Latest Odisha News

BREAKING NEWS

ରାହୁଲଙ୍କ ‘ରାଫେଲ ଡିଲ୍’ ଫେଲ୍, ୨୦୨୪ରେ ସ୍ୱପ୍ନ ପୂରଣ କରିବ କି ‘ଆଦାନୀ ପ୍ରସଙ୍ଗ’?

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧୀ ରାଫେଲକୁ ନିଜର ମୁଖ୍ୟ ନିର୍ବାଚନୀ ଅସ୍ତ୍ର କରିଥିଲେ। କିନ୍ତୁ ନିର୍ବାଚନରେ ଏବଂ କୋର୍ଟରେ କୌଣସି ପ୍ରକାର ସଫଳ ହୋଇନଥିଲେ ରାହୁଲ ଗାନ୍ଧୀ ଏବଂ ତାଙ୍କ ଦଳ କଂଗ୍ରେସ। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଫେଲ୍ ପ୍ରସଙ୍ଗରେ ଟାର୍ଗେଟ୍ କରି ‘ଚୌକିଦାର ଚୋର ହୈ’ ନାରା ଦେଇଥିଲେ। ହେଲେ ଭୋଟର ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିଦେବା ଏବଂ କୋର୍ଟରେ ଏପରି ଶବ୍ଦ ବ୍ୟବହାର କରି ରାହୁଲ ଗାନ୍ଧୀ ଅଡୁଆରେ ପଡ଼ିଥିଲେ। ଏବେ  ୨୦୨୪ ନିର୍ବାଚନ ପାଇଁ ରାହୁଲ ଗାନ୍ଧୀ ଏକ ନୂଆ ନିର୍ବାଚନ ପ୍ରସଙ୍ଗ ଆଦାନୀକୁ ବାଛିଛନ୍ତି ବୋଲି କୁହାଯାଉଛି।

ବୁଧବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ବିତର୍କ ବେଳେ ସଂସଦରେ ରାହୁଲଙ୍କ ଲମ୍ବା ଭାଷଣରୁ ସ୍ପଷ୍ଟ ହୋଇଛି ଯେ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ତାଙ୍କର ମୁଖ୍ୟ ଫୋକସ୍ ବିଜନେସ ଟାଇକୁନ ଗୌତମ ଆଦାନୀଙ୍କ ଉପରେ ରହିଛି। ରାହୁଲ ଗାନ୍ଧୀଙ୍କ ପ୍ରୟାସ ନରେନ୍ଦ୍ର ମୋଦୀ ଏବଂ ଆଦାନୀଙ୍କ ମଧ୍ୟରେ ଥିବା ‘ଦୁର୍ନୀତି’କୁ ସମ୍ନାକୁ ଆଣିବା।

ଅନ୍ୟପଟେ କଂଗ୍ରେସ ଏବଂ ଅଣ ବିଜେପି ଦଳଙ୍କ ଦ୍ୱାରା ଶାସିତ ଅନେକ ରାଜ୍ୟରେ ଆଦାନୀ ଗ୍ରୁପର କାରବାର ରହିଛି। ଏପରି ସ୍ଥିତିରେ ବିଜେପି ମଧ୍ୟ ରାହୁଲ ଗାନ୍ଧୀଙ୍କୁ କଡା ଜବାବ ଦେବାକୁ ଯୋଜନା କରିଛି। ଆଦାନୀ ଗ୍ରୁପ କିଭଳି ରାଜସ୍ଥାନ ଏବଂ ଛତିଶଗଡରେ ବ୍ୟବସାୟ କରୁଛି ଏ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରି କଂଗ୍ରେସକୁ କଡା ଜବାବ ଦେବାକୁ ବିଜେପି ପ୍ରୟାସ କରୁଥିବା କୁହାଯାଉଛି।

୨୦୧୮ ନଭେମ୍ବରରେ ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନର ରାଲି ସମୟରେ ‘ଚୌକିଦାର ଚୋର ହୈ’ ନାରା ଦେଇଥିଲେ। ଫ୍ରାନ୍ସରୁ ରାଫେଲ ଯୁଦ୍ଧ ବିମାନ କିଣିବାରେ ଦୁର୍ନୀତି ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀଙ୍କର ଭୂମିକା ରହିଛି ବୋଲି କହିବାକୁ ପ୍ରୟାସ କରିଥିଲେ ରାହୁଲ ଗାନ୍ଧୀ। ଆଉ କୌଣସି ପ୍ରକାରରେ ତିନି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ରାହୁଲଙ୍କ ନାରାକୁ ସିଧାସଳଖ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବଂ ବିଜେପି ‘ମେଁ ଭି ଚୌକିଦାର’ ନାରା ଦେଇଥିଲା। ଯାହାର ପରିଣାମ ୨୦୧୯ ସାଧାରଣ ନିର୍ବାଚନ ବେଳେ କଂଗ୍ରେସ ବିପକ୍ଷରେ ଯାଇଥିଲା।

୨୦୨୦ ମସିହାରେ ଆରମ୍ଭ ହୋଇଥିବା ଚୀନ୍ ସହିତ ତିକ୍ତତାକୁ ଦୃଷ୍ଟିରେ ରଖି ରାଫେଲ ଯୁଦ୍ଧ ବିମାନ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସୁରକ୍ଷା ସମ୍ପତ୍ତି ବୋଲି ପ୍ରମାଣିତ ହୋଇଛି। ୨୦୧୪ରେ ଯେଉଁ ଦୁର୍ନୀତି ପ୍ରସଙ୍ଗ ପାଇଁ କଂଗ୍ରେସ ନିର୍ବାଚନରେ ହାରିଥିଲା ସମାନ ଦୁର୍ନୀତି ପ୍ରସଙ୍ଗ ଉଠାଇ ବିଜେପିକୁ କ୍ଷମତାରୁ ହଟାଇବାକୁ ପ୍ରୟାସ କରି ରାଫେଲ ଡିଲରେ ଦୁର୍ନୀତି ହୋଇଥିବା କଥା କହି ମୋଦୀ ସରକାରକୁ ଘେରିଥିଲା କଂଗ୍ରେସ। କିନ୍ତୁ ସୁପ୍ରିମକୋର୍ଟ ୨୦୨୧ରେ ରାଫେଲ ଡିଲରେ ମୋଦୀ ସରକାରଙ୍କୁ କ୍ଲିନଚିଟ୍ ଦେବାପରେ ଏହି ଅଧ୍ୟାୟ ଶେଷ ହୋଇଥିଲା।

ଏବେ ୨୦୨୪ ଲୋକସଭା ନିର୍ବାଚନକୁ ବର୍ଷେ ବାକି ଅଛି। ଏହାପୂର୍ବରୁ ହିଣ୍ଡେନବର୍ଗ ରିପୋର୍ଟକୁ ଆଧାର କରି କଂଗ୍ରେସ ଏବେ ଆଦାନୀ ଗ୍ରୁପକୁ ଟାର୍ଗେଟ୍ କରିଛି। ଯେଉଁ ଗ୍ରୁପ ମୋଦୀ ସରକାର ବେଳେ ଅନେକ ଲାଭ ପାଇଥିବା କୁହାଯାଉଛି। ବୁଧବାର ସଂସଦରେ ରାହୁଲ ଗାନ୍ଧୀ କହିଛନ୍ତି, ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରଠାରୁ ଆଦାନୀଙ୍କ ସମ୍ପତ୍ତି କିପରି ବୃଦ୍ଧି ପାଇଥିଲା ବୋଲି କହିଛନ୍ତି। ଏହି ସମୟରେ ସେ ଗୁଜରାଟ ସହିତ ତାଙ୍କର ପୁରୁଣା ସମ୍ପର୍କକୁ ମଧ୍ୟ ଉଲ୍ଲେଖ କରିଥିଲେ, ଯାହାକୁ ନେଇ ବିଜେପି ଆପତ୍ତି ଉଠାଇଥିଲା।

ଯେମିତି ୨ଜି ଏବଂ କୋଇଲା ଦୁର୍ନୀତି ଅଭିଯୋଗ ଆଣି ସଂସଦରେ ୟୁପିଏ ସରକାରକୁ ବିଜେପି ୨୦୧୪ ପୂର୍ବରୁ ଘେରିଥିଲା। ସେହିପରି ଆଦାନୀ ମାମଲାରେ ଯୁଗ୍ମ ସଂସଦ କମିଟି (ଜେପିସି) ଦ୍ୱାରା ତଦନ୍ତ ଦାବି କରିଛି କଂଗ୍ରେସ ଏବଂ ଅନ୍ୟ ବିରୋଧୀ।

 

 

Leave A Reply

Your email address will not be published.