଜଣେ ଆଦିବାସୀଙ୍କୁ ମଙ୍ଗୁଆଳ କରିପାରେ କଂଗ୍ରେସ ।  ତେବେ ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ କଂଗ୍ରେସ ବିଧାୟକ ଦଳ ନେତା ହୋଇଥିବାରୁ ପୁଣି ସପ୍ତଗିରିଙ୍କୁ ପିସିସି ସଭାପତି କରିନପାରେ ଏଆଇସିସି। ସେହିପରି ପିସିସି ସଭାପତି ଭାବେ ପୂର୍ବରୁ ଦାୟିତ୍ବ ତୁଲାଇଥିବା ଜୟଦେବ ଜେନାଙ୍କ ନାଁ ବି ରେସରେ ରହିଛି ।

ଶେଷରେ ଶରତ ବିଦା

କାଳିଫିଙ୍ଗା ଘଟଣା ହେଉ କି ପ୍ରେସମିଟ୍ କରି ଖୋଲାଖୋଲି ବୟାନବାଜି, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବିରୋଧରେ ଦଳ ଭିତରେ ହିଁ ଅସନ୍ତୋଷର ନିଆଁ ତେଜିଛି । ନିଜେ ନୂଆପଡାରେ ଶୋଚନୀୟ ଭାବେ ହାରିଥିବା ଶରତଙ୍କ ନେତୃତ୍ବ ପ୍ରତି ବି ଆଙ୍ଗୁଳି ଉଠିଛି । ବିଜେଡି ସହ ଡିଲ୍,  ବିଧାୟକ ପ୍ରାର୍ଥୀଙ୍କ ପାଇଁ ଆସିଥିବା ନିର୍ବାଚନୀ ଖର୍ଚ୍ଚ ଜାଲ ଦସ୍ତଖତ କରି ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଦଳରୁ ବହିଷ୍କାର ବିରୋଧରେ ଜଣେ ମହିଳା ନେତ୍ରୀ ଦିନ ଦିନ ଧରି ଧାରଣା ଦେଇଥିଲେ । ସ୍ଥିତି ଏମିତି ହେଲା ଯେ, କିଛିଦିନ ଧରି ଅଚଳ ହୋଇଥିଲା କଂଗ୍ରେସ ଭବନ । ତେଣୁ ପିସିସି ଭାଙ୍ଗିବା ପଛରେ ଶରତଙ୍କ ପାଇଁ ବଢୁଥିବା ଅସନ୍ତୋଷ ବି କାରଣ ବୋଲି କୁହାଯାଉଛି ।

ଖସିଛି ମଉକା, ମାରିବେ କି ଚଉକା ?

ଗତ ନିର୍ବାଚନରେ ବିଜେଡି ବିରୋଧୀ ଜନ ଅସନ୍ତୋଷର ଫାଇଦା ନେଇ ସରକାର ଗଠନ କଲା ବିଜେପି । ହେଲେ କଂଗ୍ରେସ ଯେଉଁଠିକୁ ସେଇଠି ରହିଗଲା । ଏଥର ରାଜ୍ୟରେ କଂଗ୍ରେସ ପାଇଁ ବଡ ସୁଯୋଗ ଥିଲା । କାରଣ ୨୪ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହିଥିବା ବିଜେଡି ବିରୋଧରେ ଏଥର ଜବରଦସ୍ତ ଲହର ରହିଥିଲା । ହେଲେ ଦଳ ଭିତରର ଗୋଷ୍ଠୀ କନ୍ଦଳ ଓ ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ଏଭଳି ମଉକା ବି କଂଗ୍ରେସ ହାତରୁ ଖସିଯାଇଛି । ୯ରୁ ୧୪କୁ ହିଁ ସ୍ଲୋ ମୋସନରେ ବଢିଛି ଦଳର ବିଧାୟକ ସଂଖ୍ୟା । ନିର୍ବାଚନରେ ଖରାପ ପ୍ରଦର୍ଶନର କାରଣ ଖୋଜିବାକୁ ଏଆଇସିସିର ଦୁଇ ଜଣିଆ କମିଟି ଓଡିଶା ଆସିନାହାନ୍ତି । କମିଟିର ଅନୁଧ୍ୟାନ ଓ ରିପୋର୍ଟକୁ ଅପେକ୍ଷା ନକରି ନିଜ ନିଷ୍ପତ୍ତି ଶୁଣାଇଛି ଏଆଇସିସି ।

ପିସିସି ନବକଳେବର, ବଦଳିବ ଭାଗ୍ୟ?

ବଦଳିବ ପିସିସି ଚେହେରା । ନୂଆ ନେତାଙ୍କ ପାଇଁ ସମସ୍ତଙ୍କୁ ଏକାଠି ନେଇ ଚାଲିବା ହେବ ସବୁଠୁ ବଡ ଚ୍ୟାଲେଞ୍ଜ । କାରଣ ଗତ ନିର୍ବାଚନରେ ଗୋଷ୍ଠୀ କନ୍ଦଳ ହିଁ କଂଗ୍ରେସ ପାଇଁ ସବୁଠୁ ବଡ ଶତ୍ରୁ ପାଲଟିଥିଲା । ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ତାଳମେଳର ଅଭାବ ଯୋଗୁଁ, ନିର୍ବାଚନରେ ଫାଇଦା ପାଇପାରିଲାନି କଂଗ୍ରେସ । ରାଜ୍ୟରେ ବିଜେଡି ସହ କଂଗ୍ରେସ ବି ବିରୋଧୀ ଆସନରେ ରହିଛି । ତେଣୁ ବିରୋଧୀ ଭାବେ ନିଜ ଶକ୍ତି ପ୍ରଦର୍ଶନ କରିବା ସହ ଜନତାଙ୍କ ପୂର୍ବ ବିଶ୍ବାସ ଫେରି ପାଇବାକୁ ଦଳକୁ ଉଦ୍ୟମ କରିବାକୁ ପଡିବ । ନିର୍ବାଚନ ବେଳେ ବହୁ ବରିଷ୍ଠ ନେତା ଦଳ ଛାଡି ଯିବା ପରେ ତୃଣମୂଳସ୍ତରରେ ବି କର୍ମୀ ଭାଗ ଭାଗ ହୋଇଛନ୍ତି। ତେଣୁ ସେମାନଙ୍କୁ ଏକାଠି କରି ହାତମୁଠା ଟାଣ କରିବାକୁ ପଡିବ ।

ଆଗକୁ ପଞ୍ଚାୟତ ପରୀକ୍ଷା

ରାଜ୍ୟରେ ଭଲ ପ୍ରଦର୍ଶନର ସୁଯୋଗ ହାତଛଡା କରିସାରିଛି କଂଗ୍ରେସ । ହେଲେ ଏବେଠୁ ସଂଗଠିତ ନହେଲେ ଆଗକୁ ପଞ୍ଚାୟତ ନିର୍ବାଚନରେ ବି ହାତକୁ ଲାଗିପାରେ ଝଟକା । ତେଣୁ ଦଳରେ ସମସ୍ତଙ୍କୁ ଏକାଠି ନେଇ ଚାଲିପାରୁଥିବା ଜଣେ ନେତାଙ୍କୁ ମଙ୍ଗୁଆଳ କରିପାରେ ଏଆଇସିସି । ସାରା ଦେଶରେ ହାତକୁ ବଳ ମିଳିଥିବା ବେଳେ ଓଡିଶା ପାଇଁ ସ୍ବତନ୍ତ୍ର ରଣନୀତି ନକଲେ ଦିନେ ବର୍ଷ ବର୍ଷ ଧରି କ୍ଷମତାରେ ରହିଥିବା କଂଗ୍ରେସ, ଲୋକଙ୍କ ବିଶ୍ବାସଠୁ ବହୁ ଦୂରକୁ ଚାଲିଯାଇପାରେ ।

Comments are closed.