Latest Odisha News

ଜେଏମଏମ ହାତରେ ମୟୂରଭଞ୍ଜ ଚାବି !

ଭୁବନେଶ୍ବର : ମୟୂରଭଞ୍ଜରେ ମହାମୁକାବିଲା। ଗତଥର ମୟୂରଭଞ୍ଜ ଜିତିଥିଲା ବିଜେପି । ତେବେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଜାଗାରେ ଏଥର ରାଇରଙ୍ଗପୁର ବିଧାୟକ ନବରଚରଣ ମାଝୀଙ୍କୁ ଭରସା କରିଛି ବିଜେପି । ବିଜେଡିର ଟାଣୁଆ ନେତା ସୁଦାମ ମାରାଣ୍ଡିଙ୍କୁ ମଇଦାନକୁ ଓହ୍ଲାଇଛି ଦଳ । ଜେଏମଏମରୁ ପ୍ରାର୍ଥୀ ହୋଇଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜନୀ ସୋରେନ୍ । କୌଣସି ପରିସ୍ଥିତିରେ ମୟୂରଭଞ୍ଜ ହାତଛଡା କରିବାକୁ ଚାହୁଁନି ବିଜେପି । ସେପଟେ ବିଜେପି ହାତରୁ ମୟୂରଭଞ୍ଜ ଛଡାଇ ଆଣିବାକୁ ଜୋରଦାର ଉଦ୍ୟମ କରୁଛି ବିଜେଡି । ତେବେ ଜେଏମଏମ୍ ଭୋଟ୍ ନିର୍ଣ୍ଣାୟକ ହୋଇପାରେ ।

ନବ ବନାମ ସୁଦାମ

ମୟୂରଭଞ୍ଜ ଲଢେଇ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ହେଉଛି । ବାଙ୍ଗିରିପୋଷି ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କର ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଭଲ ସଂଗଠନ ରହିଛି । ଗତ ପଂଚାୟତ ଓ ପୌର ନିର୍ବାଚନରେ ମୟୂରଭଞ୍ଜରେ ଜବରଦସ୍ତ କମବ୍ୟାକ୍ କରିଛି ବିଜେଡି । ଏହାର ଲାଭ ସୁଦାମ ମାରାଣ୍ଡିଙ୍କୁ ମିଳିପାରେ । ସେପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମସ୍ଥାନରେ ବିଜୟର ଦ୍ୱିତୀୟ ଇନିଂସ ଖେଳିବାକୁ ଜୀ ତୋଡ୍ ମେହନତ କରୁଛନ୍ତି ନବଚରଣ ମାଝୀ । ଦଳୀୟ ପ୍ରାର୍ଥୀଙ୍କୁ ଧରି ସେ ଜୋରଦାର ପ୍ରଚାର କରୁଛନ୍ତି ।

ଜେଏମଏମ୍ ହାତରେ ଚାବି

ଗତଥର ଭଳି ଏଥର ବି ଅଞ୍ଜନୀ ସୋରେନ୍ ଜେଏମଏମରୁ ପ୍ରାର୍ଥୀ ହୋଇଛନ୍ତି । ଗତଥର ସେ ୧ଲକ୍ଷ ୩୫ହଜାର ଭୋଟ୍ ପାଇଥିଲେ । ଶେଷ ଥର ପାଇଁ ୨୦୦୪ରେ ମୟୂରଭଞ୍ଜ ଜିତିଥିଲା ଜେଏମଏମ । ସେତେବେଳେ ଦଳର ପ୍ରମୁଖ ଚେହେରା ଥିଲେ ସୁଦାମ ମାରାଣ୍ଡି । ପରେ ସେ ଜେଏମଏମ ଛାଡି ବିଜେଡିରେ ସାମିଲ ହୋଇଥିଲେ । ତାଙ୍କ ସହ ଦଳର ଭୋଟ୍ ମଧ୍ୟ ଭାଗ ହୋଇଥିଲା । ତେବେ ଏଥର ଅଞ୍ଜନି କେତେ ଭୋଟ୍ ପାଉଛନ୍ତି, ତାଉପରେ ମୟୂରଭଞ୍ଜର ବିଜୟ ଅଙ୍କ ନିର୍ଭର କରିପାରେ । ଅଞ୍ଜନିଙ୍କ ଭାଇ ତଥା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବେ ଜେଲରେ ଥିବାରୁ ତାଙ୍କୁ ସମବେଦନା ଭୋଟ୍ ମିଳିପାରେ ।

ସମ୍ମାନର ଲଢେଇ ପାଇଁ ସମରସଜ୍ଜା

ମୟୂରଭଞ୍ଜ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲା ହୋଇଥିବାରୁ ସମ୍ମାନର ଲଢେଇ ଲଢୁଛି ବିଜେପି । ବିଜେଡି, ବିଜେପି ଛଡା ଜେଏମଏମ, କଂଗ୍ରେସର ପ୍ରଭାବ ଥିବା ମୟୂରଭଞ୍ଜ ଝାଡଖଣ୍ଡ ସୀମାରେ ଥିବାରୁ ବିଜେପି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣା ପୁଣି ମୟୂରଭଞ୍ଜ ଦଖଲ କରିବାକୁ ଜାନ୍ ଲଗାଇଛି ବିଜେପି । ପ୍ରଚାର ମଇଦାନକୁ ନିଜେ ଓହ୍ଲାଇଛନ୍ତି ବିଜେପିର ଏକନମ୍ବର ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରିପଦା ଛଉପଡିଆରେ ବର୍ଷିଛନ୍ତି ମୋଦି । ଯେଉଁ ଛଉ ପଡିଆରେ ସୁଦାମ ମାରାଣ୍ଡିଙ୍କ ପାଇଁ ପ୍ରଚାର କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ସେହି ଜାଗାରେ ହିଁ ମୋଦି ଜନସଭାକୁ ସମ୍ବୋଧନ କରି ବଡ ସନ୍ଦେଶ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅନେକ ବିଜେପି ହେଭିୱେଟ୍ ମୟୂରଭଞ୍ଜ ବିଜୟ ପାଇଁ ଅଙ୍କ କଷୁଛନ୍ତି । ସେପଟେ ବିଜେଡି ପାଇଁ ଭୋଟ୍ ମାଗୁଛନ୍ତି ଭିକେ ପାଣ୍ଡିଆନ ।

କାହା ସପକ୍ଷରେ ବିଧାନସଭା ଅଙ୍କ ?

ମୟୂରଭଞ୍ଜ ଲୋକସଭା ଆସନ ଅଧୀନରେ ରହିଛି ଯଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବାରିପଦା ଓ ମୋରଡା ବିଧାନସଭା ଆସନ । ଗତଥର ମୋଟ୍ ୭ଟି ସିଟରୁ ୫ଟି ଦଖଲ କରିଥିଲା ବିଜେପି ତ ବିଜେଡି ଖାତାକୁ ଯାଇଥିଲା ବାଙ୍ଗିରିପୋଷି ଓ ମୋରଡା । ତେବେ ଏଥର ପ୍ରାର୍ଥୀ ବଦଳ ସହ ଉଭୟ ବିଜେପି ଓ ବିଜେଡିରେ ଅସନ୍ତୋଷ ରହିଛି । ତେଣୁ ବିଧାନସଭା ଗଣିତ ଏପଟ ସେପଟ ହୋଇପାରେ ।

ମୟୂରଭଞ୍ଜ ଲୋକସଭା ସିଟରେ ନିର୍ଣ୍ଣାୟକ ହେବ ଆଦିବାସୀ ଭୋଟ୍ । ତେଣୁ ଆଦିବାସୀଙ୍କୁ ବିଜେଡି ବିକାଶର ହିସାବ ଦେଉଛି ତ ବିଜେପି ଦେଉଛି ମୋଦିଙ୍କୁ ଗ୍ୟାରେଣ୍ଟି । ସାରା ରାଜ୍ୟରେ ସରକାର ବିରୋଧୀ ହାୱା ରହିଥିବା ବେଳେ ମୋଦି ଲହର ମୟୂରଭଞ୍ଜରେ ବିଜେପି ପାଇଁ ବଡ ବଳ ହୋଇପାରେ । ତେବେ ଏଥର ବିଜେପି ବିଜୟ ରିପିଟ୍ କରିବ ନା ୫ବର୍ଷ ବ୍ୟବଧାନରେ ପୁଣି ମୟୂରଭଞ୍ଜ କବଜା କରିବ ବିଜେଡି ?

Comments are closed.