Latest Odisha News

BREAKING NEWS

ବିହାର ନିର୍ବାଚନ: କାହିଁକି ମିଥିଳାଞ୍ଚଳକୁ ଫୋକସ୍?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ମିଥିଳାଞ୍ଚଳ । ନୀତିଶ କୁମାରଙ୍କ ନେତୃତ୍ବାଧୀନ ଶାସକ ଏନଡିଏ ହେଉ କି ବିରୋଧୀ ମହାଗଠବନ୍ଧନ, ସବୁ ଦଳର ଫୋକସରେ ରହିଛି ବିହାରର ଏହି ଅଞ୍ଚଳ । ମିଥିଳାଞ୍ଚଳର ଝଞ୍ଜାରପୁରରୁ ବିହାର ନିର୍ବାଚନ ପାଇଁ ପ୍ରଚାର ଅଭିଯାନର ହୁଙ୍କାର ଭରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ ମିଥିଳାଞ୍ଚଳକୁ ନେଇ ବଡ଼ ଗୁଗଲି ମାରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀ । ମୁଜଫରପୁର, ପୂର୍ଣ୍ଣିଆ, ସମସ୍ତିପୁର, ଦରଭଙ୍ଗା, ମଧୁବନୀ, ସୀତାମଢୀ, ଓ ସହରସା ଜିଲ୍ଲା ମିଥିଳାଞ୍ଚଳରେ ରହିଛି । ଏସବୁ ଜିଲ୍ଲାରେ ମୋଟ୍ ୬୦ଟି ବିଧାନସଭା ସିଟ୍ ରହିଥିବା ବେଳେ ରାଜ୍ୟର ମୋଟ୍ ସିଟର ୨୫ପ୍ରତିଶତ କେବଳ ମିଥିଳାଞ୍ଚଳରେ ହିଁ ରହିଛି ।

ଦିନେ ଥିଲା ଆରଜେଡିର ଗଡ଼

ମିଥିଳାଞ୍ଚଳ ପୂର୍ବରୁ ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ଗଡ଼ ରହିଥିଲା । ବ୍ରାହ୍ମଣ ବହୁଳ ଏହି ଅଞ୍ଚଳରେ ପଛୁଆ ଜାତିର ଭୋଟର ବି ଭଲ ସଂଖ୍ୟାରେ ରହିଛନ୍ତି । ତେବେ ୨୦୦୫ରେ ବିହାର ନିର୍ବାଚନରେ ଏନଡିଏ ଓ ନୀତିଶ କୁମାରଙ୍କ ପ୍ରଭାବ ବଢିବା ସହ ମିଥିଳାଞ୍ଚଳରେ ରାଜନୈତିକ ସମୀକରଣ ବଦଳିଥିଲା । ଧିରେ ଧିରେ ଏହି ଅଞ୍ଚଳ ଜେଡିୟୁର ଗଡ଼ ପାଲଟିଲା । ୨୦୨୦ ନିର୍ବାଚନରେ ଏନଡିଏ ମିଥିଳାଞ୍ଚଳର ୬୦ ସିଟରୁ ୪୦ଟି ଜିତିଥିଲା । ଆରଜେଡି ମନୋଜ ଝା ଓ ଅହମ୍ମଦ ଅସଫାକ କରିମଙ୍କୁ ରାଜ୍ୟସଭା ପଠାଇ ନୂଆ ସମୀକରଣ ପାଇଁ ଉଦ୍ୟମ କରିଥିଲେ ବି ଏନଡିଏ ବାଜି ମାରି ନେଇଥିଲା ।

କାହିଁକି ବିଜେପି କରୁଛି ଫୋକସ୍ ?

ବ୍ରାହ୍ମଣ ବିଜେପିର କୋର୍ ଭୋଟର ରହିଥିଲେ ମଧ୍ୟ ମିଥିଳାଞ୍ଚଳରେ ବିଜେପିକୁ ସେଭଳି ସଫଳତା ମିଳିନି । ଜେଡିୟୁ ସହ ନିର୍ବାଚନ ଲଢିବା ବେଳେ ଏନଡିଏ ଏହି ଅଞ୍ଚଳରେ ଭଲ ପ୍ରଦର୍ଶନ କରିଛି । ତେବେ ଜେଡିୟୁ ବିନା ବିଜେପି ଏକାକୀ ଦମ୍ ଦେଖାଇ ପାରିନି । ୨୦୧୫ରେ ନୀତିଶଙ୍କ ବିନା ବିଜେପି ଦରଭଙ୍ଗା ମଣ୍ଡଳର ୩୦ଟି ସିଟରୁ ମାତ୍ର ୩ଟି ଜିତିପାରିଥିଲା । ଏହାପରେ ବିଜେପି ଏହି ଅଞ୍ଚଳକୁ ଫୋକସ୍ କରିଆସିଛି। ଯାତାୟତ, ସ୍ବାସ୍ଥ୍ୟ, ବନ୍ୟା ମୁକାବିଲା କ୍ଷେତ୍ରରେ ଅନେକ କାମ କରିଛନ୍ତି କେନ୍ଦ୍ର ସରକାର । ମିଥିଳାଞ୍ଚଳରେ ସଡ଼କ ରେଳ ସାଙ୍ଗକୁ ଦରଭଙ୍ଗାରେ ବିମାନବନ୍ଦର ସହ ଏମସ ଉପହାର ଦେଇଛନ୍ତି । ସେହିପରି ମୈଥେଳିରେ ସମ୍ବିଧାନ, ମଖାନାକୁ ଜିଆଇ ଟ୍ୟାଗ, ମଖାନା ବୋର୍ଡ ଗଠନ ପରି ପଦକ୍ଷେପ ନେଇଛି କେନ୍ଦ୍ର । କିଛି ଦିନ ତଳେ ନୀତିଶଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ବିଜେପି କୋଟାରୁ ୭ଜଣ ମନ୍ତ୍ରୀ ଶପଥ ନେଇଥିଲେ । ନୂଆ ମନ୍ତ୍ରୀଙ୍କ ମଧ୍ୟରୁ ୩ଜଣ ମିଥିଳାଞ୍ଚଳରୁ ରହିଥିଲେ । ନୀତିଶ ସରକାରରେ ମୋଟ୍ ୯ଜଣ ମନ୍ତ୍ରୀ ଏହି ଅଞ୍ଚଳରୁ ରହିଛନ୍ତି ।

ରାବଡି ଚଳାଇଲେ ବଡ଼ ଗୋଟି

ଏନଡିଏ ମିଥିଳାଞ୍ଚଳର ୬୦ ସିଟ୍ ଉପରେ ନଜର ରଖି ରଣନୀତି ଚଳାଇଥିବା ବେଳେ ବିରୋଧୀ ଆରଜେଡି ବି ପଛରେ ପଡିନି । ଜେଡିୟୁର ଖେଳ ବିଗାଡିବାକୁ ବଡ଼ ଗୋଟି ଚଳାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ । କାରଣ ଆରଜେଡି ବି ଜାଣିଛି, ମିଥିଳାଞ୍ଚଳ ବିନା ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ସହଜ ନୁହେଁ । ସେଥିପାଇଁ ବିହାର ବିଧାନ ପରିଷଦରେ ସ୍ବତନ୍ତ୍ର ମିଥିଳାଞ୍ଚଳ ରାଜ୍ୟ ପାଇଁ ଦାବି ଉଠାଇଛନ୍ତି ରାବଡ଼ି । ଦୀର୍ଘ ଦିନ ହେଲା ଏହି ଅଞ୍ଚଳରେ ସ୍ବତନ୍ତ୍ର ରାଜ୍ୟ ପାଇଁ ଦାବି ହୋଇଆସୁଛି । ଏବେ ଦାବିକୁ ସ୍ବର ଦେଇ ମିଥିଳାଞ୍ଚଳ ଜନତାଙ୍କ ସହ ଭାବନାତ୍ମକ ଭାବେ ଯୋଡ଼ି ହୋଇଛି ଆରଜେଡି । ତେବେ ନିର୍ବାଚନରେ କାହାକୁ ବାଛିବେ ମିଥିଳାଞ୍ଚଳବାସୀ, ତାଉପରେ ନଜର ରହିବ ।

Comments are closed.