Latest Odisha News

ବଦଳିଯିବ ବଡ଼ଚଣା ବାଜି !

ଭୁବନେଶ୍ବର: ବଡ଼ଚଣା ବିଧାନସଭା ଆସନରୁ ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରି ଚମକାଇଥିଲା ବିଜେଡି । ଛଅ ଥରର ବିଧାୟକ ଅମର ଶତପଥୀଙ୍କ ଟିକେଟ୍ କାଟି ଦେଇଥିଲା ବଡ ସରପ୍ରାଇଜ୍ । ଟିକେଟ୍ ପାଇବା ପରଠୁ ଗ୍ରାଉଣ୍ଡରେ ଆକ୍ଟିଭ ରହିଛନ୍ତି ବର୍ଷା । ତେବେ ବଡ଼ଚଣା ବାହାରର ଜଣେ ପ୍ରାର୍ଥୀଙ୍କୁ କେତେ ଭରସା କରିବେ ଭୋଟର, ସେନେଇ ଦ୍ବନ୍ଦ୍ବ ରହିଛି । ସେପଟେ ଗତଥର ଅଳ୍ପକେ ବଡ଼ଚଣା ବାଜି ହାରିଥିବା ଅମର ନାୟକ ଏଥର ବି ବିଜେପିରୁ ମଇଦାନରେ ରହିଛନ୍ତି । କଂଗ୍ରେସ ବି ଅଜୟ ସାମଲଙ୍କୁ ରିପିଟ୍ କରିଛି ।

ବର୍ଷାଙ୍କ ପାଇଁ ବଡ଼ ଲଢେଇ

ହେଭିଓ୍ବେଟ୍ ଅମର ଶତପଥୀଙ୍କ ଟିକେଟ୍ କାଟି ବଡ଼ଚଣାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । ହେଲେ ବର୍ଷାଙ୍କ ପାଇଁ ସହଜ ନୁହେଁ ବଡ଼ଚଣା ବିଜୟ। ଗତଥର ବିଜେପି ପ୍ରାର୍ଥୀ ଅମର ନାୟକଙ୍କଠାରୁ ମାତ୍ର ୧୪୮୫ ଭୋଟରେ ଜିତିଥିଲେ ଅମର ଶତପଥୀ। ବିଜେପିରୁ ପ୍ରାର୍ଥୀ ହୋଇଥିବା ଅମର ନାୟକଙ୍କର ବଡଚଣାରେ ଭଲ ସଂଗଠନ ରହିଛି । ଗତଥର ସେ ଅମର ଶତପଥୀଙ୍କୁ କଡା ଟକ୍କର ଦେଇଥିଲେ। ଛଅ ଥରର ବିଧାୟକ ଅମର ଶତପଥୀ ଅଳ୍ପକେ ଜିତିଥିଲେ । ଏଥର ବି ଅମର ନାୟକ ମଇଦାନରେ ଥିବା ବେଳେ ବର୍ଷା ତାଙ୍କୁ କେମିତି ଫାଇଟ୍ ଦେବେ, ତାଉପରେ ନଜର ରହିଛି ।

ବିଜେଡି ବିଦ୍ରୋହ ସମର୍ଥନ ଦ୍ବନ୍ଦ୍ବ

ବଡଚଣା ଆସନ ପାଇଁ ଅମର ଶତପଥୀଙ୍କ ଛଡା ଅନ୍ୟ ଦୁଇ ପ୍ରମୁଖ ଆଶାୟୀ ରହିଥିଲେ । ନିକଟରେ ପୂର୍ବତନ କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ମହାପାତ୍ର ଓ କଂଗ୍ରେସ ଛାଡି ବିଜେଡି ଆସିଥିବା ଜନ୍ମେଜୟ ଲେଙ୍କାଙ୍କ ନାଁ ଚର୍ଚ୍ଚା ହୋଇଥିଲା । ତେବେ ରେସରେ ନଥିବା ବର୍ଷା ଟିକେଟ୍ ନେଇଥିଲେ । ଏହାପରେ ଦଳ ପକ୍ଷରୁ ଆଶାୟୀଙ୍କ ମାନଭଞ୍ଜନ କରାଯାଇଥିଲା । ହେଲେ ପ୍ରଚାର ମଇଦାନରେ ଅମର ଶତପଥୀଙ୍କୁ ଦେଖିବାକୁ ମିଳୁନି । ବଡ଼ଚଣାରୁ ଛଅ ଥର ବିଧାୟକ ହୋଇଥିବା ଅମରଙ୍କ ସମର୍ଥକ କାହାକୁ ସମର୍ଥନ ଦେବେ? ବର୍ଷାଙ୍କ ପାଇଁ ଠିଆ ହେବେ କି ନାହିଁ, ସେନେଇ ଦ୍ବନ୍ଦ୍ବ ରହିଛି ।

ବଡ଼ଚଣା ପାଇଁ ବିଜେପିର ସମରସଜ୍ଜା

ବଡ଼ଚଣା ଗାଦି ବିଜେଡି ଓ କଂଗ୍ରେସ ମଧ୍ୟରେ ରହିଥିବା ବେଳେ ପ୍ରଥମ ଥର ପଦ୍ମ ଫୁଟାଇବାକୁ ସମରସଜ୍ଜା କରିଛି ବିଜେପି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ହୁଅନ୍ତୁ କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଡ଼ଚଣାରେ ଅମର ନାୟକଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି । ଗୁମାସ୍ତା ଓ କ୍ରୀତଦାସ ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର । ସେପଟେ ବିଜେଡି ନେତା ଭିକେ ପାଣ୍ଡିଆନ ବଡ଼ଚଣାରେ ପ୍ରଚାର କରି ନବୀନ ସରକାରର ବିକାଶମୂଳକ କାମର ହିସାବ ଦେଇଛନ୍ତି । ନିଜେ ବର୍ଷା ପ୍ରିୟଦର୍ଶନୀ ବି ରୋଡ୍ ଶୋ କରୁଛନ୍ତି । ତାଙ୍କ ରୋଡ୍ ଶୋରେ ପ୍ରବଳ ଭିଡ ତ ଲାଗୁଛି, ହେଲେ ପ୍ରଶ୍ନ ଉଠୁଛି ଏ ଭିଡ ଭୋଟରେ ପରିଣତ ହେବ କି ନାହିଁ?

ବଡ଼ଚଣା ସ୍ବାଭିମାନ ଓ ସମ୍ମାନର ଲଢେଇ

ଅମର ଶତପଥୀ ୧୯୯୦ ଓ ୧୯୯୫ରେ ବଡଚଣା ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ବିଜେଡିରେ ସାମିଲ ହୋଇଥିଲେ । ୨୦୦୦ ମସିହାରେ ବିଜେଡିରୁ ପୁଣି ବିଧାୟକ ହୋଇଥିଲେ । ପରେ ଏନସିପିରେ ଯୋଗଦେଇ ୨୦୦୯ରେ ବିଧାୟକ ହୋଇଥିଲେ । ପରେ ବିଜେଡିକୁ ଫେରିଥିଲେ । ୧୯୯୦ରୁ କେବଳ ୨୦୦୪କୁ ଛାଡିଦେଲେ ସବୁ ନିର୍ବାଚନ ଜିତିଛନ୍ତି ଅମର ଶତପଥୀ । ତେବେ ଅମରଙ୍କ ଜାଗାରେ ବର୍ଷାଙ୍କୁ ପ୍ରାର୍ଥୀ କରାଯିବା ପରେ ଅନେକ ବିଜେଡି କର୍ମୀ ଦଳ ଛାଡି ବିଜେପିରେ ମିଶିଛନ୍ତି । ମାଟିର ପୁଅ ଭାବେ ଅମର ନାୟକ ବଡ଼ଚଣାବାସୀଙ୍କ ସମର୍ଥନ ମାଗୁଛନ୍ତି। ବର୍ଷାଙ୍କୁ ପ୍ରାର୍ଥୀ କରି ବଡଚଣାର ସ୍ବାଭିମାନ ପ୍ରତି ବିଜେଡି କୁଠାରଘାତ କରିଛି। ବଡ଼ଚଣାରେ କଣ ଦକ୍ଷ ନେତାଙ୍କ ଅଭାବ ରହିଛି କି, ବୋଲି ପ୍ରଶ୍ନ କରିଛନ୍ତି । ବର୍ଷା ମଧ୍ୟ ଏଠାରେ ସମ୍ମାନର ଲଢେଇ ଲଢୁଛନ୍ତି । କଂଗ୍ରେସର ବଡ଼ଚଣାରେ ବିଶେଷ ପ୍ରଭାବ ନଥିବା ବେଳେ ଲଢେଇ ବିଜେଡି ଓ ବିଜେପି ମଧ୍ୟରେ ହେବ ।

Comments are closed.