Latest Odisha News

BREAKING NEWS

କିଏ ଯିବେ ରାଜ୍ୟସଭା, ବଢ଼ିଲା ଚର୍ଚ୍ଚା: ବିଧାୟକ ଅନନ୍ତ ଜେନା ନେଲେ ନାମାଙ୍କନ ସେଟ୍

ଭୁବନେଶ୍ୱର: ସୁବାସ ସିଂ କଟକ ମେୟର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ୍ ୪ଟି ଆସନ ପାଇଁ ଏବେ ରାଜ୍ୟସଭା ନିର୍ବାଚନ ହେବ । ସଂଖ୍ୟା ଦୃଷ୍ଟିରୁ ବିଜେଡି ସମସ୍ତ ଆସନରେ ବାଜିମାତ କରିବ । ଗତକାଲି ତିନୋଟି ଏବଂ ଆଜି ଗୋଟିଏ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ ଦଳ ଭିତରୁ କିଏ ଯିବେ ଦିଲ୍ଲୀ ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ବିଧାୟକ ଅନନ୍ତ ନାରାୟଣ ଜେନା ନାମାଙ୍କନ ଦାଖଲ ପାଇଁ ଗୋଟିଏ ସେଟ୍ ନେବା ପରେ ଏହି ଚର୍ଚ୍ଚା ଆଉ ଟିକିଏ ବଢିଛି।

ଅନନ୍ତ ଜେନା ବିଧାୟକ ରହିଛନ୍ତି। ତେଣୁ ନବୀନ କେବେ ତାଙ୍କୁ ରାଜ୍ୟସଭା ପଠାଇବେ ନାହିଁ । ଏପରି ସ୍ଥିତିରେ ପୂର୍ବତନ ଭୁବନେଶ୍ୱର ମେୟର କାହା ପାଇଁ ନାମାଙ୍କନ ସେଟ୍ ନେଲେ ତାହା ଏବେ ଚର୍ଚ୍ଚାର ବିଷୟ । ଆଜି ବିଜେଡି ୪ଟି ଆସନ ପାଇଁ ମୋଟ୍ ୧୨ଟି ନାମାଙ୍କନ ସେଟ୍ ନେଇଛି ।

ନବୀନ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ମହିଳା କାର୍ଡ ଖେଳି ଆସୁଛନ୍ତି । ଦଳର ବିଜୟ ପଛରେ ମିଶନ ଶକ୍ତିର ଗୋଟିଏ ବଡ ଭୂମିକା ରହିଛି । ତେଣୁ ଏପରି ସ୍ଥିତିରେ ମିଶନ ଶକ୍ତି ସହିତ ଜଡିତ ଥିବା ଜଣେ ମହିଳା କିମ୍ବା ଦଳରେ ନଥିଲେ ମଧ୍ୟ ଜଣେ ପ୍ରତିଷ୍ଠିତ ମହିଳାଙ୍କୁ ବିଜେଡି ରାଜ୍ୟସଭା ପଠାଇବ ବୋଲି ଚର୍ଚ୍ଚା ହେଉଛି।

ତେଣୁ ଅନନ୍ତ ଜେନା ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗଚୀଙ୍କ ପାଇଁ ନାମାଙ୍କନ ପତ୍ର ନେଇଥିବା କୁହାଯାଉଛି । ଯିଏକି ଦଳରେ ସାମିଲ ହୋଇନଥିଲେ ମଧ୍ୟ ସମାଜସେବା କ୍ଷେତ୍ରରେ ସୁସ୍ମିତା ଏବଂ ତାଙ୍କ ସ୍ୱାମୀ ସୁବ୍ରୋତ ବାଗଚୀଙ୍କର ଗୋଟିଏ ବଡ ଅବଦାନ ରହିଛି।

ସେହିପରି ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ଦଳର ମୁଖପାତ୍ର ସୁଲତା ଦେଓ, ଶ୍ରୀମୟୀ ମିଶ୍ର, ପ୍ରଦୀପ ମାଝୀ ଏବଂ ସସ୍ମିତ ପାତ୍ରଙ୍କ ନାମ ଚର୍ଚ୍ଚାରେ ରହିଛି। ବିଜେଡି ନେତା ଶଶୀଭୂଷଣ ବେହେରା କହିଛନ୍ତି, ଦଳର ସୁପ୍ରିମୋ ଠିକ୍ ସମୟରେ ନିଷ୍ପତ୍ତି ନେବେ । ଆଉ ପ୍ରାର୍ଥୀଙ୍କ ନାମ ଖୁବଶୀଘ୍ର ଘୋଷଣା କରିବେ।

Leave A Reply

Your email address will not be published.