Latest Odisha News

BREAKING NEWS

ମମତା ମହନ୍ତଙ୍କ ଇସ୍ତଫା ପଛର କାରଣ କ’ଣ?

ଭୁବନେଶ୍ବର: ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିକୁ ବଡ ଝଟକା। ରାଜ୍ୟସଭା ସାଂସଦ ପଦ ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ମମତା ମହନ୍ତ । ତେବେ ମମତାଙ୍କ ଇସ୍ତଫା ପଛରେ କାରଣ କଣ? ହଠାତ୍ ଇସ୍ତଫା ଦେଇ ଚମକାଇଲେ ନା ଅନେକ ପୂର୍ବରୁ କରିଥିଲେ ଯୋଜନା? ଲୋକସଭାରେ ବିଜେଡି ଶୂନ ରହିଥିବା ବେଳେ ସଂସଦରେ ରାଜ୍ୟସଭାରେ ହିଁ ଦଳର ସ୍ବର ରହିଛି । ତେବେ ବିଜେଡିର ରାଜ୍ୟସଭା ଦମ୍ଭକୁ ଭାଙ୍ଗିବାକୁ ଯୋଜନା ହେଉଛି କି? ଏଭଳି ଯୋଜନା ପଛରେ ରହିଛି କି ବିଜେପିର ହାତ? ନିର୍ବାଚନ ହାରିବା ପରେ ଭୁଶୁଡିବା ଆରମ୍ଭ କରିଛି କି ବିଜେଡି ଗଡ଼?

ଓଡିଶାରେ ଆରମ୍ଭ ହେଲା ଖେଳ !

ଜାତୀୟ ରାଜନୀତିରେ ଶକ୍ତି ପ୍ରଦର୍ଶନ ପାଇଁ ବିଜେଡିର ଏକମାତ୍ର ଅସ୍ତ୍ର ରାଜ୍ୟସଭା ସାଂସଦ । ରାଜ୍ୟ କୋଟାର ମୋଟ ୧୦ଆସନ ମଧ୍ୟରୁ ବିଜେଡି ହାତରେ ୯ଟି ରହିଥିବା ବେଳେ ବିଜେପି ପାଖରେ ଗୋଟିଏ ରହିଥିଲା । ବିଜେଡି ଆଶୀର୍ବାଦରେ ହିଁ ରାଜ୍ୟସଭାକୁ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ତେବେ କାର୍ଯ୍ୟକାଳ ଶେଷ ପୂର୍ବରୁ ମମତା ମହନ୍ତଙ୍କ ଇସ୍ତଫା ପରେ ବିଜେଡିର ସାଂସଦ ସଂଖ୍ୟା ୮କୁ ଖସିଆସିଛି । ଜାତୀୟ ରାଜନୀତି ବିଜେଡିର ସ୍ବର ଦୁର୍ବଳ କରିବାକୁ ଷଡଯନ୍ତ୍ର ହୋଇଛି କି? ମମତାଙ୍କ ଇସ୍ତଫାକୁ ଜାତୀୟ ଦଳର ଚକ୍ରାନ୍ତ ବୋଲି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ବିଜେଡିକୁ ଭାଙ୍ଗିବାକୁ ସମରସଜ୍ଜା କଲାଣି କି ବିଜେପି ? ଯଦି ପ୍ରମିଳାଙ୍କ ଅଭିଯୋଗ ସତ, ତେବେ ମମତାଙ୍କ ଇସ୍ତଫା ବିଜେଡି ଗଡ ଭୁଶୁଡିବାର ଆରମ୍ଭ ମାତ୍ର।

ମମତାଙ୍କ ଇସ୍ତଫାରେ କାହାର ଲାଭ?

ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ଚାହିଁଲେ ବି ମମତାଙ୍କ ଜାଗାରେ ନିଜ ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇ ପାରିବ ନାହିଁ । ବିଜେପି ଓ ଦଳକୁ ସମର୍ଥନ କରୁଥିବା ବିଧାୟକଙ୍କ ସଂଖ୍ୟା ୮୧ ରହିଥିବା ବେଳେ ବିଜେଡିର ୫୧ ଓ କଂଗ୍ରେସର ୧୪ଜଣ ସଦସ୍ୟ ରହିଛନ୍ତି । ତେଣୁ ରାଜ୍ୟସଭା ପାଇଁ ବିଜେପି ଯାହାକୁ ବି ପ୍ରାର୍ଥୀ କରିବ ସେ ବିଜୟୀ ହେବା ଏକପ୍ରକାର ନିଶ୍ଚିତ । ତେଣୁ ମମତାଙ୍କ ଇସ୍ତଫା ପରେ ଯେ ବିଜେଡି କ୍ଷତି ସହିବ, ସେଥିରେ ସନ୍ଦେହ ନାହିଁ । ତେବେ ଲାଭରେ ରହିବ ବିଜେପି । କାରଣ ମମତାଙ୍କ ଜାଗାରେ ନିଜ ପ୍ରାର୍ଥୀଙ୍କୁ ପଠାଇବାର ସୁଯୋଗ ପାଇବ ।

ମମତାଙ୍କ ଜାଗାରେ କିଏ ଯିବେ ରାଜ୍ୟସଭା?

ମମତା ମହନ୍ତଙ୍କ ଇସ୍ତଫା ପରେ ବିଜେପି କୋର୍ଟକୁ ଆସିଛି ରାଜ୍ୟସଭା ବଲ୍। ବିଜେପିର ପ୍ରଥମ ପସନ୍ଦ ପ୍ରାର୍ଥୀ ହିଁ ବିଜୟୀ ହେବେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କିମ୍ବା ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କୁ ରାଜ୍ୟସଭା ପଠାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ମନମୋହନ ସାମଲ ନିଜେ ନିର୍ବାଚନ ହାରି ଯାଇଥିଲେ ବି ତାଙ୍କ ନେତୃତ୍ବରେ ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଠନ କରିଛି । ତେଣୁ ତାଙ୍କୁ ରାଜ୍ୟସଭାକୁ ପଠାଇ ପୁରସ୍କାର ଦେଇପାରେ ବିଜେପି । ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିର୍ବାଚନ ଜିତିବା ପଛରେ ସମୀର ଦାଶଙ୍କ ହାତ ରହିଥିଲା । ତେଣୁ ତାଙ୍କ ନାଁ ବି ଚର୍ଚ୍ଚା ହେଉଛି ।

ନେତୃତ୍ବକୁ ‘ମମତା’ ଚ୍ୟାଲେଞ୍ଜ

ବିଜେଡି ନେତୃତ୍ବକୁ ପ୍ରଥମ ଥର ପାଇଁ ଖୋଲା ଚ୍ୟାଲେଞ୍ଜ । ୨୦୨୦ ମାର୍ଚ୍ଚ ମାସରେ ମମତାଙ୍କୁ ରାଜ୍ୟସଭାକୁ ପଠାଇ ଚକମା ଦେଇଥିଲେ ନବୀନ, ଠିକ୍ ସେହିଭଳି ଅପ୍ରତ୍ୟାଶିତ ଭାବେ ଇସ୍ତଫା ଦେଇ ସରପ୍ରାଇଜ୍ ଦେଇଛନ୍ତି ମମତା । ତାଙ୍କର କାର୍ଯ୍ୟକାଳ ୨୦୨୬ ମସିହା ପର୍ଯ୍ୟନ୍ତ ଥିଲେ ବି ସେ ଆଗୁଆ ଇସ୍ତଫା ଦେଇଛନ୍ତି । ତେବେ ମମତାଙ୍କର ଏଭଳି ପଦକ୍ଷେପ ନବୀନଙ୍କ ନେତୃତ୍ବ ଓ ବିଜେଡିର ଭବିଷ୍ୟତ ଉପରେ ବଡ ପ୍ରଶ୍ନବାଚୀ ଲଗାଇଛି । ଯେଉଁ ନବୀନଙ୍କୁ ଦଳର ସର୍ବମାନ୍ୟ ନେତା ଭାବେ ଆଜି ପର୍ଯ୍ୟନ୍ତ ଗ୍ରହଣ କରୁଥିଲେ, ତାଙ୍କ ନେତୃତ୍ବ ବିରୋଧରେ ବିଦ୍ରୋହର ପ୍ରଥମ ସ୍ବର ଶୁଭିଛି ।

ମୟୂରଭଞ୍ଜ ରାଜନୀତିରେ ମମତାଙ୍କୁ ଅଣଦେଖା !

୨୦୧୯ରେ ମୟୂରଭଞ୍ଜରେ ଖରାପ ପ୍ରଦର୍ଶନ କରିବା ପରେ ଜିଲ୍ଲାକୁ ଫୋକସ୍ କରିଥିଲା ବିଜେଡି । ଜିଲ୍ଲାର କୁଡୁମୀ ସଂପ୍ରଦାୟର ନେତ୍ରୀ ମମତା ମହନ୍ତଙ୍କୁ ରାଜ୍ୟସଭା ପଠାଇ ରାଜନୈତିକ ଗୋଟି ଖେଳିଥିଲେ ନବୀନ । ହେଲେ ୨୦୨୪ ନିର୍ବାଚନ ବେଳେ ମମତା ମହନ୍ତ ମୟୂରଭଞ୍ଜ ପ୍ରଚାରରେ ନଥିଲେ । ନା ତାଙ୍କୁ ଦଳ ଗୁରୁତ୍ବ ଦେଲା ନା ବିଶ୍ବାସକୁ ନେଲା । ଯେଉଁ ସଂପ୍ରଦାୟର ଭୋଟ୍ ହାତେଇବାକୁ ନବୀନ ମମତାଙ୍କୁ ରାଜ୍ୟସଭା ପଠାଇଥିଲେ, ସେହି ନେତ୍ରୀଙ୍କୁ ଗ୍ରାଉଣ୍ଡକୁ ଛାଡିଲେନି । ଏହାକୁ ନେଇ ଦଳ ଓ ମମତାଙ୍କ ମଧ୍ୟରେ ଦୂରତା ବଢିଥିବା ଚର୍ଚ୍ଚା ହେଉଛି ।

ମମତାଙ୍କ ଇସ୍ତଫା ସହ ବିଜେଡିରେ ନବୀନଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ ହୋଇଥିବା କୁହାଯାଉଛି। ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ବିଜେପି ବିଜେଡିକୁ ଭାଗ କରି ଫାଇଦା ନେବାକୁ ଚେଷ୍ଟା କରୁଥାଇପାରେ । ବିରୋଧୀଙ୍କୁ ଦୁର୍ବଳ କରି କିମ୍ବା ଅଡୁଆରେ ପକାଇ ରାଜନୈତିକ ମାଇଲେଜ୍ ନେବାକୁ ଓଡିଶାରେ ଅପରେସନ୍ ଲୋଟସ ଆରମ୍ଭ ହୋଇଥିବା ବି ଚର୍ଚ୍ଚା ହେଉଛି । ତେବେ ପ୍ରଶ୍ନ ଉଠୁଛି, ବିଜେଡିକୁ ଏକାଠି ରଖିପାରିବେ କି ନବୀନ ? କ୍ଷମତାରୁ ଯିବା ପରେ ନେତୃତ୍ବ ଦୁର୍ବଳ ହେଉଛି କି ? ଏବେବି କାହିଁକି ଅଭିଜ୍ଞ ରାଜନେତାଙ୍କୁ ଦୂରରେ ରଖୁଛନ୍ତି ନବୀନ? ନା ମମତାଙ୍କ ଇସ୍ତଫା ପଛରେ ରହିଛି ବିଜେପି-ବିଜେଡି ଭିତିରିଆ ଡିଲ୍?

Comments are closed.