ନୂଆଦିଲ୍ଲୀ: ବିହାରରେ ଏକାଠି ଲଢିବେ କଂଗ୍ରେସ ଓ ଆରଜେଡି । ମହାଗଠବନ୍ଧନରେ ରହି ହିଁ ଆଗାମୀ ବିଧାନସଭା ନିର୍ବାଚନ ଲଢିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ଦିଲ୍ଲୀରେ ବିହାର ନେତାଙ୍କ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବିହାରରେ ବିଜେପିକୁ କିପରି କ୍ଷମତାରୁ ଦୂରରେ ରଖାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିବା ରାଜ୍ୟ କଂଗ୍ରେସ ମୁଖ୍ୟ ରାଜେଶ କୁମାର କହିଛନ୍ତି ।
ବିହାରରେ ଆରଜେଡି ସହ ନିର୍ବାଚନ ଲଢିବା ଦ୍ବନ୍ଦ୍ବ ନେଇ ଚର୍ଚ୍ଚା ଚାଲିଥିବା ବେଳେ ନିଷ୍ପତ୍ତିରେ ମୋହର ମାରିଛି କଂଗ୍ରେସ । ଏହାସହ ଆଗୁଆ ପ୍ରାର୍ଥୀ ଚୟନ ଓ ସିଟ୍ ବଣ୍ଟନ ନେଇ ପ୍ରସ୍ତୁତି କରିବାକୁ ରାଜ୍ୟ କଂଗ୍ରେସକୁ କହିଛନ୍ତି ପାର୍ଟି ହାଇକମାଣ୍ଡ ।
ଏକାଠି ଲଢିବା ପଛର କାରଣ
ବିହାରରେ ବି ଦିଲ୍ଲୀ ଭଳି କଂଗ୍ରେସ ଏକା ନିର୍ବାଚନ ଲଢିପାରେ ବୋଲି ଚର୍ଚ୍ଚା ହେଉଥିଲା । ନିଜେ ରାହୁଲ ଗାନ୍ଧୀ ଦୁଇ ଥର ରାଜ୍ୟ ଗସ୍ତ କରିଥିଲେ । ବିହାର ସରକାର ଦ୍ବାରା କରାଯାଇଥିବା ଜାତି ଜନଗଣନାକୁ ରାହୁଲ ଫର୍ଜି କହିବା ପରେ ଚର୍ଚ୍ଚା ଆହୁରି ବଢିଥିଲା। ଏପରିକି ଦୁଇ ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ବି ମତଭେଦ ସାମନାକୁ ଆସିଥିଲା । ଦିଲ୍ଲୀ ଭଳି ବିହାରରେ ବି ଅଖିଳେଶ ଯାଦବ ଆରଜେଡିକୁ ସମର୍ଥନ କରିବାକୁ ଘୋଷଣା କରିଥିଲେ । ଏହାପରେ କଂଗ୍ରେସ ନିର୍ବାଚନ ମଇଦାନକୁ ଏକା ଓହ୍ଲାଇପାରେ ବୋଲି କୁହାଯାଉଥିଲା । ତେବେ ଦିଲ୍ଲୀ ଓ ବିହାର ରାଜନୀତିରେ ଅନେକ ଫରକ ରହିଛି । ବିହାରରେ ଦିଲ୍ଲୀ ଭଳି ପ୍ରୟୋଗ ସମ୍ଭବ ନୁହେଁ । ତେଣୁ ଦଳର ହିତ ଦୃଷ୍ଟିରୁ ମହାଗଠବନ୍ଧନରେ ରହି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ ।
ବିହାର ପାଇଁ କଂଗ୍ରେସ ବ୍ଲୁପ୍ରିଣ୍ଟ
ବିହାରରେ କଂଗ୍ରେସର ପଳାୟନ ରୋକ ରୋଜଗାର ଦିଅ ଯାତ୍ରାର ନେତୃତ୍ବ ନେଉଛନ୍ତି କହ୍ନେୟା କୁମାର । ସେ ୯ଦିନ ମଧ୍ୟରେ ୮ଟି ଜିଲ୍ଲାରେ ଯାତ୍ରା କରିସାରିଲେଣି । କୁହାଯାଉଛି, ଏପ୍ରିଲ ପ୍ରଥମ ସପ୍ତାହରେ ରାହୁଲ ଗାନ୍ଧୀ ବିହାର ଯାଇ କହ୍ନେୟାଙ୍କ ଯାତ୍ରାରେ ସାମିଲ ହୋଇପାରନ୍ତି । ଦିଲ୍ଲୀରେ ବି ସ୍ଥାନୀୟ କଂଗ୍ରେସ ନେତା ଏଭଳି ଯାତ୍ରା କରିଥିଲେ । ହେଲେ ଏଥିରେ ରାହୁଲ, ପ୍ରିୟଙ୍କା କିମ୍ବା ମଲ୍ଲିକାର୍ଜୁନ ଖଡଗେଙ୍କ ଭଳି ବଡ଼ ନେତା ସାମିଲ ହୋଇନଥିଲେ । ମେଣ୍ଟ ସହଯୋଗୀ ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ କହ୍ନେୟା କୁମାରଙ୍କୁ ପସନ୍ଦ କରୁନଥିଲେ ମଧ୍ୟ ତାଙ୍କ ନେତୃତ୍ବରେ ଚାଲିଥିବା ଯାତ୍ରାରେ ରାହୁଲ ସାମିଲ ହେବା ଭିନ୍ନ ଇସାରା ଦେଉଛି। ସେହିପରି ପପ୍ପୁ ଯାଦବଙ୍କୁ ଆଗକୁ କରିବା ବି କଂଗ୍ରେସର ରଣନୀତି ବୋଲି କୁହାଯାଉଛି ।
ମେଣ୍ଟରେ ରହିବେ ମନ ମିଶିବ ତ?
ଆରଜେଡି ସହ ମିଶି ନିର୍ବାଚନ ଲଢିବାକୁ କହୁଛି କଂଗ୍ରେସ, ତେବେ ତେଜସ୍ବୀ ମୁଖ୍ୟମନ୍ତ୍ରୀ ଚେହେରା ହେବା ନେଇ ଏବେବି କେଁ ରହିଥିବା କୁହାଯାଉଛି । ଆରଜେଡି ତେଜସ୍ବୀଙ୍କୁ ମହାଗଠବନ୍ଧନର ସିଏମ୍ ଫେସ୍ ବୋଲି ସ୍ପଷ୍ଟ କରିଛି । ତେବେ ବିହାର କଂଗ୍ରେସ ପ୍ରଭାରୀ କ୍ରିଷ୍ଣା ଆଲ୍ଲାବରୁ ଏନେଇ ଇଣ୍ଡିଆ ମେଣ୍ଟର ବୈଠକ ପରେ ନିଷ୍ପତ୍ତି ନିଆଯିବ କହି ଟାଳି ଦେଇଛନ୍ତି । ଖାଲି ସେତିକି ନୁହେଁ ପପ୍ପୁ ଯାଦବଙ୍କୁ ନେଇ ପ୍ରଶ୍ନର ବି ସିଧା ଉତ୍ତର ଦେଇନାହାନ୍ତି କ୍ରିଷ୍ଣା ଆଲ୍ଲାବରୁ । ଏଥିରୁ କେଉଁଠି ନା କେଉଁଠି କଂଗ୍ରେସ ଓ ଆରଜେଡି ମଧ୍ୟରେ ମତଭେଦ ରହିଥିବା ସ୍ପଷ୍ଟ ହୋଇଛି ।
ଗତ ବିଧାନସଭା ନିର୍ବାଚନରେ ୭୦ଟି ସିଟରେ ଲଢି ୧୯ଟିରେ ବିଜୟୀ ହୋଇଥିଲା କଂଗ୍ରେସ । ଏହାପରେ କଂଗ୍ରେସକୁ କମ୍ ସିଟେ ଦେଇଥିଲେ ମହାଗଠବନ୍ଧନ ବିହାରରେ ସରକାର ଗଠନ କରିଥାନ୍ତା ବୋଲି ଆରଜେଡି କହିଥିଲା । ଏଥର ବି ୭୦ ସିଟ୍ ନେବାକୁ ଦାବି କରିବ କଂଗ୍ରେସ । ଆରଜେଡି ଏତେ ସିଟ୍ ଦେବାକୁ ରାଜି ହୋଇନପାରେ । ତେବେ କଂଗ୍ରେସ ଓ ଆରଜେଡି ମଧ୍ୟରେ ଶୀତଳ ଯୁଦ୍ଧ ଚର୍ଚ୍ଚା ମଧ୍ୟରେ ମେଣ୍ଟ ସସପେନ୍ସରେ ପୂର୍ଣ୍ଣଚ୍ଛେଦ ଲାଗିଛି । ବିରୋଧୀ ଏକାଠି ଲଢିବା ଜେଡିୟୁ ଓ ବିଜେପି ମେଣ୍ଟ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ ।
ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ
Comments are closed.