Latest Odisha News

BREAKING NEWS

କିଏ ହେବେ ପିସିସି ସଭାପତି ? ଦିଲ୍ଲୀ ମୁହାଁ କଂଗ୍ରେସ ନେତା

ଭୁବନେଶ୍ୱର: ପ୍ରଭାରୀ ଚେଲ୍ଲା କୁମାର ଦୁଇ ଦିନ ଧରି ରାଜ୍ୟ କଂଗ୍ରେସ ନେତାଙ୍କ ସହ ଓ୍ୱାନ ଟୁ ଓ୍ୱାନ ବୈଠକ କଲେ। ଏବେ ସେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ରିପୋର୍ଟ ଦେବେ । ଯେଉଁ ରିପୋର୍ଟ ଫାଇଲ ଦିଆଯିବ ସେଥିରେ ପ୍ରଭାରୀ ବିଭିନ୍ନ ନେତାଙ୍କ ମତାମତକୁ ଉଲ୍ଲେଖ କରିଛନ୍ତି । ଏବେ ରିପୋର୍ଟ ଦେଖିବା ପରେ ହାଇକମାଣ୍ଡ ଆବଶ୍ୟକ ବିଚାର ବିମର୍ଶ କରିବେ । ପରେ ପିସିସି ସଭାପତି ନାଁ ଘୋଷଣା କରିବେ । ତେଣୁ ଆଶାୟୀ ନେତାମାନେ ଏବେ ଦିଲ୍ଲୀରେ ଡେରା ପକାଇ ଲବି ଆରମ୍ଭ କରିଛନ୍ତି।

ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବୋଲି କହୁଥିବା ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କଂଗ୍ରେସ ନେତା ଦିଲ୍ଲୀରେ ହାଇକମାଣ୍ଡକୁ ଦେଖା କରିବା ଦରକାର । ହାଇକମାଣ୍ଡଙ୍କୁ ଯିଏ କେହି ଚାହିଁବ ଭେଟିପାରିବ । ତାଙ୍କୁ ଭେଟିବାକୁ କାହାରିକୁ ମନା ନାହିଁ । ଏବେ ଯେଉଁମାନେ ଯାଇଛନ୍ତି ସେମାନେ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟି ଆତ୍ମସନ୍ତୋଷ ଲାଭ କରିବା ଦରକାର । ଯେପର୍ୟ୍ୟନ୍ତ ଦଳରେ ଆମୂଳଚୁଳ ପରିବର୍ତ୍ତନ ହୋଇନି ସେଯାଏ ଦଳ ମଜବୁତ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି । ଏଥିସହ ବିଧାୟକ ଦଳ ପଦରୁ ନରସିଂହ ମିଶ୍ର ଇସ୍ତଫା ଦେବା କଥା ସେ ଜାଣିନାହାନ୍ତି ବୋଲି ଗତକାଲି କହିଥିଲେ । ଆଜି କହିଛନ୍ତି, ବିଧାୟକ ଦଳ ନେତା ପରିବର୍ତନ ନେଇ ମୋ ପାଖରେ କୌଣସି ଖବର ନାହିଁ । ତେବେ ପିସିସି ପରିବର୍ତନ ହେବ ସେ ନେଇ ନିଜେ ଖୁବ ଆନନ୍ଦିତ ବୋଲି କହିଛନ୍ତି ।

ଅନ୍ୟପଟେ ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ପ୍ରଭାରୀ ପିସିସି ସଭାପତି ସ୍ଥିର କରିପାରିବେ ନାହିଁ । ଯାହା ନିଷ୍ପତ୍ତି ନେବେ ସୋନିଆ ନେବେ । ଆମ ଦଳରେ ପିସିସି ସଭାପତି ପଦ ପାଇଁ ୧୩ ଜଣ ଆଶାୟୀ ରହିଛନ୍ତି । ସେଥିପାଇଁ ନେତା ଓ କର୍ମୀ ଦିଲ୍ଲୀ ଦୌଡ଼ିବା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଦେଶ କଂଗ୍ରେସ ସଭାପତି ରେସରେ ଏବେ ନରସିଂହ ମିଶ୍ର, ତାରା ବାହିନୀପତି, ଶରତ ପଟ୍ଟନାୟକ, ମହମ୍ମଦ ମୋକ୍କିମ, ସନ୍ତୋଷ ସିଂହ ସାଲୁଜଙ୍କ ଭଳି ହେବିଓ୍ୱେଟ ନେତା ଆଗରେ ରହିଛନ୍ତି। ପାଖାପାଖି ୧୯ ନେତା ଦିଲ୍ଲୀ ଯାଇଛନ୍ତି ବୋଲି ସୂଚନା ରହିଛି ।

ନୂଆଦିଲ୍ଲୀ ସୂତ୍ର ଅନୁଯାୟୀ ନିକଟରେ ବିଭିନ୍ନ ରାଜ୍ୟର କଂଗ୍ରେସ ସଭାପତିଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି । ବିଭିନ୍ନ ସ୍ଥାନରେ ନୂଆ ପିସିସି ସଭାପତି ନିଯୁକ୍ତ ହୋଇସାରିଛନ୍ତି । ଏବେ ଓଡ଼ିଶା, ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟର ପିସିସି ପରିବର୍ତ୍ତନ ହେବ । ମେ ପ୍ରଥମ ସପ୍ତାହରେ ନୂଆ ପିସିସି ସଭାପତି ଘୋଷଣା କରିବାକୁ ଦିଲ୍ଲୀର 10 ଜନପଥ ନିଷ୍ପତ୍ତି ନେଇଛି । ପରେ ଏହି ନୂଆ ପିସିସି ଟିମକୁ ନେଇ ରାଜସ୍ଥାନ ଉଦୟପୁରରେ କଂଗ୍ରେସ ଚିନ୍ତନ ଶିବିର ଆୟୋଜନ କରିବ ବୋଲି ସୂଚନା ରହିଛି।

Comments are closed.