Latest Odisha News

କ’ଣ ଲୁଚାଇବାକୁ ପ୍ରଣବ ପ୍ରକାଶ ଦାସଙ୍କ କ୍ବାର୍ଟର୍ସ ଭଙ୍ଗା ?

ଭୁବନେଶ୍ବର: ଭଙ୍ଗା ଚାଲିଛି ଭୁବନେଶ୍ବରରେ ଥିବା ବିଜେଡି ସାଂଗଠନିକ ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ। କୁହାଯାଉଛି, ଘରେ ରହିଥିଲା ବିଳାସମୟ କୋଠା। ଏପରିକି ପ୍ରଣବ ପ୍ରକାଶ ଦାସ ଏଠାରେ ଅଣ୍ଡରଗ୍ରାଉଣ୍ଡ ଘର ବି କୁଆଡେ ତୋଳିଥିଲେ । ତେବେ ବିଜେଡି କ୍ଷମତାରୁ ବିଦା ହେବା ପରଠୁ ଗତ ୧୫ଦିନ ହେଲା ଘର ଭଙ୍ଗା ଯାଉଥିବା ଜଣାପଡିଛି। ତେବେ ପ୍ରଶ୍ନ ଉଠୁଛି, ସରକାରୀ କ୍ବାର୍ଟର୍ସ ଭାଙ୍ଗିବା ଆଇନ ସମ୍ମତ କି ? ବାସଭବନ ଭିତରେ କରାଯାଇଥିବା ନିର୍ମାଣ ଅବୈଧ ଥିଲା କି ? ଯଦି ଆବଶ୍ୟକତା ଅନୁସାରେ ଘର ନିର୍ମାଣ କରାଯାଇଥିଲା, ତେବେ କାହିଁକି ଘର ଭଙ୍ଗା ଚାଲିଛି ? ନା କିଛି ଲୁଚାଇବାକୁ ଘର ଭାଙ୍ଗୁଛନ୍ତି ବବି ?

ସରକାରୀ ବାସଭବନରେ ଆଲିସାନ୍ ବଙ୍ଗଲା !

କୁହାଯାଉଛି, ବବିଙ୍କ ସରକାରୀ ବାସଭବନ ଭିତରେ ଥିଲା ଆଲିସାନ୍ ବଙ୍ଗଲା । ତିନି ମହଲା କୋଠା, ଅଣ୍ଡର ଗ୍ରାଉଣ୍ଡ ଘର, ସୁଇମିଂ ପୁଲ୍ ସାଙ୍ଗକୁ ରୁଫ୍ ଟଫ୍ କଟେଜ ବି ନିର୍ମାଣ କରାଯାଇଥିବା ଚର୍ଚ୍ଚା ହେଉଛି । ମୂଲ୍ୟବାନ କାଠ ଓ କାଚରେ କୋଠାର ଭିତର ପାଖକୁ ସଜ୍ଜିତ କରାଯାଇଥିଲା । ଏପରିକି ଘରେ ଲାଗିଥିବା ବିଭିନ୍ନ ଘରସଜ୍ଜା ସାମଗ୍ରୀ ବିଦେଶରୁ ବି ଅଣାଯାଇଥିବା କୁହାଯାଉଛି। ସେହିପରି ସରକାରୀ ବାସଭବନ ଭିତରେ ଗାର୍ଡେନ୍ ପାଇଁ ବି ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଥିବା ଚର୍ଚ୍ଚା ହେଉଛି । ଏପରିକି ଗାର୍ଡେନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ହ୍ବାଇଟ୍ ଲିଲି ବି ଲଗାଯାଇଥିବା କୁହାଯାଉଛି । ୨୫ରୁ ଅଧିକ ଗାଡିର ପାର୍କିଂ ପାଇଁ ବି ବ୍ୟବସ୍ଥା କରାଯାଇଥିଲା।

ନିୟମ ଅନୁସାରେ ହୋଇପାରିବ କି ନିର୍ମାଣ ?

୨୦୧୯ ଜୁନ୍ ୧୬ତାରିଖରେ ସାଧାରଣ ପ୍ରଶାସନ ବିଭାଗ ଭିଆଇଆଇଆଇ-ଏମଆର- ଏ କ୍ବାର୍ଟରକୁ ପ୍ରଣବଙ୍କୁ ଆବଣ୍ଟନ କରିଥିଲା। ତେବେ ସରକାରଙ୍କ ବିନା ଅନୁମତିରେ କୌଣସି ଭଙ୍ଗାଗଢା କାମ ନକରିବାକୁ ଚିଠିରେ ଉଲ୍ଲେଖ ରହିଥିଲା । କ୍ବାର୍ଟର୍ସ ମରାମତି ପାଇଁ ୨୦୧୯-୨୦ ଓ ୨୦୨୦-୨୧ରେ ୯ଲକ୍ଷରୁ ଅଧିକ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହୋଇଥିଲା । ତେବେ ପ୍ରଣବଙ୍କ ଆଲିସାନ୍ ବଙ୍ଗଲା ଦେଖିଲେ ଏହା ସରକାରୀ ବାସଭବନର ମରାମତି ହେଲା ଭଳି ଦେଖାଯାଉନି । ଏଥିସହ କ୍ବାର୍ଟର୍ସର ଦୁଇ ପାଖରେ ରହିଥିବା ଦୁଇ ସରକାରୀ କ୍ବାର୍ଟର୍ସର କିଛି ଜାଗା ନିଜ ବାସଭବନ ସହ ମିଶାଇ ପ୍ରଣବ ବିରାଟ ପାଚେରୀ ନିର୍ମାଣ କରିଥିବା ବି କୁହାଯାଉଛି। ବିଶେଷଜ୍ଞଙ୍କ ମତରେ ଜଣେ ବିଧାୟକ ଯେଉଁ ସ୍ଥିତିରେ ନେଇଥିଲେ ସେଇ ସ୍ଥିତିରେ ଫେରାଇବେ ବାସଭବନ । ମରାମତି ପାଇଁ ଅନୁମତି ନେଇଥିଲେ ବି ଏହାକୁ ଭାଙ୍ଗି ପାରିବେ ନାହିଁ, କାରଣ ଏଥିରେ ସରକାରୀ ଅର୍ଥ ବିନିଯୋଗ ହୋଇଥାଏ । ତେବେ ଏତେ ପରିମାଣର ନିର୍ମାଣ ଭାଙ୍ଗିବାକୁ ନେଇ ପ୍ରଶ୍ନ ଉଠୁଛି, ବାସଭବନରେ ଅନୈତିକ ନିର୍ମାଣ କରିଥିଲେ କି ବବି ? ସରକାରୀ ସମ୍ପତ୍ତି ନଷ୍ଟ ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ।

କଣ କହିଲେ ବବି ?

ସରକାରୀ ବାସଭବନ ଭିତରେ ଭଙ୍ଗାରୁଜା ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଣବ ପ୍ରକାଶ ଦାସ । ଜିଏ ବିଭାଗ ନୋଟିସ୍ କରିଛି । କ୍ବାର୍ଟର୍ସ ଛାଡିବାକୁ ତାଙ୍କ ହାତରେ ୧୫ତାରିଖ ଯାଏଁ ସମୟ ରହିଛି । ସରକାରୀ କ୍ବାର୍ଟର୍ସ ଯେମିତି ନିଆଯାଏ, ସେମିତି ଫେରାଯାଏ। ବିଜେଡି ସାଂଗଠନିକ ସଂପାଦକ ହୋଇଥିବାରୁ ଦଳୀୟ ନେତା ଭେଟିବାକୁ ଆସନ୍ତି । ସେମାନଙ୍କ ବସାଉଠା ପାଇଁ କିଛି ଅସ୍ଥାୟୀ ନିର୍ମାଣ କରିଥିଲେ । ସେଗୁଡିକୁ ଭାଙ୍ଗୁଥିବା ପ୍ରଣବ କହିଛନ୍ତି ।

ବବିଙ୍କ ଉପରେ ହେବ କି ଆକ୍ସନ୍ !

ପ୍ରଶ୍ନ ଉଠୁଛି, ବବି ସରକାରୀ ବାସଭବନରେ ଏଭଳି ବିଳାସମୟ କୋଠା ନିର୍ମାଣ କରୁଥିବା କଥା କେମିତି ଜାଣିପାରିଲେନି ସେତେବେଳର ବିଜେଡି ସରକାର? ବିଜେଡି ସରକାରରେ ଅନ୍ୟତମ କ୍ଷମତା କେନ୍ଦ୍ର ରହିଥିଲେ ବବି। ସେଥିପାଇଁ ଜାଣିଶୁଣି ତାଙ୍କ ପାଇଁ ସବୁ ଆଇନକୁ ଆଖି ବୁଜି ଦେଇଥିଲେ କି ନବୀନ ସରକାର? ଏବେ ଗତ ୧୫ଦିନ ହେଲା ନିର୍ମାଣ ଭଙ୍ଗା ଚାଲିଥିବା ବେଳେ କାହିଁକି ଚୁପ୍ ମୋହନ ସରକାର? ସଚିବାଳୟ ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟଠାରୁ ମାତ୍ର ୫ଶହ ମିଟର ଭିତରେ ଥିବା ବବିଙ୍କ ସରକାରୀ କ୍ବାର୍ଟର୍ସ ଭଙ୍ଗା ନେଇ ଜାଣି ପାରିଲେନି କେମିତି? ଭଙ୍ଗା ସରିବା ପରେ କେମିତି ଜଣାପଡିବ ସେଠାରେ କଣ ନିର୍ମାଣ ହୋଇଥିଲା ? ନିର୍ମାଣ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ? କେଉଁଠୁ ଆସିଥିଲା ଏତେ ଟଙ୍କା ? ବାସଭବନ ଭିତରେ ବିଳାସମୟ କୋଠାକୁ ନେଇ ହେଉଥିବା ଚର୍ଚ୍ଚା ଯଦି ସତ, ତେବେ ଏଥିରେ ବ୍ୟାପକ କଳାଟଙ୍କା ଲାଗିଥାଇପାରେ । ତେଣୁ ମୋହନ ସରକାର ବବିଙ୍କୁ ତଦନ୍ତ ପରିସରଭୁକ୍ତ କରିବେ କି ? ନା ବିଜେଡି ସରକାର ଭଳି ବିଜେପି ସରକାର ବି ଆଖି ବୁଜିଦେବେ ? ବିଜେପି ସରକାର ସହ ତଦନ୍ତ ଏଡାଇବାକୁ ହେବ କି ଡିଲ୍ ?

Leave A Reply

Your email address will not be published.