Latest Odisha News

BREAKING NEWS

କାହିଁକି ଏତେ ବଦଳିଗଲା କଂଗ୍ରେସ? ପରିବର୍ତ୍ତନ ନା ଅସ୍ତିତ୍ବର ଲଢେଇ !

ନୂଆଦିଲ୍ଲୀ: ଦିନେ ଥିଲେ ସାଥୀ ଏବେ ଶତ୍ରୁ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଉପରେ ଲଗାତର ହମଲା କରୁଛି କଂଗ୍ରେସ। ବିଶେଷ କରି ରାହୁଲ ଗାନ୍ଧୀଙ୍କ ସିଲମପୁର ରାଲି ପରେ ଏହି ଆକ୍ରମଣର ପରିମାଣ ବଢିଯାଇଛି। କୁହାଯାଉଛି, ଏହା କଂଗ୍ରେସର ଯୋଜନାବଦ୍ଧ ରଣନୀତି। କାରଣ ଭବିଷ୍ୟତରେ ବିଜେପି ସହ ସିଧା ଲଢେଇ କରିବାକୁ ଚାହୁଁଥିବା କଂଗ୍ରେସ ନିଜକୁ ସଶକ୍ତ କରିବାକୁ ଚାହୁଁଛି। ଆଉ ସେଥିପାଇଁ ଦିଲ୍ଲୀରେ କଂଗ୍ରେସଠାରୁ କ୍ଷମତା ଛଡାଇ ନେଇଥିବା ଆପକୁ ମାତ୍ ଦେବାକୁ ଜୋରଦାର ଉଦ୍ୟମ କରୁଛି କଂଗ୍ରେସ।

ଦିଲ୍ଲୀରେ ଏମିତି ଖସିଲା କଂଗ୍ରେସ
2013ପୂର୍ବରୁ ଦିଲ୍ଲୀରେ କ୍ଷମତାରେ ରହିଥିବା କଂଗ୍ରେସର ଭୋଟ୍ 40ପ୍ରତିଶତରୁ ଅଧିକ ରହୁଥିଲା। ତେବେ 2013ରେ ସଂଖ୍ୟା ଖସି 24.5ପ୍ରତିଶତରେ ପହଞ୍ଚିଲା। ତାପରଠୁ ତଳମୁହାଁ ହୋଇଛି କଂଗ୍ରେସ ଭୋଟ୍। 2015ରେ 9.6ପ୍ରତିଶତ ତ 2020ରେ କଂଗ୍ରେସ ଭୋଟ୍ 4.2 ପ୍ରତିଶତକୁ ଖସିଛି। କଂଗ୍ରେସ ଖସିବା ସହ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ଅଭ୍ୟୁଦୟ ହେଲା। ଗତ ଦୁଇଟି ନିର୍ବାଚନରେ କଂଗ୍ରେସ ମାଟି କାମୁଡିଲା ତ 50ପ୍ରତିଶତରୁ ଅଧିକ ଭୋଟ୍ ପାଇଲା ଆପ୍। 2015ରେ 54.3 ତ 2020ରେ 53.5ପ୍ରତିଶତ ଭୋଟ୍ ପାଇଥିଲା ଦଳ। ଭୋଟ୍ ପ୍ରତିଶତ ଖସିବା ସହ ଦିଲ୍ଲୀରେ କର୍ମୀ ଅଭାବ, ଦୁର୍ବଳ ସଂଗଠନ, ଗୋଷ୍ଠୀକନ୍ଦଳ ଭଳି ସମସ୍ୟା ସହ ବର୍ଷ ବର୍ଷ ଧରି ଯୁଝି ହେଉଛି କଂଗ୍ରେସ।

ସଂଖ୍ୟାଲଘୁ ଭୋଟ୍ ଉପରେ ନଜର
ନିଜ ପାରମ୍ପରିକ ମତଦାତାଙ୍କୁ ପୁଣି ଫେରାଇ ଆଣିବା ଉପରେ ଫୋକସ୍ କରୁଛି କଂଗ୍ରେସ। ବିଶେଷ କରି 2020 ଦିଲ୍ଲୀ ଦଙ୍ଗାରେ କେଜ୍ରିଓ୍ବାଲଙ୍କ ପ୍ରତି ବିମୁଖ ସଂଖ୍ୟାଲଘୁ ଭୋଟରଙ୍କ ଉପରେ ଦଳ ନଜର ରଖିଛି। ରାହୁଲ ଗାନ୍ଧୀ ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି। କଂଗ୍ରେସର ସଂଖ୍ୟାଲଘୁ ପ୍ରାର୍ଥୀ ମଧ୍ୟ ଏହି ପ୍ରସଙ୍ଗକୁ ଜୋରଦାର ଉଠାଉଛନ୍ତି। ସେହିପରି ସମ୍ବିଧାନକୁ ନେଇ ରାହୁଲ ଗାନ୍ଧୀ ବାରମ୍ବାର ଅଭିଭାଷଣରେ ଗୁରୁତ୍ବ ଦେଉଥିବା ବେଳେ ଏହା ସଂଖ୍ୟାଲଘୁ ଭୋଟରଙ୍କୁ ପ୍ରଭାବିତ କରିପାରେ ବୋଲି କଂଗ୍ରେସ ଭାବୁଛି। ଦିଲ୍ଲୀରେ ଧର୍ମନିରପେକ୍ଷତା ଅଭିମୁଖ୍ୟ ଦଳ ପାଇଁ ଲାଭପ୍ରଦ ହୋଇପାରେ। 2020 ନିର୍ବାଚନରେ କଂଗ୍ରେସକୁ 13ପ୍ରତିଶତ ମୁସଲିମ ଭୋଟ୍ ମିଳିଥିବା ବେଳେ ଆପକୁ 83ପ୍ରତିଶତ ମିଳିଥିଲା। ତେଣୁ ଅଧିକ ସଂଖ୍ୟାଲଘୁ ଥିବା ନିର୍ବାଚନ ମଣ୍ଡଳୀକୁ କଂଗ୍ରେସ ଫୋକସ୍ କରୁଛି।

କେଜ୍ରିଓ୍ବାଲଙ୍କୁ ସିଧା ଆଟାକ୍
ପୂର୍ବରୁ ହରିୟାଣା ବିଧାନସଭା ନିର୍ବାଚନରେ ଆପ୍ ଓ କଂଗ୍ରେସ ଅଲଗା ଅଲଗା ନିର୍ବାଚନ ଲଢିଥିଲେ। ତେବେ ଆପ୍ ମୁଖ୍ୟ କେଜ୍ରିଓ୍ବାଲଙ୍କୁ ସିଧା ଆଟାକ୍ କରିନଥିଲେ ରାହୁଲ ଗାନ୍ଧୀ। ହେଲେ ଦିଲ୍ଲୀରେ ମୋଦିଙ୍କ ସହ କେଜ୍ରିଓ୍ବାଲଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ରାହୁଲ। ଆବର୍ଜନା ଦେଖାଇ ଦିଲ୍ଲୀକୁ ପ୍ୟାରିସରେ ବଦଳାଇବା ନେଇ ଦାବିକୁ କଟାକ୍ଷ କରିବା ହେଉ କି ସିଲମପୁର ସଭାରେ ସମାଲୋଚନା, ଦିଲ୍ଲୀରେ ଆପକୁ ସିଧା ହମଲା କରିଛନ୍ତି ରାହୁଲ।

ଦିଲ୍ଲୀରେ କେବଳ ବିଜେପି ନୁହେଁ ଆପକୁ ବି ସିଧା ଟକ୍କର ଦେଉଥିବା ନେଇ ସନ୍ଦେଶ ଦେଇଛି କଂଗ୍ରେସ। ଆଉ ସେଥିପାଇଁ ମୋଦି ଓ କେଜ୍ରିଓ୍ବାଲଙ୍କ ତୁଳନା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଭାବେ କରିଛନ୍ତି କେଜ୍ରିଓ୍ବାଲ। ଦିଲ୍ଲୀର 70ଟି ସିଟରେ ନିର୍ବାଚନ ଲଢୁଥିଲେ ବି ଅଧିକ ସୁଯୋଗ ରହିଥିବା 20ରୁ 25ଟି ସିଟକୁ ଫୋକସ କରିଛି କଂଗ୍ରେସ। ଆଉ ନିଜକୁ ପୁଣିରେ ଦିଲ୍ଲୀରେ ସଶକ୍ତ କରିବାକୁ ପୂର୍ବ ସହଯୋଗୀ ଆପ ସହ ଆରପାରର ଲଢେଇ ଲଢୁଛି।
ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

Comments are closed.