Latest Odisha News

BREAKING NEWS

ଓଡିଶାରେ କାହାର ସରକାର ?

ଭୁବନେଶ୍ବର: ଓଡିଶାରେ ଏଥର କାହାର ସରକାର? ପୁଣି ନବୀନ ନା କ୍ଷମତା ପରିବର୍ତ୍ତନ ? ବିଜେପି ପ୍ରଥମ ଥର ପାଇଁ ଏକା ଗଠନ କରିପାରିବ କି ସରକାର? ନା ରାଜ୍ୟରେ କୌଣସି ଦଳକୁ ମିଳିବନି ବହୁମତ ! ଏକଜିଟ୍ ପୋଲରେ ଓଡିଶା ବିଧାନସଭା ଫଳାଫଳ ନେଇ ଆସୁଛି ଭିନ୍ନ ଭିନ୍ନ ତଥ୍ୟ। କେଉଁ ସର୍ଭେରେ କାଣ୍ଟେ କି ଟକ୍କର ତ କେଉଁଠି ବିଜେଡିକୁ ବହୁମତ ମିଳୁଥିବା ଦେଖାଯାଉଛି। ତେବେ କଣ ହେବ ଫଳାଫଳ? ଗତ ୫ଥର ପରି ଏଥର ଏକପାଖିଆ ବିଜୟ ମୁସ୍କିଲ। କାରଣ ମଇଦାନରେ ବିଜେଡିକୁ କଡା ଟକ୍କର ଦେଇଛି ବିଜେପି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେପିର ହେଭିଓ୍ବେଟ୍ ନେତା ଓଡିଶାରେ ମାରାଥନ୍ ପ୍ରଚାର ସାଙ୍ଗକୁ ବିଜୟ ରଣନୀତି କଷିଛନ୍ତି । ସେପଟେ ବିଜେଡିର ବି ସାଂଗଠନିକ ଶକ୍ତି ଓ ନେଟଓ୍ବର୍କ ସୁଦୃଢ଼। ତେଣୁ ଫଳାଫଳ କିଛି ବି ହୋଇପାରେ ।

ବିଜେଡିକୁ ମିଳିବ କି ବହୁମତ ?

ଟାଇମ୍ସ ନାଓ ଓ ଇଟିଜି ରିସର୍ଚ୍ଚର ଏକଜିଟ୍ ପୋଲ ଅନୁସାରେ ପୁଣି କ୍ଷମତାକୁ ଫେରିପାରେ ବିଜେଡି । ବିଧାନସଭାରେ ପୁଣି ଶହେ ପାର କରିପାରେ ଦଳ । ବିଜେଡି ଜିତିପାରେ ୧୦୦ରୁ ୧୧୫ ଆସନ । ସେହିପରି ଜନ କି ବାତ୍ ଏକଜିଟ୍ ପୋଲ ତଥ୍ୟ ଅନୁସାରେ ବିଜେଡିକୁ ମିଳିପାରେ ୮୧ଟି ସିଟ୍ । ଏପରି ହେଲେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ନବୀନ ପଟ୍ଟନାୟକ । ଚଳିତ ନିର୍ବାଚନରେ ବିଜେଡି ଶାସନ ବିରୋଧୀ ସ୍ବର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । ତେବେ ଏକଜିଟ୍ ପୋଲ ସତ ହେଲେ, ନବୀନଙ୍କ ନିର୍ବାଚନ ପରିଚାଳନା ଉପରେ ବିଶ୍ବାସ ଆହୁରି ମଜଭୂତ ହେବ । କୌଣସି ଫ୍ୟାକ୍ଟର ଯେ, ନବୀନଙ୍କ ଲୋକପ୍ରିୟତାଠାରୁ ବଡ ନୁହେଁ, ସେକଥା ପ୍ରମାଣିତ ହେବ । ତେବେ ରାଜ୍ୟର ବରିଷ୍ଠ ସମୀକ୍ଷକଙ୍କ ମତରେ ବିଜେଡିର କିଛି ସିଟ୍ କମିଲେ ବି ମ୍ୟାଜିକ୍ ନମ୍ବର ପାର କରି ସରକାର ଗଢିପାରେ ଦଳ ।

ସରପ୍ରାଇଜ୍ ଦେବେ ସାଇଲେଣ୍ଟ ଭୋଟର !

ରାଜ୍ୟରେ ନିର୍ବାଚନ ଫଳାଫଳ ବଦଳାଇପାରନ୍ତି ସାଇଲେଣ୍ଟ ଭୋଟର । ଏଥର ସାରା ରାଜ୍ୟରେ ଶାସନ ବିରୋଧୀ ହାଓ୍ବା ଓ ପରିବର୍ତ୍ତନର ସ୍ବର ଶୁଭିଥିଲା। କେବଳ ସହରାଞ୍ଚଳ ଭୋଟର ନୁହନ୍ତି ଗ୍ରାମାଞ୍ଚଳ ମତଦାତା ବି ସରକାରଙ୍କ ବିରୋଧରେ ଅସନ୍ତୋଷ ଝାଡିଥିଲେ । ଯଦି ଏହା ଭୋଟରେ ପରିଣତ ହୋଇଥିବ ତେବେ ସରପ୍ରାଇଜ ଫଳାଫଳ ସାମନାକୁ ଆସିପାରେ । ବିଜେପିକୁ ବହୁମତ ମିଳିଲେ ଓଡିଶାରୁ ସାରା ଦେଶକୁ ବଡ଼ ସନ୍ଦେଶ ଯିବ। ବିଜେପିର ଓଡିଆ ଅସ୍ମିତା କାର୍ଡକୁ ବିପୁଳ ସଫଳତା ମିଳିବ। ତାମିଲ ବନାମ ଓଡିଆ ପ୍ରସଙ୍ଗ ଯେ, ଜନତାଙ୍କ ମନକୁ ଛୁଇଁଛି, ସେକଥା ପ୍ରମାଣିତ ହେବ । ଏଥିସହ ରାଜ୍ୟରେ ମୋଦି ମ୍ୟାଜିକ୍ ଓ ବିଜେପିର ରୁଦ୍ଧଦ୍ବାର ରଣନୀତି ଓ୍ବିନିଂ ଫ୍ୟାକ୍ଟର ସାବ୍ୟସ୍ତ ହେବ। ସମୀକ୍ଷକଙ୍କ ମତରେ, ରାଜ୍ୟରେ ବିଜେପିକୁ ୪୦ରୁ ୫୦ ଆସନ ମିଳିପାରେ । ଏହାଠୁ ଅଧିକ ଆସନ ବା ଦଳ ବହୁମତ ହାସଲ କଲେ ବଡ ସରପ୍ରାଇଜ୍ ହେବ।

ରାଜ୍ୟରେ ଝୁଲା ସରକାର !

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆର ଏକଜିଟ୍ ପୋଲ ରିପୋର୍ଟରେ ଉଭୟ ବିଜେଡି ଓ ବିଜେପି ୬୨ରୁ ୮୦ଟି ଆସନ ଜିତିବା ନେଇ ଆକଳନ କରାଯାଇଛି। ତେଣୁ ରାଜ୍ୟରେ ଝୁଲା ସରକାର ନେଇ ବି ଆଶଙ୍କା ରହିଛି। ଉଭୟ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଥିବା ବେଳେ କୌଣସି ଦଳକୁ ବହୁମତ ନମିଳିପାରେ। କେହି ମ୍ୟାଜିକ୍ ନମ୍ବର ନଛୁଇଁଲେ କଂଗ୍ରେସ ବିଧାୟକ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି। ଏଭଳି ସ୍ଥିତିରେ ଘୋଡ଼ା ବେପାର ଆଶଙ୍କା ବି ରହିବ । ରାଜ୍ୟ ବିଧାନସଭାରେ ମୋଟ୍ ୧୪୭ଟି ଆସନ ରହିଥିବା ବେଳେ ମ୍ୟାଜିକ୍ ନମ୍ବର ରହିଛି ୭୪ । ବିଜେଡି ଶହେରୁ ଅଧିକ ଆସନ ଜିତିବା ନେଇ ଦମ୍ଭ ପ୍ରକାଶ କରୁଥିବା ବେଳେ ବିଜେପି ମଧ୍ୟ ସରକାର ଗଠନ ପାଇଁ କନଫିଡେନ୍ସ ଦେଖାଉଛି । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା, ଫଳାଫଳ ପ୍ରକାଶ ସହ ସ୍ପଷ୍ଟ ହେବ, କିଏ ରାଜ୍ୟରେ ଗଢିବ ସରକାର ।

Leave A Reply

Your email address will not be published.