Latest Odisha News

BREAKING NEWS

ବିଜେଡି ୧୦୦ ୟୁନିଟ୍‌ ମାଗଣା ଦେବ, ବିଜେପି ପୂରା ଛାଡ଼ କରିବ: ଅପରାଜିତା ଷଡ଼ଙ୍ଗୀ 

ଭୁବନେଶ୍ବର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି । ଏହି ସମୟରେ ଅନ୍ୟପଟେ ଭାରତୀୟ ଜନତା ପାର୍ଟି ଏକ ପ୍ରେସମିଟ କରି ଶାସକ ଦଳ ବିଜୁ ଜନତା ଦଳ ଉପରେ ବର୍ଷିଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପ୍ରତାପ ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଆଉ କହିଛନ୍ତି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ।

ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଏହିପରି ଟାର୍ଗେଟ୍‌ କରିଛନ୍ତି । ସେତେବେଳେ ଜାଣିଶୁଣି ସୁରକ୍ଷା ବ୍ୟବସ୍ଥା ଢ଼ିଲା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ଥିଲା । ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିଲା ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଜବାବ ଦିଅନ୍ତୁ  ବୋଲି ପ୍ରତାପ ଷଡ଼ଙ୍ଗୀ ଦାବି କରିଛନ୍ତି।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ବିଜେଡି ୧୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଦେବ, କିନ୍ତୁ ବିଜେପି ବିଦ୍ୟୁତ୍‌ ବିଲ୍‌ ପୂରା ଛାଡ଼ କରିବ। ଓଡ଼ିଶାବାସୀଙ୍କୁ ମହଙ୍ଗା, ଚେନ୍ନାଇକୁ କାହିଁକି ଶସ୍ତା ବିଜୁଳି ବୋଲି  ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା। ଓଡ଼ିଶାରୁ ଚେନ୍ନାଇକୁ ବିତରଣକାରୀ ସଂସ୍ଥା ୨ ଟଙ୍କା ୫୨ରେ ବିଜୁଳି ବିକୁଛି । ସେହି କଂପାନୀ ଓଡ଼ିଶା ଉପଭୋକ୍ତାଙ୍କଠାରୁ ୨ ଟଙ୍କା ୮୨ ଆଦାୟ କରୁଛି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।

ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଡିପିଆର କାହିଁକି ଭୁଲ ହେଲା ଓ ବଦଳା ଗଲା ବୋଲି ପଚାରିଛନ୍ତି ଅପରାଜିତା । ପୁରୀ ମନ୍ଦିର ପ୍ରୋଜେକ୍ଟ ପାଇଁ ରାଜ୍ୟ ରାଜକୋଷରୁ ୪ ହଜାର ୨ ଶହ କୋଟି ଟଙ୍କା ବ୍ୟୟ କରାଯାଇଛି। ମାତ୍ର ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ପାଇଁ ୧୪ ଶହ କୋଟି ଖର୍ଚ୍ଚ ହୋଇଛି। ତାହା ପୁଣି ଦାନସୂତ୍ରରେ ମିଳିଛି। ଏଥିସହ ସେ କହିଛନ୍ତି, ରାଜ୍ୟ ସରକାର ପୁରୀ ମନ୍ଦିର ପ୍ରୋଜେକ୍ଟ ପାଇଁ ହଜାର ହଜାର ବର୍ଷ ତଳର ପ୍ରାଚୀନ ମଠ ସବୁ ଭାଙ୍ଗି ଦେଲେ।ତାହା ଆମ ଐତିହ୍ୟ, ସଂସ୍କୃତି, ପରମ୍ପରାର ପ୍ରତୀକ। ତାହା ପୁଣି କେବେ ନିର୍ମିତ ହେବ, ତାହାର ଉତ୍ତର ରାଜ୍ୟ ସରକାର ରଖନ୍ତୁ ବୋଲି ଅପରାଜିତା କହିଛନ୍ତି।

Comments are closed.