Latest Odisha News

BREAKING NEWS

BRICS gala dinner:ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭବ୍ୟ ରାତ୍ରିଭୋଜନରେ ଜିନପିଙ୍ଗ କାହିଁକି ଯୋଗ ଦେଲେନାହିଁ? ଏହାର କାରଣ…

ନୂଆଦିଲ୍ଲୀ:ଭାରତର ଆୟୋଜନରେ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ୍’ରେ ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ବ୍ରିକ୍ସ (BRICS) ସମ୍ମିଳନୀ ଅନୁଷ୍ଠିତ ହେଉଛି। ସମ୍ମିଳନୀର ପ୍ରଥମ ଦିନ ଅର୍ଥାତ୍ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ନେତା ଏବଂ ଅନ୍ୟ ଅତିଥିମାନଙ୍କ ପାଇଁ ଏକ ଭବ୍ୟ ରାତ୍ରିଭୋଜନର ଆୟୋଜନ କରିଥିଲେ। କିନ୍ତୁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ରାତ୍ରିଭୋଜନରେ ଯୋଗ ଦେଇନଥିଲେ।

ଅନ୍ୟପଟ ଦିନର ପ୍ରାରମ୍ଭରେ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପରେ ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲେଦ୍ ବିନ୍ ମହମ୍ମଦ ୟୁଏଇ (UAE) ଫେରିଯାଇଥିଲେ; ସେ ମଧ୍ୟ ଏହି ସ୍ୱତନ୍ତ୍ର ରାତ୍ରିଭୋଜନରେ ଉପସ୍ଥିତ ନଥିଲେ।

ଚୀନ୍ ରାଷ୍ଟ୍ରପତି ରାତ୍ରିଭୋଜନରେ ଯୋଗ ନ ଦେବାର ସଠିକ୍ ଓ ଆନୁଷ୍ଠାନିକ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ସୂତ୍ର ଅନୁଯାୟୀ, ସମ୍ମିଳନୀର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ପରେ ସି ଜିନପିଙ୍ଗ୍ ସିଧାସଳଖ ବିଶ୍ରାମ ନେବା ପାଇଁ ନିଜ ହୋଟେଲକୁ ଚାଲିଯାଇଥିଲେ।

ଉଲ୍ଲେଖନୀୟ ଯେ, ସି ଜିନପିଙ୍ଗ ଶନିବାର ଅପରାହ୍ନରେ ହିଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ସେହି ଦିନ ସେ ବ୍ରିକ୍ସ (BRICS) ସମ୍ମିଳନୀର ଅଧିବେଶନଗୁଡ଼ିକରେ ଅଂଶଗ୍ରହଣ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିଥିଲେ।

ଯଦିଓ ସି ଜିନପିଙ୍ଗ ରାତ୍ରୀଭୋଜନରେ ଉପସ୍ଥିତ ନଥିଲେ, କିନ୍ତୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଅନ୍ୟାନ୍ୟ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ଶୀର୍ଷ ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆୟୋଜିତ ଏହି ଭବ୍ୟ ଭୋଜିରେ ଯୋଗ ଦେଇଥିଲେ।

କେନ୍ଦ୍ର ସରକାରଙ୍କ ଅନେକ ବରିଷ୍ଠ ମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ରାତ୍ରୀଭୋଜନରେ ଅଂଶଗ୍ରହଣ କରିଥିଲେ । ସୂଚନାଥାଉକି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ନିର୍ମଳା ସୀତାରମଣ, ପୀୟୂଷ ଗୋୟଲ, ଅଶ୍ୱିନୀ ବୈଷ୍ଣବ ଏବଂ ଶିବରାଜ ସିଂହ ଚୌହାନ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ମଧ୍ୟ ଉପସ୍ଥିତ ଥିଲେ।

ବିଶେଷ ରାତ୍ରିଭୋଜନରେ ଅତିଥିମାନଙ୍କୁ ବିଭିନ୍ନ ପ୍ରକାରର ସ୍ୱତନ୍ତ୍ର ଭାରତୀୟ ବ୍ୟଞ୍ଜନ ପରଷା ଯାଇଥିଲା। ଖାଦ୍ୟ ତାଲିକାରେ ଖାଣ୍ଡଭି ମିଲ୍-ଫୁଇଲ୍ (Khandvi Mille-feuille), ଖୁମ୍ଭ ଗାଲୌଟି, ପନିର ଲବାବଦାର, ଗୁଚ୍ଛି ମାର୍ମିକ, ଗାଜର-ବିନ୍ସ ପୋରିୟାଲ୍, ବିଟ୍‌ରୁଟ୍ ରାୟତା ଏବଂ ମିଲେଟ୍ ପୁଲାଓ ସାମିଲ ଥିଲା। ମିଠା ଭାବରେ, ଜିଲେବି ସହିତ ‘ଓଲ୍ଡ ଦିଲ୍ଲୀ ଫ୍ରୁଟ୍ କ୍ରିମ୍’ ଏବଂ ମଲବେରୀ ଫିର୍ନି ପରଷା ଯାଇଥିଲା।

ରାତ୍ରିଭୋଜନ ସମୟରେ, ପ୍ରାୟ ୧୬୦ ଜଣ କଳାକାର ‘ବ୍ରିକ୍ସ ସିମ୍ଫୋନି: ଗୋଟିଏ ତାଳ, ଅନେକ ସଂସ୍କୃତି’ (BRICS Symphony: One Rhythm, Many Cultures) କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଭାରତୀୟ କଳାକାରମାନେ ଭରତନାଟ୍ୟମ୍, କୁଚିପୁଡ଼ି, ଓଡ଼ିଶୀ ଏବଂ କଥକ ଭଳି ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ବ୍ରିକ୍ସ (BRICS) ସଦସ୍ୟ ରାଷ୍ଟ୍ରଗୁଡ଼ିକର ସଙ୍ଗୀତଜ୍ଞମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମଟି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସାଂସ୍କୃତିକ ଶାଖା ‘ଇଣ୍ଡିଆନ୍ କାଉନସିଲ୍ ଫର୍ କଲ୍ଚରାଲ୍ ରିଲେସନ୍ସ’ (ICCR) ଦ୍ୱାରା ଆୟୋଜିତ ହୋଇଥିଲା। ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ BRICS ରାଷ୍ଟ୍ରଗୁଡ଼ିକର ବିବିଧ ସଂସ୍କୃତି ଓ ସଭ୍ୟତାକୁ ଏକତ୍ର ପ୍ରଦର୍ଶନ କରିବା ଏହାର ଲକ୍ଷ୍ୟ ଥିଲା।

ବର୍ତ୍ତମାନ BRICS ରେ ୧୧ଟି ସଦସ୍ୟ ଦେଶ ରହିଛନ୍ତି। ଇଜିପ୍ଟ, ଇଥିଓପିଆ, ଇରାନ, ୟୁଏଇ (UAE) ଏବଂ ସାଉଦି ଆରବ ୨୦୨୪ ମସିହାରେ ଏଥିରେ ଯୋଗ ଦେଇଥିବାବେଳେ, ଇଣ୍ଡୋନେସିଆ ୨୦୨୫ ମସିହାରେ ସଦସ୍ୟ ହୋଇଥିଲା। ଏଥିସହିତ, ବେଲାରୁଷ, ବୋଲିଭିଆ, କାଜାଖସ୍ତାନ, କ୍ୟୁବା, ମାଲେସିଆ, ନାଇଜେରିଆ, ଥାଇଲ୍ୟାଣ୍ଡ, ୟୁଗାଣ୍ଡା, ଉଜବେକିସ୍ତାନ ଏବଂ ଭିଏତନାମ ହେଉଛନ୍ତି BRICS ର ପାର୍ଟନର ଦେଶ।

Leave A Reply

Your email address will not be published.