ମଣିଷ ଶରୀରର ହୃଦପିଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ। ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ତେଣୁ ଏହାର ଯତ୍ନ ନେବା ମଧ୍ୟ ଆବଶ୍ୟକ। ଖାଦ୍ୟପେୟ ଅନିୟମିତତା ହେଉ ବା ଶାରୀରିକ ପରିଶ୍ରମର ଅଭାବ, ବର୍ତ୍ତମାନ ହୃଦରୋଗ ଏକ ବଡ ସମସ୍ୟା ହୋଇ ଛିଡା ହୋଇଛି। ସଚେତନତା ଅଭାବରୁ ଅନେକ ଲୋକ ହୃଦଘାତର ଶିକାର ହେବା ସହ ପ୍ରାଣ ମଧ୍ୟ ହରାଉଛନ୍ତି। ବର୍ତ୍ତମାନ ସମୟରେ ଆଧୁନିକ ଜୀବନଶୈଳୀ ଅନେକ ରୋଗର କାରଣ ପାଲଟିଛି। ତା ମଧ୍ୟରୁ ସବୁଠାରୁ ବଡ ରୋଗ ହେଉଛି ହୃଦରୋଗ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ ହୃଦରୋଗ ହେଉଛି ବିଶ୍ୱରେ ମୃତ୍ୟୁର ପ୍ରମୁଖ କାରଣ। ୨୦୨୨ ମସିହାରେ, ହୃଦରୋଗ ଯୋଗୁଁ ୨୦ ନିୟୁତ ଲୋକଙ୍କର ମୃତ୍ୟୁ ହୋଇଥିଲା, ଏହି ମୃତ୍ୟୁର ୮୫% ହୃଦଘାତ ଏବଂ ଷ୍ଟ୍ରୋକ ଯୋଗୁଁ ହୋଇଥିଲା। ପରିସଂଖ୍ୟାନ ଦର୍ଶାଉଛି ଯେ ବିଶ୍ୱ ସ୍ତରରେ ହାର୍ଟ ଦୁର୍ବଳ ହେଉଛି, କିନ୍ତୁ ଏକ ଯୁବ ହୃଦୟ ବଜାୟ ରଖିବା ଦୃଷ୍ଟିରୁ, ବୋଲିଭିଆ ବିଶ୍ୱର ଅନ୍ୟ ଦେଶଗୁଡ଼ିକୁ ପଛରେ ପକାଇ ଦେଇଛି।
ଲାନସେଟ୍ ମେଡିକାଲ୍ ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣାରେ କୁହାଯାଇଛି ଯେ ୮୦ ବର୍ଷ ବୟସ୍କ ବୋଲିଭିଆନ୍ଙ୍କ ହୃଦୟ ୫୦ ବର୍ଷ ବୟସ୍କ ଆମେରିକୀୟଙ୍କ ହୃଦୟ ପରି ଯୁବ।
ବୋଲିଭିଆନ୍ଙ୍କ ହାର୍ଟ କିପରି?
ବୋଲିଭିଆନ୍ ଆମାଜନ୍ର ସିମାନେ ଜନଜାତି ଉପରେ ଅନେକ ଅଧ୍ୟୟନ କରାଯାଇଛି, ଯାହା ଦର୍ଶାଉଛି ଯେ ସେମାନେ ବିଶ୍ୱର ସବୁଠାରୁ ସୁସ୍ଥ ଲୋକଙ୍କ ମଧ୍ୟରେ ଅନ୍ୟତମ। ୭୦ ବର୍ଷ ବୟସ ପର୍ଯ୍ୟନ୍ତ, ସେମାନଙ୍କର ଧମନୀରେ ଅବରୋଧ ବହୁତ କମ୍ ଅନୁଭବ ହୁଏ। ଏହାର କାରଣ ଜାଣିବା ପାଇଁ ଗବେଷକମାନେ ଗବେଷଣା କରିଥିଲେ। ସେମାନଙ୍କ ଧମନୀ ଯାଞ୍ଚ କରାଯାଇଥିଲା। ଲାନସେଟ୍ ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣାରୁ ଜଣାପଡିଛି ଯେ ଏହା ସେମାନଙ୍କ ପାଇଁ ଏକ ଶିକ୍ଷା ଯେଉଁମାନେ ଅଧିକାଂଶ ସମୟ ବସି ରହି ଖାଦ୍ୟ ଖାଆନ୍ତି।
ଆମେରିକାର ଲଙ୍ଗ ବିଚ୍ ମେମୋରିଆଲ୍ ମେଡିକାଲ୍ ସେଣ୍ଟରର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡକ୍ଟର ଗ୍ରେଗୋରୀ ଏସ୍. ଥମାସଙ୍କ ଅନୁଯାୟୀ, LDL କୋଲେଷ୍ଟ୍ରଲ୍, ରକ୍ତଚାପ ଏବଂ ରକ୍ତ ଶର୍କରା ସ୍ତରକୁ ବହୁତ କମ ରଖି, ଧୂମପାନ ନକରି ଏବଂ ଶାରୀରିକ ଭାବରେ ସକ୍ରିୟ ରହି ହୃଦରୋଗକୁ ରୋକାଯାଇପାରିବ।
ଏଠାରେ ଅନେକ ଲୋକ ଜୀବନସାରା କେବେ ହୃଦରୋଗର ଶିକାର ହୋଇନଥିବା ମଧ୍ୟ ଜଣାପଡିଛି। ଗବେଷଣାରୁ ଜଣାପଡିଛି ଯେ ସେମାନଙ୍କର ହୃଦସ୍ପନ୍ଦନ, ରକ୍ତଚାପ, କୋଲେଷ୍ଟ୍ରଲ୍ ଏବଂ ରକ୍ତ ଶର୍କରା ସ୍ତର ବୃଦ୍ଧି ପାଉନି।
ବୋଲିଭିଆନମାନଙ୍କର ଏତେ ସୁସ୍ଥ ହୃଦୟ କିପରି?
ଗାର୍ଡିଆନର ଏକ ରିପୋର୍ଟ ଅନୁଯାୟୀ, ବୋଲିଭିଆନ ଆମାଜନର ସିମାନେ ଜନଜାତି ନଦୀ କୂଳରେ ଏବଂ ଜଙ୍ଗଲରେ ବସବାସ କରନ୍ତି। ଯେଉଁଠାରେ ସେମାନେ ରୁହନ୍ତି, ସେଠାରେ ବିଦ୍ୟୁତ୍ ନାହିଁ କିମ୍ବା ଆଧୁନିକ ସୁବିଧା ନାହିଁ। ସେମାନେ ଖାଦ୍ୟ ପାଇଁ ଶିକାର ଏବଂ ଚାଷ କରିବାରେ ଜୀବନର ଅଧିକାଂଶ ସମୟ ବିତାଇଥାନ୍ତି।
ସେମାନଙ୍କ ଖାଦ୍ୟରେ ଉଚ୍ଚ କାର୍ବୋହାଇଡ୍ରେଟ୍ ଖାଦ୍ୟ ଅନ୍ତର୍ଭୁକ୍ତ। ସେମାନେ ଶାରୀରିକ ଭାବରେ ବହୁତ ସକ୍ରିୟ, ଦିନକୁ ହାରାହାରି ୬-୭ ଘଣ୍ଟା ଶାରୀରିକ କାର୍ଯ୍ୟକଳାପରେ ବିତାନ୍ତି। ଯେପରିକି ଶିକାର କରିବା, ଚାଷ କରିବା, ଜଙ୍ଗଲରେ ଦୀର୍ଘ ଦୂରତା ଯାତ୍ରା ଏବଂ ମାଛ ଧରିବା। ସେମାନଙ୍କ ଖାଦ୍ୟରେ ଫଳ, ପନିପରିବା, ବାଦାମ, ମାଛ ଏବଂ ମହୁ ସମେତ ଅପ୍ରକ୍ରିୟାକୃତ ଖାଦ୍ୟ ଅନ୍ତର୍ଭୁକ୍ତ। ଗୋଷ୍ଠୀରେ ରହିବାର ସେମାନଙ୍କର ଅଭ୍ୟାସ, କମ୍ ଚାପ ଏବଂ ପ୍ରାକୃତିକ ପରିବେଶ ସେମାନଙ୍କ ହୃଦୟକୁ ମଜବୁତ୍ କରିଛି।
ଏକ CNN ରିପୋର୍ଟରେ କୁହାଯାଇଛି ଯେ ସାଧାରଣତଃ ଏହା ଆଶା କରାଯାଏ ଯେ ଜଙ୍ଗଲରେ ରହୁଥିବା ଜନଜାତିମାନେ ପଶୁ ମାଂସ ଉପରେ ନିର୍ଭର କରନ୍ତି, କିନ୍ତୁ ଏଠାରେ ଏପରି ନୁହେଁ। ସେମାନଙ୍କ ଖାଦ୍ୟରେ କଦଳୀ, କସାଭା, ଚାଉଳ ଏବଂ ମକା ଭଳି ଜିନିଷ ଅନ୍ତର୍ଭୁକ୍ତ। ସେମାନଙ୍କର ଖାଦ୍ୟର ୭୦ ପ୍ରତିଶତ ପ୍ରାକୃତିକ ଉତ୍ସ ଦ୍ୱାରା ଆସେ। ଆଉ ଏହାର ପ୍ରମୁଖ କାରଣ ହେଉଛି ଆମାଜନ ଜଙ୍ଗଲ। ଚାଷ ମାଧ୍ୟମରେ ପ୍ରାପ୍ତ ଖାଦ୍ୟକୁ ଅଧିକ ସୁରକ୍ଷିତ ବୋଲି ବିବେଚନା କରାଯାଏ। ଯେତେବେଳେ ସେମାନେ ଶିକାର କରିପାରିବେ ନାହିଁ, ସେହି ଋତୁରେ ଶସ୍ୟ ସେମାନଙ୍କର ମୁଖ୍ୟ ଖାଦ୍ୟ ହୋଇଯାଏ। ତେଣୁ ବୋଲିଭିଆନ୍ ବିଶ୍ୱର ସବୁଠାରୁ ସୁସ୍ଥ ଲୋକଙ୍କ ମଧ୍ୟରେ ଅନ୍ୟତମ।
Comments are closed.