Latest Odisha News

Sola Puja: ଷୋଡଶ ପୂଜା ବେଳେ ମହିଳାଙ୍କୁ ମା’ ବିମଳାଙ୍କ ଦର୍ଶନ ମନା, ଜାଣନ୍ତୁ କାହିଁକି..

ପୁରୀ: ଶ୍ରୀମନ୍ଦିରରେ ଦେବୀ ବିମଳାଙ୍କ ମନ୍ଦିରରେ ଚାଲିଛି ଷୋଡ଼ଶ ଦିନାତ୍ମକ ପୂଜା । ପରମ୍ପରା ଅନୁଯାୟୀ ଚଣ୍ଡୀପାଠ ସହ ସ୍ଵତନ୍ତ୍ର ପୂଜା ବିଧି ଅନୁଷ୍ଠିତ ହେଉଛି । ଆଶ୍ୱିନ ମାସ କୃଷ୍ଣ ଅଷ୍ଟମୀ ତଥା ମୂଳାଷ୍ଟମୀରୁ ୧୬ ଦିନ ବ୍ୟାପୀ ଶୁକ୍ଲ ଅଷ୍ଟମୀ ପର୍ଯ୍ୟନ୍ତ ଏହି ବିଶେଷ ଷୋଡ଼ଶ ପୂଜା ଅନୁଷ୍ଠିତ ହେଇଥାଏ । ଏହି ସମୟରେ ଦେବୀ ବିମଳାଙ୍କ ପୀଠରେ ଅନୁଷ୍ଠିତ ହୋଇଥାଏ ସ୍ଵତନ୍ତ୍ର ପୂଜାର୍ଚ୍ଚନା । ଯାହାକି ଅନ୍ୟ କେଉଁଠି ଦେଖିବାକୁ ମିଳିନଥାଏ।

ଯେପରିକି ଷୋଡ଼ଶ ପୂଜା ସମୟରେ ଦେବୀ ବିମଳାଙ୍କୁ ମହିଳା ଭକ୍ତମାନେ ଦର୍ଶନ କରିବା ଉପରେ କଟକଣା ଲାଗିଥାଏ । ଏହି ପୂଜା ସମୟରେ କୌଣସି ମହିଳାଙ୍କୁ ଦେବୀ ବିମଳାଙ୍କ ମନ୍ଦିରକୁ ପ୍ରବେଶ ଅନୁମତି ଦିଆଯାଏ ନାହିଁ ।

ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀଠାରୁ ମା’ ବିମଳାଙ୍କ ପୀଠରେ ଆରମ୍ଭ ହୋଇଥାଏ ଷୋଡ଼ଶ ଦିନାତ୍ମକ ପୂଜା । ଏହାକୁ ଷୋଳ ପୂଜା ବୋଲି ମଧ୍ୟ କୁହାଯାଏ । ଏହି ଷୋଳ ପୂଜା ପାରମ୍ପରିକ ବିଧିରେ ଦେବୀ ବିମଳାଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ଏହି ପୂଜା ସମୟରେ ଚଣ୍ଡୀ ପାଠ ହୁଏ ଏବଂ ବିଭିନ୍ନ ବେଶରେ ମା’ ବିଭୂଷିତ ହୋଇଥାନ୍ତି ।

ବିଶେଷ କଥା ହେଉଛି ଏହି ପୂଜା ସମୟରେ ମା ବିଭିନ୍ନ ଉଗ୍ରରୂପ ନେଇଥାନ୍ତି। ମହିଳା ମାନେ ଦର୍ଶନ ସମୟରେ କାଳେ ମା’ଙ୍କୁ ଦେଖି ଡରିଯିବେ ସେନେଇ ମହିଳା ମାନଙ୍କୁ ଦର୍ଶନର ଅନୁମତି ନଥାଏ। ସେମାନେ ସିଂହଦ୍ୱାର ସମ୍ମୁଖରେ ଦର୍ଶନ କରିଥାନ୍ତି। କିନ୍ତୁ ପୁରୁଷମାନଙ୍କୁ ଦର୍ଶନ କରିବାର ଅନୁମତି ଥାଏ। ଏହାସହ ମହିଳାଙ୍କ ମାସିକ ଧର୍ମ ରହିଛି । ମା’ଙ୍କ ପୂଜା ବିଧି ଥିବା ବେଳେ ପ୍ରବେଶ କଲେ କାଳେ ପୂଜାରେ କିଛି ବିଘ୍ନ ହେବ, ଯାହା ସାରା ବିଶ୍ଵ ପାଇଁ ଅମଙ୍ଗଳ ହେବ ବୋଲି ଆଶଙ୍କା କରାଯାଇ ମହିଳାଙ୍କୁ ଷୋଡ଼ଶ ପୂଜା ବେଳେ ମନ୍ଦିରକୁ ପ୍ରବେଶ ନଥାଏ ।

ସେହିପରି ସପ୍ତମୀ, ଅଷ୍ଟମୀ ଓ ନବମୀରେ ମା’ଙ୍କୁ ଶଙ୍ଖୁଡି ଭୋଗ ଲାଗେ ।ମହାପ୍ରଭୁ ରାତ୍ରି ପହୁଡ଼ ନୀତି ପରେ ରାତିରେ ବଳି ନୀତି ଅନୁଷ୍ଠିତ ହୋଇଥାଏ । ମତ୍ସ୍ୟ ରୋଷେଇ କରାଯାଇ ମା’ଙ୍କୁ ଅର୍ପଣ କରାଯାଏ । ଏହା ବହୁ ପ୍ରାଚୀନ କାଳରୁ ଅନୁଷ୍ଠିତ ହୋଇଆସୁଛି । ହେତୁ ମା’ ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ଅନ୍ୟତମ ତେଣୁ ଏହି ବିଧି ଅନୁଷ୍ଠିତ ହୋଇଥାଏ ।

ମା’ ବିମଳା ଶ୍ରୀ ମନ୍ଦିରରେ ବିରାଜମାନ କରୁଛନ୍ତି । ଶାସ୍ତ୍ରରେ କୁହାଯାଇଛି ଯେଉଁ ୫୧ଟି ଶକ୍ତି ପୀଠ ରହିଛି, ସେଥି ମଧ୍ୟରୁ ମା’ବିମଳାଙ୍କ ଶକ୍ତି ପୀଠ ଅନ୍ୟତମ । ମା’ ସତୀଙ୍କ ପାଦ ଏଠାରେ ପଡ଼ିଥିବା କୁହାଯାଇଛି ।

Comments are closed.