ଭୁବନେଶ୍ୱର: ରାଜ୍ୟରେ ଲଗାତର ବିଜୁଳି ଦର ବଢି଼ ଚାଲିଛି। ଏହା ପଛର ଗୁମର ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ। ସେ କହିଛନ୍ତି, ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ, ଓଡ଼ିଶା କୋଲ୍ ଆଣ୍ଡ ପାୱର ଲିମିଟେଡ଼ କୋଇଲା ଆବଂଟନ ଓ ବ୍ୟବହାରର ସମସ୍ତ ସର୍ତ ଉଲଘଂନ କରିଛନ୍ତି । ଏହି ସର୍ତରେ ଥିଲା ଯେ, କେହି ମନୋହରପୁର, ଦୀପ ମନୋହରପୁର ରୁ ନେଉଥିବା କୋଇଲାର ବ୍ୟବସାୟିକ ବ୍ୟବହାର କରିବେ ନାହିଁ ଓ ଏ ସମସ୍ତ କୋଇଲା ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ କମ୍ ରଖିବା ପାଇଁ ବ୍ୟବହୃତ ହେବ । କିନ୍ତୁ ଦେଖାଯାଉଛି କୋଇଲା ଟନ୍ ପିଛା ୪୫୦ ଟଙ୍କାରେ ଉତୋଳନ କରି ୭୫୮ ଟଙ୍କାରେ ବିକ୍ରି କରାଯାଉଛି ଓ ସେଥିରୁ ଲାଭାଂଶ ନିଜ କମ୍ପାନୀ ଭିତରେ ଓ ସରକାରଙ୍କ ସହିତ ଭାଗ କରି ନିଆଯାଉଛି।
ପଞ୍ଚାନନ କାନୁନ୍ଗୋ ଅଭିଯୋଗ କରିଛନ୍ତି ଯେ, ସରକାର ଓ ଓ.ଇ.ଆର.ସି.ର ଜ୍ଞାତସାରରେ ଏସବୁ କାର୍ଯ୍ୟ ହୋଇଛି । ଯଦି ଚୁକ୍ତି ଅନୁସାରେ ହୋଇଥାନ୍ତା ତେବେ ଉପଭୋକ୍ତାଙ୍କ ୟୁନିଟ୍ ପିଛା ୫୦ ରୁ ୫୭ ପଇସା କମ୍ ଆଦାୟ ହୋଇଥାନ୍ତା। ସାଧାରଣ ଓ ଗରିବ ଉପଭୋକ୍ତାଙ୍କ ଠାରୁ ପଇସା ଆଣି ବଡ଼ ଲୋକଙ୍କ ପାଖରେ ଠୁଳ କରିବା ନିମନ୍ତେ ସରକାର ପୁଣି ଏକ ଉଦ୍ୟମ ଆରମ୍ଭ କରିଛନ୍ତି ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି।
ଓ.ପି.ଜି.ସି.ର ୪୯ ପ୍ରତିଶତ ଅଂଶଧନ ବିକ୍ରୟ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଅର୍ଥାତ ଏଥିରୁ ମିଳିବା ଲାଭାଂଶ ସେମାନଙ୍କ ମଧ୍ୟରେ ବଂଟାଯିବ । ଏହାକୁ ବିରୋଧ କରିଛି କଂଗ୍ରେସ। କୌଣସି ଘରୋଇ ବେପାରୀକୁ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଲାଭ ଉଠାଇବା ପାଇଁ ନ ଦେବାକୁ ଦାବି କରିଛି କଂଗ୍ରେସ।
ରାଜ୍ୟର କୋଇଲା ବ୍ୟବହାର କରି ଓ.ପି.ଜି.ସି ପାଖାପାଖି ୯୭୩ ମେଗାୱାଟ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ ତୁରନ୍ତ କମାଯାଉ । ଓ.ଇି.ଆର.ସି. ଏହାର ତଦନ୍ତ କରି ଦର ଧାର୍ଯ୍ୟବେଳେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି ।
Comments are closed.