Latest Odisha News

BREAKING NEWS

ପଦ୍ମପୁରରେ ଆଦିବାସୀ ଭୋଟ୍ କିଏ ହାତେଇବ, ମୁହାଁମୁହିଁ ହେଲେ କେନ୍ଦ୍ରମନ୍ତ୍ରୀ ଓ ବିଜେଡି ସାଂସଦ

ପଦ୍ମପୁର: ପଦ୍ମପୁର ଉପନିର୍ବାଚନରେ କିଏ ହାତେଇବ ଆଦିବାସୀ ଭୋଟ୍। ମୋଟ୍ ଭୋଟରଙ୍କ ମଧ୍ୟରୁ ଏକ ତୃତୀୟାଂଶ ଆଦିବାସୀ ଭୋଟ୍ ରହିଥିବାରୁ ଏହା ଉପରେ ବିଜେଡି ଓ ବିଜେପିର ନଜର ରହିଛି।ଏହି ସମୟରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ କହିଛନ୍ତି, ଆଦିବାସୀ ଭୋଟ ବିଜେପିକୁ ଯିବ, ନିଶ୍ଚିତ ଭାବରେ ଆଦିବାସୀମାନେ ଆମ ସହିତ ରହିବେ। ଆଦିବାସୀଙ୍କୁ ଯିଏ ସମ୍ମାନ ଦେଇଛି ଏବଂ ବିକାଶ କଥା ଚିନ୍ତା କରିଛି ସେ ହେଉଛି ଭାରତୀୟ ଜନତା ପାର୍ଟି। ସେପଟେ ଏହି ପ୍ରସଙ୍ଗରେ ଟୁଡୁଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସାଂସଦ ମୁନ୍ନା ଖାନ୍।

ଚାଷୀ ନିଜ ଦାବି ନେଇ ଆନ୍ଦୋଳନ କରୁଥିବା ବେଳେ ବୀମା ଟଙ୍କା ଦେବାକୁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏମିତିକି କେନ୍ଦ୍ରକୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଆଣି ପ୍ରଚାର କରିବାକୁ ବିଜେପି ଯୋଜନା କରୁଥିବା ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ସେପଟେ ରାଜ୍ୟ ସରକାର ଇନପୁଟ ସବସିଡି ଘୋଷଣା କରି ଅସନ୍ତୁଷ୍ଟ ଚାଷୀ ଭୋଟ୍ ହାତେଇବାକୁ ପ୍ରୟାସ କରିଛନ୍ତି।

କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେଶର ଟୁଡୁ କହିଛନ୍ତି, ପଦ୍ମପୁରବାସୀଙ୍କ ଭାରତୀୟ ଜନତା ପାର୍ଟି ଉପରେ ଭରସା ରହିଛି। ସେଠାରେ ଥିବା ଆଦିବାସୀଙ୍କ ମୌଳିକ ସମସ୍ୟା ଥିଲେ ମୁଁ ଦୂର କରିବି। ମୁଁ ନିଜେ ଏହି ବିଭାଗର ମନ୍ତ୍ରୀ ରହିଛି। ଯଦି ରାଜ୍ୟ ସରକାର କରିବାର ଥିଲା ତାହା କରିପାରିଥାନ୍ତେ ହେଲେ ସେ କିଛି କରିଲେ ନାହିଁ। ଯାହା ୨୨ବର୍ଷ ଶାସନ କାଳରେ କରିବା କଥା। ଅଟ୍ଟଳ ବିହାରୀ ବାଜପେୟୀ ସରକାରଠୁ ଆଦିବାସୀଙ୍କ ବିକାଶ ଉପରେ ବିଜେପି ଗୁରୁତ୍ୱ ଦେଉଛି। ମୋଦୀ ସରକାର ଶିକ୍ଷା, ଅର୍ଥନୀତି ଏବଂ ଆଦିବାସୀଙ୍କ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ତେଣୁ ଆଦିବାସୀ ଭୋଟ ବିଜେପିକୁ ଯିବ, ନିଶ୍ଚିତ ଭାବରେ ଆଦିବାସୀମାନେ ଆମ ସହିତ ରହିବେ। ଆଦିବାସୀଙ୍କୁ ଯିଏ ସମ୍ମାନ ଦେଇଛି ଏବଂ ବିକାଶ କଥା ଚିନ୍ତା କରିଛି ସେ ହେଉଛି ଭାରତୀୟ ଜନତା ପାର୍ଟି।

ଏହାର କଡା ଜବାବ ଦେଇଛନ୍ତି ବିଜେଡି ସାଂସଦ ମୁନ୍ନା ଖାନ୍ ଟୁଡୁଙ୍କୁ ଟାର୍ଗେଟ କରିଛନ୍ତି, ଭଲ କଥା ସେ ଆମ ରାଜ୍ଯରୁ ଯାଇ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି। ଆମ ରାଜ୍ୟର ବିକାଶ କରନ୍ତୁ। ହେଲେ ଦେଢ ବର୍ଷ କାଳରେ ସେ କଣ କରିଛନ୍ତି ତାହା ଦେଖାଯାଉନି।ଯଦି ଆଦିବାସୀ ଭୋଟ୍ ବିଜେପିର ଥିଲା ତାହେଲେ ପଞ୍ଚାୟତ ନିର୍ବାଚନରେ କେମିତି ଫେଲ ମାରିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଓଡିଶାର ଜନସାଧାରଣ ବିଶେଷକରି ଆଦିବାସୀ ଭୋଟ୍ ବିଜୁ ଜନତା ଦଳ ଏବଂ ନବୀନ ସରକାରର ସପକ୍ଷରେ ରହିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ଆଶା ବୃଥା ହେବ ବିଜେଡି ଅଧିକାଂଶ ଭୋଟ୍ ପାଇବ।

ଉଲ୍ଲେଖଯୋଗ୍ୟ, ପଦ୍ମପୁରରେ ଗନ୍ଧମାର୍ଦ୍ଦନ ପର୍ବତକୁ ନେଇ ଆନ୍ଦୋଳନ ହୋଇଥିଲା। ଏହା ଆଦିବାସୀମାନେ କରିଥିଲେ। ଯାହାର ନେତୃତ୍ବ ନେଇ ପ୍ରଦୀପ ପୁରୋହିତ ଚର୍ଚ୍ଚାରେ ଥିଲେ। ତେଣୁ ତାଙ୍କର ମଧ୍ୟ ଆଦିବାସୀ ଭୋଟ୍ ବ୍ୟାଙ୍କ ଉପରେ ଗୋଟିଏ ପ୍ରଭାବ ରହିଛି।

ସେପଟେ ବିଜେଡିର ପ୍ରାର୍ଥୀ ବର୍ଷା ବରିହା ସିଂ ବିଞ୍ଝାଲ କମ୍ୟୁନିଟିର। ଯାହାକି ଆଦିବାସୀଙ୍କର। ବିଜେଡି ସୁପ୍ରିମୋ ଟିକେଟ୍ ଦେବା ପୂର୍ବରୁ ପଦ୍ମପୁରର ବିଞ୍ଝାଲ ସମୁଦାୟ ନବୀନଙ୍କୁ ଭେଟିଥିଲେ। ଆଉ ତାଙ୍କ ସମୁଦାୟର ଟିକେଟ୍ ଦେବାକୁ ଦାବି କରିଥିଲେ। ତେଣୁ ଆଦିବାସୀ ଭୋଟ୍ ଯେ ବିଜେପି ଏକାକୀ ହାତେଇବ ତାହା ଭାବିବ ଏକପାଖିଆ ହୋଇପାରେ। କାରଣ ବର୍ଷାଙ୍କ ବାପା ତଥା ଦିବଂଗତ ବିଧାୟକ ଦୀର୍ଘ ଦିନ ଧରି ଏଠାରେ ବିଧାୟକ ଥିଲେ।

Leave A Reply

Your email address will not be published.