ନୂଆଦିଲ୍ଲୀ: #SaveAravalli ଆନ୍ଦୋଳନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଆରାବଳି ପର୍ବତମାଳାକୁ ନେଇ ପରିବେଶ ମନ୍ତ୍ରଣାଳୟର ସୁପାରିଶକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ପରେ ପରିବେଶବିତ୍ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଯାଇଛି। ଅନେକ ପରିବେଶବିତ୍ ମଧ୍ୟ ଏହି ନିଷ୍ପତ୍ତି ବିରୋଧରେ ପ୍ରତିବାଦ କରୁଛନ୍ତି। ଗୁରୁଗ୍ରାମ, ରାଜସ୍ଥାନ ଏବଂ ଉଦୟପୁରରେ ପରିବେଶବିତମାନେ ଆରାବଳି ପର୍ବତମାଳାର ଉଚ୍ଚତା ଉପରେ ଆଧାରିତ ନୂତନ ପରିଭାଷା ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।
ପରିବେଶବିତମାନେ ପ୍ରତିବାଦ କରି କହିଥିଲେ ଯେ ଆରାବଳି ହେଉଛି ଦେଶର ସବୁଠାରୁ ପୁରୁଣା ପର୍ବତମାଳା। ଏହି ନୂତନ ପରିବର୍ତ୍ତନ ଏହି ପର୍ବତମାଳାର ପରିବେଶଗତ ସନ୍ତୁଳନ ପାଇଁ ଏକ ବଡ ବିପଦ ସୃଷ୍ଟି କରିପାରେ। ଗୁରୁଗ୍ରାମରେ, ସ୍ଥାନୀୟ ବାସିନ୍ଦାଙ୍କ ସହିତ ପରିବେଶବିତମାନେ ମନ୍ତ୍ରୀ ରାଓ ନରବୀର ସିଂହଙ୍କ ବାସଭବନରେ ଏକାଠି ହୋଇ ଶାନ୍ତିପୂର୍ଣ୍ଣ ଭାବରେ ଏହି ନିଷ୍ପତ୍ତିର ପ୍ରତିବାଦ କରିଥିଲେ।
ତେବେ ଆରାବଳି ପର୍ବତମାଳା ଉତ୍ତର ଭାରତକୁ ଜଳ ଏବଂ ସବୁଜିମା ଯୋଗାଇନାହିଁ ବରଂ ଏକ ସମୃଦ୍ଧ ଜୀବନ ମଧ୍ୟ ପ୍ରଦାନ କରିଥିଲା।କିନ୍ତୁ ଆଜି, ସେହି ଆରାବଳୀର ଅସ୍ତିତ୍ୱ ବିପଦରେ। ୨୦୨୫ ମସିହା ନଭେମ୍ବର ୨୦ରେ ସୁପ୍ରିମକୋର୍ଟଙ୍କ ଏକ ନିଷ୍ପତ୍ତିକୁ ନେଇ ଦେଶବ୍ୟାପୀ ଉତ୍ତେଜନା ଦେଖାଯାଇଛି। କୋର୍ଟ ଆରାବଲ୍ଲୀ ପାହାଡ଼ର ଏକ ନୂଆ ଏବଂ ଅତ୍ୟନ୍ତ ସଂକୀର୍ଣ୍ଣ ପରିଭାଷା ଗ୍ରହଣ କରିଥିଲେ। ଏବଂ ତାହା ହେଉଛି ଏବେ କେବଳ ସେହି ପାହାଡ଼ଗୁଡ଼ିକୁ “ଆରାବଳୀ” ବିବେଚନା କରାଯିବ, ଯାହା ସେମାନଙ୍କ ଆଖପାଖ ଅଞ୍ଚଳ ଠାରୁ ୧୦୦ ମିଟର କିମ୍ବା ଅଧିକ ଉଚ୍ଚରେ ଥିବ।
ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ୧୨,୦୮୧ ପାହାଡ଼ ମଧ୍ୟରୁ କେବଳ ୧,୦୪୮ଟି ନୂତନ ପରିଭାଷା ପୂରଣ କରେ। ଏହାର ଅର୍ଥ ହେଉଛି ଆରାବଲିର ୯୦% ବର୍ତ୍ତମାନ ଖଣି ଏବଂ ରିଅଲ୍ ଇଷ୍ଟେଟ୍ ପାଇଁ ଖୋଲା ହୋଇପାରିବ। GIS ମ୍ୟାପିଂ ପୂର୍ବରୁ ୩,୦୦୦ ରୁ ଅଧିକ ସ୍ଥାନରେ ଖଣି ଖନନର କ୍ଷତି ଦର୍ଶାଇଛି। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ନିମ୍ନ ପାହାଡ଼ରେ ଖଣି ପୁନରାବୃତ୍ତି କରିବା ଦ୍ୱାରା ଭୂତଳ ଜଳ ସ୍ତର ହ୍ରାସ ପାଇପାରେ ଏବଂ ମାନବ-ବନ୍ୟପ୍ରାଣୀ ସଂଘର୍ଷ ବୃଦ୍ଧି ପାଇପାରେ।
କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଥିଲେ, ଆରାବଳି ପର୍ବତମାଳାର ସୀମା ଚାରିଟି ଭାରତୀୟ ରାଜ୍ୟ ଯଥା ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ଗୁଜରାଟକୁ ବ୍ୟାପ୍ତ ରହିଛି। ଏହି ୪ ରାଜ୍ୟର ୩୯ ଜିଲ୍ଲାରେ ସମ୍ପୂର୍ଣ୍ଣ ଆରାବଳୀ ବିସ୍ତୃତ। ଆରାବଳୀ ସମ୍ପର୍କରେ ଆଇନଗତ ପ୍ରକ୍ରିୟା ନୂଆ ନୁହେଁ; ୧୯୮୫ ମସିହାରୁ ଆବେଦନଗୁଡ଼ିକ ବିଚାରାଧୀନ ରହିଥିବା ସେ ସୂଚନା ଦେଇଛନ୍ତି। ଏହି ଆବେଦନଗୁଡ଼ିକର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଆରାବଳୀ ଅଞ୍ଚଳରେ ଖଣିଜ ଖନନ ଉପରେ କଠୋର ଏବଂ ସ୍ପଷ୍ଟ ନିୟମାବଳୀ କାର୍ଯ୍ୟକାରୀ କରିବା, ଯାହାକୁ କେନ୍ଦ୍ର ସରକାର ପୂର୍ଣ୍ଣ ସମର୍ଥନ କରି ଆସିଛନ୍ତି।
Comments are closed.