Latest Odisha News

ଋଷଠୁ ଚୀନ ମୁଦ୍ରା ଦେଇ କାହିଁକି ତେଲ କିଣୁଛି ଭାରତ ?

ଭୁବନେଶ୍ୱର: ଦୁନିଆରେ ଅଧିକାଂଶ କାରବାର ଆମେରିକୀୟ ମୁଦ୍ରା ଡଲାରରେ ହୋଇଥାଏ । ୨୦୨୨ ଫେବ୍ରୁଆରୀରେ ଋଷ-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ମାତ୍ରେ ଋଷ ଉପରେ ଅନେକ ପ୍ରତିବନ୍ଧକ ଲାଗିଥିଲା । ଏହା ପରେ ଋଷ ଅନ୍ୟ ଦେଶ ସହ ଡଲାରରେ ଦେଣନେଣ କରିପାରି ନଥିଲା ।

ଋଷ ଶସ୍ତା ତେଲ ଦେବା ପାଇଁ ଭାରତକୁ ଅଫର୍ ଦେଇଥିଲା, ମସ୍କୋର ଅଫରକୁ ନୂଆଦିଲ୍ଲୀ ଗ୍ରହଣ କରିବା ସହ ଆରମ୍ଭ କରିଥିଲା ତେଲ କିଣା । ତେଲ ବାବଦକୁ ଭାରତ ଋଷକୁ ଭାରତୀୟ ମୁଦ୍ରା ରୂପି ବା ଟଙ୍କା ଦେଉଥିଲା । ଏବେ ଆସୁଥିବା ଖବର ଅନୁସାରେ, ଋଷଠୁ ତେଲ କିଣିବା ଲାଗି ଭାରତୀୟ କମ୍ପାନୀ ଡଲାର କିମ୍ବା ଟଙ୍କା ନୁହେଁ ବରଂ ଚୀନ୍ ମୁଦ୍ରା ୟୁଆନର ବ୍ୟବହାର କରୁଛନ୍ତି ।

ଅନ୍ତର୍ଜାତୀୟ ଗଣମାଧ୍ୟମ ଏଜେନ୍ସି ରଏଟର୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଋଷ ଠାରୁ ଶସ୍ତା ତେଲ କିଣିବା ଲାଗି ଭାରତୀୟ କମ୍ପାନୀ ଚୀନ ମୁଦ୍ରା ୟୁଆନ ଦେଉଛନ୍ତି । ଦେଶର ୩ଟି ବଡ଼ କମ୍ପାନୀ ମଧ୍ୟରୁ ୨ଟି ୟୁଆନରେ ଦେଣନେଣ କରୁଛି । ତେବେ ୟୁଆନ୍ ଦେଇ ଭାରତ କେତେ ପରିମାଣରେ ତେଲ କିଣିଛି ତାହା ରିପୋର୍ଟରେ କୁହାଯାଇ ନାହିଁ ।

ତେବେ ଗତବର୍ଷ ତୁଳନାରେ ଭାରତ, ଋଷ ଠାରୁ ୩୮୬ ପ୍ରତିଶତ ଅଧିକ ଅଶୋଧିତ ତୈଳ ଆମଦାନୀ କରିଛି । ଯୁଦ୍ଧ ପରେ ଋଷର ମୁଦ୍ରା ରୁବଲେ ସ୍ଥିତି ଦୁର୍ବଳ ରହିଛି । ବିଗତ ୧୬ ମାସ ମଧ୍ୟରେ ଭାରତ ଋଷ ଠାରୁ ଟଙ୍କା ଦେଇ ତୈଳ କିଣୁଥିବା ବେଳେ ଋଷର ବ୍ୟାଙ୍କରେ ମୁଦ୍ରାର ମାତ୍ରା ବଢ଼ି ଯାଇଛି । ଆଉ ଉକ୍ତ ଟଙ୍କାରେ ଋଷ କେବଳ ଭାରତ ସହ କାରବାର କରି ପାରିବ ।

ଗୋଟିଏ ପଟେ ଡଲାର କାରବାର ଉପରେ ଋଷ ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ଆମେରିକା ଓ ୟୁରୋପୀୟ ୟୁନିଅନ୍ ଋଷକୁ ଅନ୍ତର୍ଜାତୀୟ କାରବାର ଲାଗି ବ୍ୟବହୃତ ସ୍ୱିଫ୍ଟ (SWIFT)ରୁ ବାହାର କରି ଦେଇଛନ୍ତି । ଟଙ୍କା, ଡଲାର ଓ ରୁବଲେ ବିକଳ୍ପ ବନ୍ଦ ପରେ ଭାରତ, ଋଷ ଠାରୁ ୟୁଆନ୍ ତେଲ କିଣୁଥିବାରୁ ଚୀନକୁ ଫାଇଦା ମିଳୁଛି ।

ଆମେରିକାର ସ୍ୱିଫ୍ଟ ଭଳି ଚୀନ ମଧ୍ୟ ବୈଶ୍ୱିକ କାରବାର ଲାଗି ସିଆଇପିଏସ୍ (CIPS) ବ୍ୟବସ୍ଥା କରିଛି । ଚୀନର ସିଆଇପିଏସ୍ ସହ ଏବେ ବିଶ୍ୱର ୧୦୩ ରାଷ୍ଟ୍ରର ୧୩୦୦ ବ୍ୟାଙ୍କ ଯୋଡ଼ି ହୋଇଥିବା ବେଳେ ଆମେରିକାର ସ୍ୱିଫ୍ଟ ସହ ୨୦୦ରୁ ଅଧିକ ଦେଶର ୧୧ ହଜାରରୁ ଅଧିକ ବ୍ୟାଙ୍କ ଯୋଡ଼ି ହୋଇଛନ୍ତି । ସିଆଇପିଏସ୍ ଜରିଆରେ ଗତ ବର୍ଷ ୮୦ ଟ୍ରିଲିଅନ୍ ୟୁଆନ୍ ଯାହାକି ଚୀନ ମୁଦ୍ରା ଠାରୁ ଅଧିକର ଦେଣନେଣ ହୋଇଥିଲା ।

ବ୍ୟବସାୟ ଜଗତରେ ପ୍ରତିଦ୍ୱନ୍ଦ୍ୱୀ ଆମେରିକା ଓ ଚୀନ ଅନ୍ତର୍ଜାତୀୟ ବଜାରରେ ନିଜ ନିଜ ମଧ୍ୟରେ ଲଢେଇ କରୁଛନ୍ତି । ଆଉ ଏବେ ଏହି ଲଢ଼େଇରେ ଆମେରିକାର ଡଲାର ଓ ଚୀନର ୟୁଆନ୍ ସାମିଲ୍ ହୋଇଛନ୍ତି । ୟୁଆନର ବ୍ୟବହାର ବଢ଼ାଇବା ଲାଗି ଚୀନ ୪୦ରୁ ଅଧିକ ଦେଶ ସହ ବୁଝାମଣା କରିଛି । ବୈଶ୍ୱିକ କାରବାରରେ ଡଲାରକୁ ହଟାଇ ୟୁଆନକୁ ସାମିଲ୍ କରିବାକୁ ଚୀନ ଚାହୁଁଛି । ଏଭଳି ସ୍ଥିତିରେ ଭାରତ, ଋଷ ଠାରୁ ଚୀନର ୟୁଆନ୍ ଦେଇ ତେଲ କିଣିବା ନିଶ୍ଚିତ ଭାବେ ଭାରତୀୟ ମୁଦ୍ରା ପ୍ରତି ଝଟକା ।

Comments are closed.