ନୂଆଦିଲ୍ଲୀ: ମୋଗଲ ବାଦଶାହ ଔରଙ୍ଗଜେବଙ୍କ ସମାଧି ଭାଙ୍ଗିବା ଦାବିକୁ ନେଇ ବିରୋଧ ଓ ହିଂସା ଘଟଣା ସାମନାକୁ ଆସିଛି। ତେବେ ସବୁଠୁ ରୋଚକ କଥା ହେଲା, ଔରଙ୍ଗଜେବଙ୍କ କବର ନା ମୋଗଲ ରାଜଧାନୀ ଦିଲ୍ଲୀରେ ରହିଛି ନା ନାଗପୁରରେ । ମହାରାଷ୍ଟ୍ରର ଏକ ଛୋଟ ସହର ଖୁଲଦାବାଦରେ ରହିଛି ଔରଙ୍ଗଜେବଙ୍କ କବର । ଭାରତୀୟ ଇତିହାସର ସବୁଠୁ ବିବାଦୀୟ ମୋଗଲ ବାଦଶାହା ଔରଙ୍ଗଜେବଙ୍କ କବର ଅନେକ ସମୟରେ ଖବରରେ ରହିଛି । କେତେବେଳେ କେଉଁ ନେତା ନମାଜ ପଢିବାକୁ ନେଇ ବିବାଦ ହୋଇଛି ତ କେତେବେଳେ ଏହାକୁ ହଟାଇବା ଦାବିକୁ ନେଇ ଚର୍ଚ୍ଚାକୁ ଆସିଛି । ତେବେ ପ୍ରଶ୍ନ ଉଠୁଛି, କାହିଁକି ଖୁଲଦାବାଦ ଭଳି ଅଜ୍ଞାତ ସ୍ଥାନରେ ରହିଛି ଔରଙ୍ଗଜେବଙ୍କ କବର?
ଔରଙ୍ଗଜେବଙ୍କ ଅପରାଧବୋଧ ଓ ପଶ୍ଚାତାପ !
ଔରଙ୍ଗଜେବଙ୍କ ମୃତ୍ୟୁ ଅହମ୍ମଦନଗରରେ ହୋଇଥିଲା । ପରେ ଏହାର ନାଁ ବଦଳାଇ ଅହଲ୍ୟାନଗର କରାଯାଇଛି । ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ଖୁଲଦାବାଦରେ ରହିଛି ଔରଙ୍ଗଜେବଙ୍କ କବର । ଖୁଲଦାବାଦରେ ନିଜ କବର ରଖିବା ନିଷ୍ପତ୍ତି ପଛରେ ହୁଏତ ଔରଙ୍ଗଜେବଙ୍କ କଥିତ ସାଧାସିଧା ଜୀବନ ଶୈଳୀ କାରଣ ହୋଇପାରେ । ବାପା ଶାହାଜାହାନ ଜୀବିତ ଥିବା ବେଳେ ହିଁ ତାଙ୍କଠାରୁ ରାଜଗାଦି ଛଡାଇ ନେଇଥିଲେ ଔରଙ୍ଗଜେବ । ଏହାର ପ୍ରଭାବ ତାଙ୍କ ଉପରେ ସାରା ଜୀବନ ରହିଥିଲା । ଔରଙ୍ଗଜେବଙ୍କୁ ବିଳାସ ବ୍ୟସନ ପସନ୍ଦ ନଥିଲା । ସେ ନିଜ ସାମ୍ରାଜ୍ୟରେ ମଦ, ଅଫିମ, ବେଶ୍ୟାବୃତ୍ତି ଓ ଜୁଆ ଉପରେ କଟକଣା ଲଗାଇଥିଲେ । ଶେଷ ଜୀବନରେ ଔରଙ୍ଗଜେବ ଟୋପି ସିଲେଇ କରି ୧୨ଟଙ୍କା ୧୪ଅଣାରେ ନିଜ କବରର ଖର୍ଚ୍ଚ ଉଠାଇଥିଲେ । ଔରଙ୍ଗଜେବଙ୍କ ସମାଧି ସଂପର୍କିତ ରେକର୍ଡରେ ଏନେଇ ଉଲ୍ଲେଖ ରହିଛି ।
ଦିଲ୍ଲୀ ନୁହେଁ ପସନ୍ଦ ଥିଲା ଡେକାନ୍
ଦିଲ୍ଲୀର ବିଳାସମୟ ଜୀବନକୁ ଛାଡି ୧୬୮୦ ଦଶକର ଆରମ୍ଭରେ ଦକ୍ଷିଣ ଆଡକୁ ଅଗ୍ରସର ହୋଇଥିଲେ ଔରଙ୍ଗଜେବ । ପୂର୍ବବର୍ତ୍ତୀ ମୋଗଲ ବାଦଶାହାମାନେ ଡେକାନର ଯେଉଁ ଅଞ୍ଚଳକୁ ନିଜ ଅଧୀନକୁ ନେଇ ଛାଡି ଦେଇଥିଲେ, ସେସବୁକୁ କବଜା କରିବା ଲକ୍ଷ୍ୟରେ ଡେକାନ୍ ଅଭିଯାନରେ ବାହାରିଥିଲେ ଔରଙ୍ଗଜେବ । ହେଲେ ୨୭ବର୍ଷ ଧରି ଚାଲିଥିବା ଡେକାନ ଅଭିଯାନ ହିଁ ଔରଙ୍ଗଜେବଙ୍କ ଶାସନ ପାଇଁ ସମସ୍ୟା ହୋଇ ଠିଆ ହୋଇଥିଲା । ତାଙ୍କୁ ଦିଲ୍ଲୀଠାରୁ ଦୂରରେ ରହିବାକୁ ପଡିଲା । ଦରବାରୀଙ୍କ ମଧ୍ୟରେ ବି ଅସନ୍ତୋଷ ଦେଖାଦେଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଡେକାନରେ ଯୁଦ୍ଧ ଜିତିଥିଲେ ଔରଙ୍ଗଜେବ । ତେବେ ପରେ ଦକ୍ଷିଣ ରାଜ୍ୟ ଓ ମରାଠାଙ୍କ ସହ ଲଗାତର ଯୁଦ୍ଧ ହୋଇଥିଲା । ନିଜ ଶେଷ ଜୀବନରେ ବର୍ତ୍ତମାନର ମହାରାଷ୍ଟ୍ରରେ ରହିଥିଲେ ଔରଙ୍ଗଜେବ।
ଔରଙ୍ଗଜେବଙ୍କ ଶେଷ ଇଚ୍ଛା
ଖୁଲଦାବାଦରେ ଔରଙ୍ଗଜେବଙ୍କ କବର ରହିବା ପଛରେ ବି ତାଙ୍କର ଶେଷ ଇଚ୍ଛାକୁ କାରଣ ଭାବେ ଦର୍ଶାଯାଏ । ଜୈନୁଦ୍ଦିନ ଶିରାଜୀର ଚିସ୍ତି ସୁଫି ଦରଘା ଭିତରେ ହିଁ ଔରଙ୍ଗଜେବଙ୍କ କବର ରହିଛି। ବଞ୍ଚିଥିବା ବେଳେ ଔରଙ୍ଗଜେବ ନିଜ ପାଇଁ ଏକ ସାଧାରଣ କବର ଚାହିଁଥିଲେ । ଆଉ ସେଥିପାଇଁ ଖୁଲଦାବାଦଠାରୁ ୧୩୦କିଲୋମିଟର ଦୂର ଅହମ୍ମଦନଗରରେ ଔରଙ୍ଗଜେବଙ୍କ ମୃତ୍ୟୁ ହୋଇଥିଲେ ବି ତାଙ୍କ କବର ସେଠାରେ ହିଁ କରାଯାଇଥିଲା । ପ୍ରଥମରୁ ଏହି କବର ବେଶ ସାଧାରଣ ଥିଲା । ତେବେ ପରେ ହାଇଦ୍ରାବାଦ ନିଜାମ ଓ ଲର୍ଡ କର୍ଜନ ଏଥିରେ ଗ୍ରାନାଇଟ ପଥରର ବ୍ୟବହାର କରିଥିଲେ । ଚିସ୍ତି ସୁଫି ଦରଘା ଜୈନୁଦ୍ଦିନ ଶିରାଜୀରେ କବର ପାଇଁ ଇଚ୍ଛା ରଖିଥିବା ଯୋଗୁଁ ଖୁଲଦାବାଦରେ ଔରଙ୍ଗଜେବଙ୍କ କବର ରହିଛି । ଏହା ନାଗପୁରଠାରୁ ୫ଶହ କିଲୋମିଟର ଦୂର ହୋଇଥିବା ବେଳେ ଦିଲ୍ଲୀଠାରୁ ୧୧ଶହ କିଲୋମିଟରରୁ ଅଧିକ ଦୂରରେ ରହିଛି ।
Comments are closed.