Latest Odisha News

କେବେଠୁ ଆରମ୍ଭ ହେଲା ଦୀପାବଳି: ସବୁ ଯୁଗ କୁହେ ଭିନ୍ନ ପୌରାଣିକ କାହାଣୀ….

ଭୁବନେଶ୍ୱର: କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଦୀପାବଳି ପାଳନ କରାଯାଏ। ଦୀପାବଳି କେବେଠୁ ପାଳନ କରାଯାଉଛି ଏହାକୁ ନେଇ ବିଭିନ୍ନ ପୌରାଣିକ କଥା ବସ୍ତୁରେ ବିଭିନ୍ନ କଥା ରହିଛି। ତେବେ ଖାଲି ଯେ ପ୍ରଭୁ ଶ୍ରୀରାମ ଏହି ଦିନ ୧୪ ବର୍ଷ ବନବାସ ପରେ ଅଯୋଧ୍ୟା ଫେରିଥିଲେ ତାହା ନୁହେଁ, ବିଭିନ୍ନ ଯୁଗରେ ଦୀପାବଳିକୁ ନେଇ ଭିନ୍ନ ଭିନ୍ନ କଥାବସ୍ତୁ ମିଳିଥାଏ। ତେବେ ଆସନ୍ତୁ ଜାଣିବା କେବେଠୁ ଆଉ କେମିତି ଆରମ୍ଭ ହେଲା ଆଲୋକର ପର୍ବ ଦୀପାବଳି….

ତେବେ ସନାତନି ଧର୍ମର ଚାରି ଯୁଗରେ ଦୀପାବଳି ପାଳନ କରିବାର ଭିନ୍ନ ଭିନ୍ନ କାରଣ ରହିଛି।

ସତ୍ୟ ଯୁଗ:

ପୌରାଣିକ ମାନ୍ୟତା ଅନୁଯାୟୀ, ସତ୍ୟ ଯୁଗରେ ଯେବେ ଦେବତାମାନେ ଦାନବଙ୍କ ସହ ମିଶି ସମୁଦ୍ର ମନ୍ଥନ କରିଥିଲେ, ସେ ମଧ୍ୟରୁ ହଳାହଳ ବିଷ, ଅମୃତ ଘଟ ସହିତ ଧନ୍ଵନ୍ତରି ଦେବ ପ୍ରକଟ ହୋଇଥିଲେ। ଆଉ ସେହିଦିନ କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ପଡ଼ିଥାଏ। ଆଉ ସେବେଠୁ ତ୍ରୟୋଦଶୀ ତିଥିରେ ଧନତେରାସ ପାଳନ କରିବାର ପରମ୍ପରା ରହିଛି। ଆଉ ସମୁଦ୍ର ମନ୍ଥନ ବେଳେ କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପଦ୍ମ ଉପରେ ବିରାଜମାନ ହୋଇ ମାଆ ଲକ୍ଷ୍ମୀ ପ୍ରକଟ ହୋଇଥିଲେ। ଆଉ ସେହି ସମୟରେ ମାଆ ଧନାଦାତ୍ରୀଙ୍କ ଆଗମନରେ ଦେବତାମାନେ ଖୁସି ଉତ୍ସବ ପାଳନ କରିବା ସହ ଦୀପାବଳି ପାଳନ କରିଥିଲେ। ଆଉ ସେବେଠୁ ଦୀପାବଳି ପାଳନର ମହତ୍ତ୍ଵ ରହିଛି। ମାଆ ଲକ୍ଷ୍ମୀଙ୍କୁ ଘରକୁ ସ୍ବାଗତ ପାଇଁ ଏହି ଉତ୍ସବ ପାଳନ କରାଯାଉଛି।

ତ୍ରେତୟା ଯୁଗ:

ବାଲ୍ମୀକି ରାମାୟଣ ଏବଂ ତୁଳସୀଦାସଙ୍କ ରାମ ଚରିତ ମାନସ ଅନୁଯାୟୀ, ତ୍ରେତୟାରେ ଭଗବାନ ରାମ ଯେତେବେଳେ ୧୪ ବନବାସ ପରେ ମାତା ସୀତା ଏବଂ ଭ୍ରାତା ଲକ୍ଷ୍ମଣଙ୍କ ସହ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ, ସେଦିନ ରାତିରେ ପୁରା ରାଜ୍ୟରେ ଅଯୋଧ୍ୟାବାସୀ ଦୀପ ଜାଳି ଖୁସି ମନାଇଥିଲେ। କାରଣ ପ୍ରଭୁ ରାମ ପାପର ପ୍ରତୀକ ରାବଣକୁ ବଦ୍ଧ କରି ଅଯୋଧ୍ୟା ଫେରିଥିଲେ। ଏଥିପାଇଁ ସେ ବେଳର କାହାଣୀ ଅନୁଯାୟୀ, ଅସତ୍ୟ ଉପରେ ସତ୍ୟର ଜୟ ଆଉ ପାପ ଉପରେ ଧର୍ମର ଜୟକୁ ପାଳନ କରିବା ପାଇଁ ଦୀପାବଳି ପାଳନ କରାଯାଏ।

ଦ୍ଵାପରଯୁଗ:

ପୌରାଣିକ ମାନ୍ୟତା ଅନୁଯାୟୀ, ଦ୍ୱାପରରେ ନରକାସୁର ନାମକ ଜଣେ ପାପି ଦାନବ ଥିଲା। ତାକୁ ବରଦାନ ମିଳିଥିଲା କି ଯେ, ତାକୁ ଭୂଦେବୀ ଛଡା ଆଉ କିଏ ବି ବଦ୍ଧ କରିପାରିବେ ନାହିଁ। ଏହି ବରଦାନର ଫାଇଦା ଉଠାଇ ନରକାସୁର ଦେବତାଙ୍କ ଉପରେ ଘୋର ଅତ୍ୟାଚାର ଆରମ୍ଭ କରିଥିଲା। ନରକାସୁର ଆତଙ୍କରୁ ବଞ୍ଚିବା ପାଇଁ ସବୁ ଦେବତାଗଣ ତ୍ରାହିମାମ୍ ତ୍ରାହିମାମ କରି ଭଗବାନ ଶ୍ରୀକୃଷ୍ଣଙ୍କୁ ଆକୁଳ ପ୍ରାର୍ଥନା କରିଥିଲେ। କାରଣ ଶ୍ରୀକୃଷ୍ଣଙ୍କ ପତ୍ନୀ ସତ୍ୟଭାମା ଭୂଦେବୀଙ୍କ ଅବତାର ଥିଲେ। ଦେବତାଙ୍କ ଠାରୁ ନରକାସୁରର ଅତ୍ୟାଚାର ବିରୁଦ୍ଧରେ ଶୁଣିବା ପରେ ସତ୍ୟଭାମାଙ୍କ ସହ ରଥରେ ବସି ନରକାସୁର ସହ ଯୁଦ୍ଧ ପାଇଁ ବାହାରି ପଡିଲେ। ହେଲେ ଯୁଦ୍ଧରେ ନରକାସୁର ଗୋଟେ ତୀର ଶ୍ରୀକୃଷ୍ଣଙ୍କୁ ଦେହରେ ବାଜିଲା। ଏହାକୁ ଦେଖି ମାଆ ସତ୍ୟଭାମା ଅତ୍ୟନ୍ତ କ୍ରୋଧିତ ହୋଇଉଠିଲେ। ଆଉ ତୀରର ସନ୍ଧାନ କରି ନରକାସୁରକୁ ବଦ୍ଧ କଲେ। ସଂଯୋଗରୁ ସେଦିନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଥିଲା। ନରକାସୁର ବଦ୍ଧ ହେବା ପରେ ସେଦିନ ଖୁସିରେ ନରକ୍ ଚତୁର୍ଦ୍ଦଶୀ ଏବଂ ତାର ପରଦିନକୁ ଦୀପାବଳି ଭାବେ ପାଳନ କରାଯିବାକୁ ଲାଗିଲା।

କଳିଯୁଗ:

ଜୈନ ଧର୍ମରେ ୨୪ ତମ ତିର୍ଥକର ଭଗବାନ ମହାବୀର କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ନିଜର ନଶ୍ୱର୍ ଶରୀର ତ୍ୟାଗ କରିଥିଲେ। ଏହାପରେ ଏହିଦିନ ଭଗବାନ ମହାବୀରଙ୍କ ନିର୍ବାଣ ଉତ୍ସବ ପାଳନ କରାଗଲା। ତାଙ୍କ ଦେହ ତ୍ୟାଗ ପରେ ତାଙ୍କ ଅନୁଗାମୀଙ୍କ ଅନ୍ତର ଜ୍ୟୋତି ଚାଲିଗଲା। ଯାହାକୁ ପୂର୍ଣ୍ଣ କରିବା ପାଇଁ ଦୀପ ଜଳା ଯାଇଥାଏ।

ବୌଦ୍ଧ ଧର୍ମରେ ବି ଦୀପାବଳିର ମହତ୍ତ୍ଵ ରହିଛି। କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ହିଁ ଭଗବାନ ବୁଦ୍ଧ ୧୮ ବର୍ଷପରେ ତାଙ୍କ ଜନ୍ମଭୂମି କପିଲ୍ ବସ୍ତୁ ଫେରିଥିଲେ। ବୌଦ୍ଧ ଗ୍ରନ୍ଥ ଅନୁଯାୟୀ, ଯେତେବେଳେ ଗୌତମ ବୁଦ୍ଧ କପିଳବସ୍ତୁ ଆସିଥିଲେ ସେ ସମୟରେ ଲୋକମାନେ ଘରେ ଘରେ ଦୀପ ଜାଳି ତାଙ୍କୁ ସ୍ଵାଗତ କରିଥିଲେ। ଏଥିସହିତ ସେହି ସମୟରେ ବୁଦ୍ଧଦେବ ତାଙ୍କ ଶିଷ୍ୟ ଙ୍କୁ ‘ଉପ୍ ଦିପୋ ଭବ’ର ଉପଦେଶ ବି ଦେଇଥିଲେ। ସେବେଥି ତାଙ୍କ ସ୍ମରଣରେ ଦୀପାବଳି ପାଳନ କରାଯାଉଛି।

ସେପଟେ ଇଶା ପୂର୍ବ ଚତୁର୍ଥ ଶତାବ୍ଦୀରେ ରଚନା କରାଯାଇଥିବା କୌଟିଲ ଅର୍ଥଶାସ୍ତ୍ରରେ କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ମନ୍ଦିର ଆଉ ନଦୀ କୂଳରେ ବହୁ ଆଡମ୍ବର ସହିତ ଦୀପ ପ୍ରଜ୍ବଳନ କରିବା ବର୍ଣ୍ଣିତ ରହିଛି।

ଏହା ବ୍ୟତୀତ ଦୀପାବଳି ଦିନକୁ ଶିଖ ଧର୍ମରେ ବି ମାନନ୍ତି। ୧୬୧୮ ମସିହାରେ କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଶିଖଙ୍କ ୬ଷ୍ଠ ତମ ଗୁରୁ ଗୁରୁ ହରଗୋଭିନ୍ଦ ସିଂହ ସାହେବଙ୍କୁ ଅନ୍ୟ ୫୨ କଏଦୀଙ୍କ ସହିତ ଜେଲରୁ ମୁକୁଳିଥିଲେ। ସେତେବେଳେ ଗୁରୁଙ୍କ ମୁକୁଳିବାକୁ ଦୀପଜାଳି ଉତ୍ସବ ମନାଇଥିଲେ।

ସେହିପରି ମୋଗଲ ସମ୍ରାଟ ଏବଂ ଦିନ୍-ଏ-ଇଲାହିର ପ୍ରବକ୍ତା ଆକବର ବି ଦୀପାବଳି ପାଳୁଥିବାର ଅନେକ ଐତିହାସିକ ଆଲୋଚନା କରିଛନ୍ତି। କୁହାଯାଏ ଆକବରଙ୍କ ଶାସନ କାଳରେ ଦୀପାବଳି ଦିନ ଦୌଲତ ଖାନେ ସାମ୍ନାରେ ଚାଳିଶ ଗଜ ଉଚ୍ଚା ବାଉଁଶ ଉପରେ ଏକ ବଡ଼ ଆକାଶ ଦୀପ ଜଳାଯାଏ।

ତେବେ ଏହିଭଳି ଭାବେ କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ପୌରାଣିକ ମାନ୍ୟତା ଏବଂ ଐତିହାସିକ ମାନ୍ୟତା ଅନୁଯାୟୀ ଅନେକ ମହତ୍ତ୍ଵ ରହିଛି।

 

Comments are closed.