Latest Odisha News

କାହିଁକି ସବୁଜରୁ ଗେରୁଆ ରଙ୍ଗ ହେଉଛି ଲକ୍ଷ୍ମୀ ବସ୍ ?

ଭୁବନେଶ୍ବର: ଶଙ୍ଖ ପୋଷ୍ଟର ହଟିଥିଲା, ଏବେ ବଦଳିଲା ରଙ୍ଗ । ସବୁଜରୁ ଗେରୁଆ ରଙ୍ଗ ହୋଇଛି ଲକ୍ଷ୍ମୀ ବସ୍ । ଢେଙ୍କାନାଳରେ ବସର ରଙ୍ଗ ବଦଳକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । କାହା ନିର୍ଦ୍ଦେଶରେ ବସର ରଙ୍ଗ ବଦଳା ଯାଉଛି, ସେନେଇ ଜଣାପଡିନି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଲକ୍ଷ୍ମୀ ବସରେ ଲାଗିଥିବା ଶଙ୍ଖ ପୋଷ୍ଟର ହଟାଯାଇଥିଲା । ଏବେ ବସର ରଙ୍ଗ ବଦଳା ଯାଇ ଗେରୁଆ ରଙ୍ଗ କରାଯାଉଛି । ତେବେ ପ୍ରଶ୍ନ ଉଠୁଛି, ବସ ରଙ୍ଗ ବଦଳିବା ପଛରେ କାରଣ କଣ? ବସର ରଙ୍ଗ ବଦଳିଲେ ଯାତ୍ରୀ ପରିବହନରେ କି ପ୍ରକାର ପରିବର୍ତ୍ତନ ହେବ ?

ବସ ହେଲା ସବୁଜରୁ ଗେରୁଆ

କମ୍ ପଇସାରେ ପଞ୍ଚାୟତରୁ ସହରକୁ ଯୋଡିବା ପାଇଁ ଗତବର୍ଷ ପୂର୍ବ ବିଜେଡି ସରକାର ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଥିଲେ। ଜାନୁଆରୀ ୩୧ତାରିଖରେ ଢେଙ୍କାନାଳରେ ଲକ୍ଷ୍ମୀ ବସ୍ ସେବା ଉଦଘାଟିତ ହୋଇଥିଲା। ୬ମାସ ପରେ ଏବେ ବସର ରଙ୍ଗ ପରିବର୍ତ୍ତନ କରାଯାଉଛି। ପରିବହନ ବିଭାଗ ପକ୍ଷରୁ ରଙ୍ଗ ପରିବର୍ତ୍ତନ ନେଇ ନିର୍ଦ୍ଦେଶ ଆସିଛି କି ନାହିଁ, ସେନେଇ ଜଣାପଡିନି । ତେବେ ଅପରେଟର ସଂସ୍ଥା ଢେଙ୍କାନାଳ ବସଷ୍ଟାଣ୍ଡରେ ବସ ରଙ୍ଗ କରିଛି । ପୂର୍ବରୁ ବସର ରଙ୍ଗ ଧଳା ସହ ସବୁଜ ଥିବା ବେଳେ ଏବେ ଧଳା ଓ ଗେରୁଆ ରଙ୍ଗ କରାଯାଉଛି ।

ଲକ୍ଷ୍ମୀ ବସ୍ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା

ଲକ୍ଷ୍ମୀ ବସର ନାଁ ବଦଳି ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା । କିଛି ଦିନ ପୂର୍ବରୁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏନେଇ ସୂଚନା ଦେଇଥିଲେ। ରାଜ୍ୟରେ ସରକାର ବଦଳିବା ସହ ଲକ୍ଷ୍ମୀ ବସ ଚାଲିବା ନେଇ ଦ୍ବନ୍ଦ୍ବ ରହିଥିଲା । ତେବେ ନୂଆ ନାଁରେ ବସ ସେବା ଜାରି ରହିବ ବୋଲି ମନ୍ତ୍ରୀ କହିଥିଲେ । ଢେଙ୍କାନାଳରେ ବସ ରଙ୍ଗ ପରିବର୍ତ୍ତନ କରାଯିବା ସହ ଲକ୍ଷ୍ମୀ ବସ୍ ଜାଗାରେ ମୁଖ୍ୟମନ୍ତ୍ରୀ ବସ୍ ସେବା ବା ଏମବିଏସ ଲେଖା ଯାଇଛି। ଶଙ୍ଖ ଚିହ୍ନ ଉପରେ ବି ଷ୍ଟିକର ଲଗାଯାଇଛି ।

ବସରେ ରାଜନୀତିର ରଙ୍ଗ

ନୂଆ ସରକାର ଆସିବା ସହ ଲକ୍ଷ୍ମୀ ବସରେ ରାଜନୀତିର ରଙ୍ଗ ଲାଗିଥିବା କୁହାଯାଉଛି । ବିଜେଡି ଦଳୀୟ ପତାକା ରଙ୍ଗ ସବୁଜ ଥିବାରୁ ସେତେବେଳେ ଲକ୍ଷ୍ମୀ ବସର ରଙ୍ଗ ସବୁଜ ରହିଥିଲା । ଲକ୍ଷ୍ମୀଙ୍କ ପାଦ ସାଙ୍ଗକୁ ଦଳର ଚିହ୍ନ ଶଙ୍ଖ ବି ବସରେ ରହିଥିଲା । ଏବେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଛି। ବିଜେପି ପତାକା ରଙ୍ଗ ଗେରୁଆ । ତେଣୁ ବସର ରଙ୍ଗ ଗେରୁଆ କରାଯାଉଥିବା ଚର୍ଚ୍ଚା ହେଉଛି ।

ରଙ୍ଗ ବଦଳିଲେ ବଦଳିବ କି ଭାଗ୍ୟ?

ରାଜ୍ୟର ଉପାନ୍ତ ଅଞ୍ଚଳରେ ଏବେବି ଯାତ୍ରୀ ପରିବହନ ବ୍ୟବସ୍ଥାର ଭାଗ୍ୟ ବଦଳିନି । ପୂର୍ବ ସରକାର ପଞ୍ଚାୟତକୁ ଯୋଡିବାକୁ ଲକ୍ଷ୍ମୀ ବସ ବ୍ୟବସ୍ଥା କରିଥିଲେ ସତ ହେଲେ ମାସ ମାସ ଧରି ନୂଆ ଲକ୍ଷ୍ମୀ ବସ ଖୋଲା ଆକାଶ ତଳେ ଖତ ଖାଉଛି । ଅର୍ଥାତ ବସସେବା ଆରମ୍ଭ ତ ହେଲା, ହେଲେ ପରିଚାଳନା ଠିକ୍ ଭାବେ ହୋଇପାରିଲାନି । ରାଜ୍ୟରେ ସରକାର ବଦଳିଲା । ବିଜେପି ସରକାର ଆସିବା ପରେ ବସ ସେବାର ନାଁ, ରଙ୍ଗ ସବୁ ବଦଳିବ। ହେଲେ ବଦଳିବ କି ଉପାନ୍ତ ଅଞ୍ଚଳର ଭାଗ୍ୟ? ପ୍ରତି ପଞ୍ଚାୟତକୁ ଗଡିବ କି ସୁଲଭ ମୂଲ୍ୟରେ ସରକାରୀ ବସ? ବର୍ଷ ବର୍ଷ ଧରି ଯାତାୟତ ପାଇଁ ହଇରାଣ ହେଉଥିବା ଲୋକେ ପାଇବେ କି ସୁବିଧା?

କେବଳ ଲକ୍ଷ୍ମୀ ବସ୍ ନୁହେଁ ବିଜେପି ସରକାରରେ ପୂର୍ବ ବିଜେଡି ସରକାରର ବିଭିନ୍ନ ଯୋଜନାର ନାମ ପରିବର୍ତ୍ତନ ହେବାକୁ ନେଇ ଚର୍ଚ୍ଚା ହେଉଛି । ଯେମିତିକି ବିଏସକେଓ୍ବାଇର ନାଁ ବଦଳି ହୋଇପାରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ଯୋଜନା। ବଦଳିପାରେ ମିଶନ ଶକ୍ତିର ନାଁ । ତେବେ ଖାଲି ନାଁ ବଦଳାଇ ଶ୍ରେୟ ରାଜନୀତିକୁ ଗ୍ରହଣ କରିବେ କି ଜନତା? ପୂର୍ବ ବିଜେଡି ସରକାରର ଦୁର୍ନୀତି ବିରୋଧରେ ବିଜେପିକୁ କ୍ଷମତା ଦେଇଛନ୍ତି ଲୋକେ । ତେଣୁ କେବଳ ନାଁ କି ରଙ୍ଗ ନୁହେଁ, ଲୋକଙ୍କ ମନ ଜିତିବାକୁ ହେଲେ ନୂଆ ସରକାରକୁ ସ୍ବଚ୍ଛ, ନିରପେକ୍ଷ ଶାସନ ଓ କାର୍ଯ୍ୟଦକ୍ଷତା ଦେଖାଇବାକୁ ପଡିବ ।

Leave A Reply

Your email address will not be published.